ଏମକେସିଜିର ରାଗିଂ ଅଭିଯୋଗ, ଆଜି ବସିବ ବୈଠକ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲ କଲେଜର କିଛି ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଏମ୍‌କେସିଜି ହସ୍ପିଟାଲ ।

  • Published: Friday, 25 October 2024
  • , Updated: 25 October 2024, 01:52 PM IST

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲ କଲେଜର କିଛି ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରଙ୍କ ଅଭିଭାବକମାନେ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଛି ନ୍ୟାସନାଲ ମେଡିକାଲ କାଉନସିଲ୍‌ (NMC) । ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଆଜି ଆଣ୍ଟି ରାଗିଂ କମିଟିର ବୈଠକ ବସିବ ବୋଲି ଜଣାଯାଇଛି।

ଅଭିଯୋଗ ଅନୁଯାୟୀ. ପ୍ରଥମ ବର୍ଷର ଛାତ୍ରମାନେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ ବ୍ଲକରୁ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ୧,୩,୪ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟରମାନେ ସେଠାରେ ସେମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି । ସିନିୟରମାନେ ସମ୍ପୃକ୍ତ ଛାତ୍ରମାନଙ୍କୁ ଅନ୍ଧାର କରି ପିଟିବା ସହ ନଚାଇବା ଓ ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଛି। ଏପରିକି ସେମାନେ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତିତ ହୋଇଥିବା ବି ଉଲ୍ଲେଖ ହୋଇଛି।

ଅଭିଯୋଗକୁ ନେଇ ଦ୍ୱିତୀୟ ବର୍ଷର ୩ ଛାତ୍ରଙ୍କ ପରିବାରବର୍ଗ ନ୍ୟାସନାଲ ମେଡ଼ିକାଲ କାଉନସିଲର ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଥିଲେ । ଏହାପରେ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଏହାର ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଛି ନ୍ୟାସନାଲ ମେଡିକାଲ କାଉନସିଲ୍‌ (NMC) । NMC ପକ୍ଷରୁ ଚିଠି ପାଇବା ପରେ କଲେଜ ଡିନ୍ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ହଷ୍ଟେଲର କୌଣସି ଛାତ୍ର ମହଁ ଖୋଲୁ ନ ଥିବା ସେ କହିଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ଆଜି ଆଣ୍ଟି ରାଗିଂ କମିଟିର ବୈଠକ ହେବ । ଉଭୟ ଦ୍ବିତୀୟ ବର୍ଷ ଓ ସିନିୟର ଛାତ୍ର ମାନେ ବୈଠକରେ ଉପସ୍ଥିତ ରହିବେ । - ଅଭିଯୋଗର ସତାସତ୍ୟ ମିଳିଲେ ରାଗିଂ କରିଥିବା ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ଡିନଙ୍କ ପକ୍ଷରୁ ସୂଚନା ମିଳିଛି।

Related story