Punjilal
ପୂରା ରାଜ୍ୟକୁ ଦୋହଲାଇ ଦେଇଥିବା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ବଡ଼ ରାୟ। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତା’ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଏହାର ଅର୍ଥ ମୃତ୍ୟୁ ଯାଏ ଜେଲରେ ରହିବାକୁ ଦଣ୍ଡ ପାଇଛି ପୁଞ୍ଜିଲାଲା ମେହେର।
ଦୀର୍ଘ ୭ ବର୍ଷର ନ୍ୟାୟିକ ତଦନ୍ତ ପରେ ଆଜି ରାୟ ପ୍ରକାଶ ପାଇଛି। ୨ ହଜାର ପୃଷ୍ଠାର ଚାର୍ଜଶିଟ୍ ଓ ୬୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ ସହ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ କୋର୍ଟ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୀର୍ଘ ୭ ବର୍ଷ ଧରି ଚାଲିଥିବା ତଦନ୍ତ ଓ ଶୁଣାଣି ପରେ କୋର୍ଟ ଆଇପିସିର ଧାରା ୩୦୨ ହତ୍ୟା, ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାଙ୍କୁ ହତ୍ୟା ଉଦ୍ୟମ ପାଇଁ ଧାରା ୩୦୭, ୨୦୧ IPC, ସେକ୍ସନ ୩ ଓ ୪ ଦଫା ଅନୁଯାୟୀ ପୁଞ୍ଜିଲାଲକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି।
ପୁଞ୍ଜିଲାଲକୁ ଆଜୀନବ ସଜା ମିଳିବା ପରେ ସୌମ୍ୟଶେଖରଙ୍କ ବାପା ରବୀନ୍ଦ୍ର କହିଛନ୍ତି, “ମୋର ସବୁ କିଛି ଭାସି ଯାଇଛି। ବଞ୍ଚିବାର କୌଣସି ରାସ୍ତା ନାହିଁ। ୭ ବର୍ଷ ଧରି ଏଇ କୋର୍ଟ ରୁମ୍ ସିଢ଼ି ଚଢ଼ିଛି, ଖାଲି ପୁଅକୁ ନ୍ୟାୟ ଦେବା ପାଇଁ। ଆଜି ପୁଞ୍ଜିଲାଲ ମେହେରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁଣାଇ ଥିବାରୁ କିଛିଟା ଆଶ୍ୱସ୍ତି ଅନୁଭବ ହେଉଛି। ପୁଞ୍ଜିଲାଲକୁ ଫାଶୀ ମିଳିବା ବୋଲି ଆଶା କରିଥିଲୁ। ଏନେଇ ବିଶ୍ୱାସ ବି ଥିଲା। କିନ୍ତୁ କୋର୍ଟ ଆଜୀବନ ଶୁଣାଇଛନ୍ତି। ଫାଶୀ ହେଲେ ପୁଞ୍ଜିଲାଲ ଥରକରେ ମରିଯିବ। କିନ୍ତୁ ଏବେ ସେ ଜୀବନ ସାରା ଏମିତି ବଞ୍ଚି ବଞ୍ଚି ମରିବ।”
ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା କହିଛନ୍ତି, “ପୁଞ୍ଜିଲାଲ ମଣିଷ ନା ରାକ୍ଷାସ ନା ସଇତାନ? ପୁଞ୍ଜିଲାଲ କ‘ଣ କେହି କହିପାରିବେନି। ପୁଅ, ଶାଶୁଙ୍କ ମୃତ୍ୟୁର ଦୁଃଖ କେବେ ବି ଯିବନି। କିନ୍ତୁ ଆଜି ନ୍ୟାୟ ମିଳିଛି।”
ଦୋଷୀ ପୁଞ୍ଜିଲାଲକୁ ଆଜୀବନ ଜେଲ ଦଣ୍ଡ ପରେ ଏହାର ସଜ୍ଞା ବୁଝାଇଛନ୍ତି ସରକାରୀ ଓକିଲ। ତାଙ୍କ କହିବା କଥା ଯେ ଆଜୀବନ ଅର୍ଥ ସେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଭିତରେ ହିଁ ରହିବ। ଆଜିର ରାୟ ଅନୁସାରେ ସେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଭିତରେ ରହିବ। ଏହା ପରେ ଯଦି ଆଉ କିଛି ନିଷ୍ପତ୍ତି ହୁଏ ତାହେଲେ କ’ଣ କୁହାଯାଇପାରିବ। କୋର୍ଟଙ୍କ ରାୟରେ ଆମେ ସମସ୍ତେ ସନ୍ତୁଷ୍ଟ। ଏହାକୁ ରେୟାରେଷ୍ଟ ଅଫ୍ ରେୟାର ପାଇଁ ଯୁକ୍ତି ରଖିଥିଲୁ। ମାତ୍ର କୋର୍ଟ ଏହାକୁ ଗ୍ରହଣ କଲେ ନାହିଁ। କୋର୍ଟ ଏହାକୁ ଅତି ଜଘନ୍ୟ ଘଟଣା ବୋଲି କହିଛନ୍ତି।
ପାର୍ସଲ ବୋମା ରାୟ ନେଇ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମାମଲାରେ କେହି ପ୍ରତ୍ୟେକ୍ଷ ସାକ୍ଷୀ ନ ଥିଲେ। ତେଣୁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଯେଉଁଠି ପ୍ରତ୍ୟେକ୍ଷ ସାକ୍ଷୀ ନ ଥାନ୍ତି, ସେଠାରେ ଫରେନ୍ସିକ ପ୍ରମାଣ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପୁଞ୍ଜିଲାଲ ମାମଲାରେ ଫରେନ୍ସିକ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ସେ ବ୍ୟବହାର କରିଥିବା ଏନ୍ଭଲପ ଓ ଅଠାରୁ ପ୍ରମାଣ ମିଳିଥିଲା। ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ ଦେଇଥିଲା। ସେ ଯେଉଁ ଡଷ୍ଟବିନ୍ରେ ଏହାକୁ ଫିଙ୍ଗିଥିଲା, ତାହା ଲ୍ୟାବ୍ରେ ମ୍ୟାଚ୍ କରିଯିବାରୁ ତା’ର ସବୁ ଖେଳ ଖତମ ହୋଇଥିଲା।”
୨୦୧୮ ମସିହା ଫେବୃଆରୀ ୧୮ରେ ପାଟଣାଗଡରେ ସୌମ୍ୟଶେଖର ଓ ରିମାଙ୍କ ବିବାହ ହୋଇଥିଲା। ୨୩ ତାରିଖରେ ରିସେପସନରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ।
ଭଇଁଷା କଲେଜ୍ ଅଧ୍ୟକ୍ଷା ତଥା ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ରଚିଥିଲା ପୂରା ପ୍ଲାନ୍। ବୋମା ନିଜେ ତିଆରି କରି ଏହାକୁ କୋରିୟର୍ ସଂସ୍ଥା ଜରିଆରେ ସଂଯୁକ୍ତାଙ୍କ ଘରକୁ ପଠାଇଥିଲା। ଆଉ ପାର୍ସଲ ଖୋଲିବା ପରେ ହୋଇଥିବା ବିସ୍ଫୋରଣରେ ପୁଅ ସୌମ୍ୟ ଓ ଶାଶୁଙ୍କ ଯାଇଥିଲା ଜୀବନ। ଘଟଣାର ତଦନ୍ତ କରି କ୍ରାଇମବ୍ରାଂଚ୍ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Punjilal_1748420357.jpg)