ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ତାଙ୍କ ପରିବାରକୁ ଅପୂରଣୀୟ ଶୋକରେ ବୁଡ଼ାଇଥିବା ବେଳେ ପୂରା ଦେଶ ସ୍ତବ୍ଧ ହୋଇ ଯାଇଛି। ହତ୍ୟାକାଣ୍ଡର ବିସ୍ତୃତ ତଥ୍ୟ ଅତ୍ୟନ୍ତ ବିଚଳିତ କରିବା ଭଳି। ରାଜାଙ୍କୁ ତାଙ୍କ ପତ୍ନୀ ହନିମୁନ ଟ୍ରିପ ନାଁରେ ମେଘାଳୟ ନେଇଥିଲେ। କିନ୍ତୁ ସେଠାରେ ରାଜାଙ୍କୁ ସୋନମ ତାଙ୍କ ପ୍ରେମିକ ଓ ୩ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରତି ଦିନ ରାଜାଙ୍କ ହତ୍ୟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ମଧ୍ୟ ଆସୁଛି। ହେଲେ ଏହି ହତ୍ୟା ଘଟଣା ୨୦୦୩ ମସିହା ବେଙ୍ଗାଲୁରୁ ରିଙ୍ଗ ରୋଡ ମର୍ଡର ସ୍ମୃତିକୁ ତାଜା କରିଛି। ଧୋକାବାଜ ଶୁଭର ଭୟଙ୍କର ଷଡ଼ଯନ୍ତ୍ର କାହାଣୀ ପୁଣି ଦେଶ ମନେପକାଇଛି।
୨୦୦୩ ରିଙ୍ଗ ରୋଡ ମର୍ଡର ଓ ଧୋକାବାଜ ଶୁଭ
୨୦୦୩ ମସିହାରେ ଆଇନ ବିଭାଗର ୨୧ ବର୍ଷୀୟ ଛାତ୍ରୀ ଶୁଭ ଶଙ୍କରନାରାୟଣଙ୍କ ନିର୍ବନ୍ଧ ୨୭ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ବିଭି ଗିରିଶଙ୍କ ସହ ହୋଇଥିଲା। ସେହି ସମୟରେ ଗିରିଶ ମାସିକ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ। ଗିରିଶ ଜଣେ ସାଦାସିଧା ଯୁବକ ଥିଲେ। ତାଙ୍କ ଆଚାର ବ୍ୟବହାର ଦ୍ୱାରା ସେ ସମସ୍ତଙ୍କୁ ନିଜର କରିପାରୁଥିଲେ। ନିର୍ବନ୍ଧ ବେଳେ ତାଙ୍କ ମୁହଁରୁ ଖୁସି ବାରି ମଧ୍ୟ ହୋଇ ପଡ଼ୁଥିଲା। ଶୁଭଙ୍କୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲା। ନିର୍ବନ୍ଧର ଗୋଟିଏ ବର୍ଷ ପରେ ସେ ଓ ଶୁଭ ସାତ ଜନ୍ମର ସାଥୀ ହୋଇଥାଆନ୍ତେ। ଶୁଭ ମଧ୍ୟ ଗୋଟିଏ ଭଲ ପରିବାରର ଝିଅ। ତାଙ୍କ ବାପା ଜଣେ ପ୍ରଖ୍ୟାତ ଓକିଲ ଭାବେ ଜଣାଶୁଣା।
ନିର୍ବନ୍ଧ ବେଳେ ସବୁ କିଛି ଠିକ ଥିଲା। ହେଲେ ନଭେମ୍ବର ୩୦ ନିର୍ବନ୍ଧର ୩ ଦିନ ପରେ ଅର୍ଥାତ ଡିସେମ୍ବର ୩ରେ ଗିରିଶଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ବେଶ ଯୋଜନାବଦ୍ଧ କାର୍ଯ୍ୟକାରୀ କରିଥିଲେ ଶୁଭ।
କ’ଣ ଥିଲା ପୂରା ଘଟଣା
ବାହାଘର ପୂର୍ବରୁ ଦୁହେଁ ପରସ୍ପରକୁ ଭଲ ଭାବେ ବୁଝିବା ଦରକାର କଥା କହି ଶୁଭ ଭାବୀ ସ୍ୱାମୀ ଗିରିଶଙ୍କୁ ଗୋଟିଏ ରେଷ୍ଟୁରାଣ୍ଟକୁ ରାତ୍ର ଭୋଜନ ପାଇଁ ଡାକିଥିଲେ। ସେଠାରେ ସେମାନେ ଖାଇବା ସହ ବେଶ କିଛି ସମୟ ବିତାଇଥିଲେ। ଘରକୁ ଫେରିବା ବେଳେ ବେଶ ଚତୁରତାର ସହ ଶୁଭ ବିମାନ ଉଡ଼ାଣ ଓ ଅବତରଣ ନିକଟସ୍ଥ ହାଲ ଏୟାରପୋର୍ଟରେ ଦେଖି ବାକୁ ଚାହୁଁଥିବା ଗିରିଶଙ୍କୁ କହିଥିଲେ।
ଗିରିଶ ମଧ୍ୟ ତୁରନ୍ତ ତାଙ୍କ କଥାରେ ରାଜି ହୋଇ ଏୟାରପୋର୍ଟ ନିକଟକୁ ଶୁଭଙ୍କୁ ନେଇ ଯାଇଥିଲା। କିନ୍ତୁ ସେମାନେ ରିଙ୍ଗ ରୋଡ ପାର କରୁଥିବା ବେଳେ ଗୋଟିଏ ଅନ୍ଧାରିଆ ରାସ୍ତା ପଡ଼ିଥିଲା। ହଠାତ୍ ସେଠାରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ଗିରିଶଙ୍କୁ ପ୍ରବଳ ପିଟିଥିଲେ। ଘଟଣା ପଛରେ ଶୁଭ ଥିଲେ ହେଁ ନିଜକୁ ନିରୀହ ବୋଲି ପ୍ରମାଣିତ କରିବା ପାଇଁ ଆକ୍ରମଣର କିଛି ସମୟ ପରେ ଚିତ୍କାର କରିଥିଲେ।
ସ୍ଥାନୀୟ ଲୋକମାନେ ଚିତ୍କାର ଶୁଣି ଆସି ଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। କିନ୍ତୁ ସେତେବେଳକୁ ଗିରିଶଙ୍କ ଅବସ୍ଥା ଗୁରୁତର ହୋଇ ସାରିଥିଲା। ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗିରିଶ ହସ୍ପିଟାଲରେ ଆଖି ବୁଜିଥିଲେ।
ଗିରିଶଙ୍କ ପରିବାର ଲୋକ ପୁଲିସ୍ରେ ହତ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ହେଁ ଏନେଇ କୌଣସି ବିଧିବଦ୍ଧ ପ୍ରମାଣ ମିଳି ନଥିଲା। ଗିରିଶଙ୍କ କାହା ସହ କୌଣସି ଶତ୍ରୁତା ବା ବିବାଦ ନଥିବାରୁ ପୁଲିସ୍ର ତଦନ୍ତ ଆଗକୁ ଯାଇ ପାରି ନଥିଲା। ପୁଲିସ ଶେଷରେ ଗିରିଶ ଓ ଶୁଭଙ୍କ ନିର୍ବନ୍ଧ ବେଳର ଭିଡିଓ ଦେଖିବା ଆରମ୍ଭ କରିଥିଲା।
ଏତିକି ବେଳେ ଜଣାପଡ଼ିଥିଲା ଯେ ଗିରିଶଙ୍କ ସହ ବିବାହ କରିବାକୁ ଶୁଭ ଚାହୁଁ ନଥିଲେ। ତାଙ୍କ ମୁହଁରୁ ନିର୍ବନ୍ଧ ଦିନ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ସେ କେବଳ ଘର ଲୋକଙ୍କ ଚାପରେ ବାହା ହେବାକୁ ରାଜି ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।
ବାସ୍ ଏହାକୁ ଆଧାର କରି ପୁଲିସ ପୁଣିଥରେ ଗିରିଶ ହତ୍ୟାକାଣ୍ଡର ଫାଇଲ ଖୋଲିଥିଲା। ଶୁଭ ଦେଇଥିବା ବୟାନକୁ ଭଲ ଭାବେ ଅନୁଧ୍ୟାନ କରିଥିଲା। ଶୁଭ କହିଥିବା କାହାଣୀ ପୁଲିସ୍କୁ ସନ୍ତୁଷ୍ଟ କରି ପାରି ନଥିଲା। ଅଧିକ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଗିରିଶ ମୃତ୍ୟୁ ଦିନ ସେ ୭୩ଟି କଲ କରିଥିଲେ। ସେହିପରି ଶତାଧିକ ମେସେଜ ତାଙ୍କ କଲେଜର ଜୁନିୟର ଅରୁଣ ବର୍ମାଙ୍କ ପାଖକୁ ପଠାଇଥିଲେ।
ପୁଲିସ୍ ଅରୁଣଙ୍କୁ ଜେରା ଆରମ୍ଭ କରିଥିଲା। ପ୍ରଥମେ ସେ ଘଟଣା ଦିନ ସହର ବାହାରେ ଥିବା ପୁଲିସ୍କୁ କହିଥିଲେ। କିନ୍ତୁ ଅରୁଣ ଘଟଣା ଦିନ ଗିରିଶଙ୍କୁ ଆକ୍ରମଣ କରାଯାଇଥିବା ସ୍ଥାନରେ ଉପସ୍ଥିତ ଥିଲେ ବୋଲି ପୁଲିସ୍ ତାଙ୍କ ମୋବାଇଲ ଲୋକେସନରୁ ଜାଣିବାକୁ ପାଇଥିଲା।
ପୁଲିସ୍ ଗିରିଶ ହତ୍ୟା ଘଟଣାରେ ପ୍ରଥମେ ମୋବାଇଲ ଲୋକେସନ ଓ କଲ ରେକର୍ଡର ତଥ୍ୟ କୋର୍ଟରେ ହାଜର କରିଥିଲା। ଏଥିସହ ଶୁଭ ଓ ଅରୁଣଙ୍କୁ ଘନଘନ ଜେରା କରିଥିଲା। ଶେଷରେ ସେମାନେ ଗିରିଶଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହା ପଛର କାରଣ ଥିଲା ପ୍ରେମ।
ଅରୁଣ ଓ ଶୁଭ ପରସ୍ପରକୁ ଭଲ ପାଇଥିଲେ। କିନ୍ତୁ ଶୁଭଙ୍କ ବାପା ଏହି ସମ୍ପର୍କକୁ ଗ୍ରହଣ କରୁ ନଥିଲେ। ଶୁଭଙ୍କୁ ତାଙ୍କ ଘର ଲୋକ ଗିରିଶଙ୍କ ସହ ବାହା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିଯୋଗୁ ଶୁଭ ଓ ଅରୁଣ ମିଳିତ ଭାବେ ଗିରିଶଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ଯୋଜନା ଅନୁସାରେ ସେମାନେ ଆଉ ୨ ଜଣଙ୍କ ଟଙ୍କା ଦେଇ ନିଜ ସହ ସାମିଲ କରିଥିଲେ। ୨୦୦୨୩ ମସିହା ଡିସେମ୍ବର ୩ରେ ସେମାନେ ଗିରିଶଙ୍କୁ ରିଙ୍ଗ ରୋଡ ନିକଟରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍ ଶୁଭ ଓ ତାଙ୍କର ସହଯୋଗୀମାନଙ୍କୁ ୨୦୦୪ ମସିହା ଜାନୁଆରୀ ୨୫ରେ ଗିରଫ କରିଥିଲା।
୨୦୦୭ ଡିସେମ୍ବର ୧୯ରୁ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ୨୦୧୦ ମସିହା ଜୁଲାଇ ମାସରେ ଫାଷ୍ଟଟ୍ରାକ କୋର୍ଟ ଶୁଭ ଓ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ପ୍ରଥମେ ସମସ୍ତ ୪ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଶୁଭ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ବିରୋଧରେ ସେ କର୍ଣ୍ଣାଟକା ହାଇକୋର୍ଟରେ ଆବେଦନ କରିଥିଲେ ହେଁ ଏହା ଖାରଜ ହୋଇଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ୨୦୧୪ରେ ଶୁଭଙ୍କୁ ଜାମିନ ଦେଇଥିଲା। ଏଥିଯୋଗୁ ସେ ଏବେ ଜେଲ ବାହାରେ ରହିଛନ୍ତି।
ମେଘାଳୟରେ କ’ଣ ଘଟିଥିଲା?
ମେ’ ୧୧ରେ ରାଜାଙ୍କୁ ବାହା ହେବାର ମାତ୍ର କିଛି ଦିନ ପରେ ସୋନମ ତାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ରାଜଙ୍କ ସହ ମିଶି ଯୋଜନା କରିଥିଲେ। ବାହାଘରର ୯ ଦିନ ପରେ ସୋନମ ଓ ରାଜା ମେଘାଳୟକୁ ହନିମୁନ ଟ୍ରିପରେ ଯାଇଥିଲେ। ଦିନକ ପରେ ସେମାନେ ମେଘାଳୟର ରାଜଧାନୀ ଶିଲଂରେ ପହଞ୍ଚିଥିଲେ। ମେ’ ୨୧ ତାରିଖରେ ରାଜର ପିଲା ଦିନର ବନ୍ଧୁ ଆକାଶ, ଆନନ୍ଦ ଓ ବିକାଶ ଇନ୍ଦୋରରୁ ରାଜାଙ୍କୁ ହତ୍ୟା କରିବା ପାଇଁ ଗୁହାଟୀ ଆସିଥିଲେ। ସେଠାରୁ ସେମାନେ ଶିଲଂ ଗସ୍ତ କରିଥିଲେ। ହତ୍ୟାକାଣ୍ଡ ମେ’ ୨୩ରେ ହୋଇଥିଲା।
ଅପରାଧ ଘଟିଥିବା ସ୍ଥାନରୁ ୧୦ କିମି ଦୂରରେ ସୋନମକୁ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ରାଜାଙ୍କୁ ହତ୍ୟା କରାଯାଇ ସାରିଥିଲା। ସୋନମ ନିଜେ ହିଁ ୩ ସୁପାରୀ କିଲର୍ଙ୍କୁ ଚିତ୍କାର କରି ରାଜାଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହତ୍ୟାକାଣ୍ଡ ପରେ ସୋନମ ଓ ୩ ହତ୍ୟାକାରୀ ଘଟଣାସ୍ଥଳର ୧୧ କିମି ଦୂରରେ ଏକାଠି ହୋଇଥିଲେ।
ରାଜ ମେଘାଳୟ ଯାଇ ନଥିଲେ। କିନ୍ତୁ ସେ ନିୟମିତ ଭାବେ ସୋନମ ଯୋଗାଯୋଗରେ ଥିଲେ। ସୋନମ ସେଠାରୁ ଗୁହାଟୀ ଯାଇଥିଲେ। ଗୁହାଟୀରୁ ଟ୍ରେନ ଯୋଗେ ଇନ୍ଦୋରରେ ପହଞ୍ଚିଥିଲେ। ମେ’ ୨୫ରେ ସେ ଇନ୍ଦୋରରେ ପହଞ୍ଚି ରାଜଙ୍କୁ ଦେଖା ହୋଇଥିଲେ। ରାଜ ତାଙ୍କ ପାଇଁ ଭଡ଼ାରେ ରହିବାକୁ ଗୋଟିଏ ରୁମ ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଇ ଜଣ ଏକାଠି ରହି ନଥିଲେ। ରାଜ ନିକଟସ୍ଥ ହୋଟେଲରେ ରହିଥିଲେ।
ପରବର୍ତ୍ତୀ ଅବସ୍ଥାରେ ରାଜ ଓ ତାଙ୍କର ସହଯୋଗୀମାନେ ସୋନମଙ୍କ ପାଇଁ ଗୋଟିଏ କାରର ବ୍ୟବସ୍ଥା କରିଥିଲେ। ଉକ୍ତ କାରରେ ସେ ଉତ୍ତର ପ୍ରଦେଶ ଯାଇଥିଲେ। ଜୁନ ୮ ବିଳମ୍ବିତ ରାତିରେ ସୋନମ ବେଶ ଯୋଜନାବଦ୍ଧ ଭାବେ ନିଜେ ପୀଡ଼ିତା ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ଗାଜିପୁର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଦେହରେ ଜ୍ୱର ମଧ୍ୟ ରହିଥିଲା।
ପୁଲିସ୍ ନିକଟରେ ସୋନମ ନିଜକୁ ପୀଡ଼ିତା ଭାବେ ଚିତ୍ରିତ କରିଥିଲେ। ତାଙ୍କୁ ନିଶା ଦିଆଯାଇ ଏଠାକୁ ଅଣାଯାଇଥିବା ସେ ଦାବି କରିଥିଲେ। ସୋନମ ଏକଥା ନିଜ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ସୋମବାର ଭୋର ପ୍ରାୟ ୩ଟା ବେଳେ ସୋନମ ନିଜ ପରିବାର ଲୋକଙ୍କୁ ଫୋନ କରି ସେ ଗାଜିପୁର-ବାରାଣସୀ ରୋଡରେ ଥିବା ଗୋଟିଏ ଢାବାରେ ରହିଥିବା ଜଣାଇଥିଲେ।
ତାଙ୍କ ପରିବାର ତୁରନ୍ତ ଏସମ୍ପର୍କରେ ମଧ୍ୟପ୍ରଦେଶ ପୁଲିସ୍କୁ ଅବଗତ କରାଇଥିଲେ। ମଧ୍ୟପ୍ରଦେଶ ପୁଲିସ୍ ଉତ୍ତର ପ୍ରଦେଶ ପୁଲିସ ଓ ଉତ୍ତର ପ୍ରଦେଶ ପୁଲିସ୍ ସ୍ଥାନୀୟ ପୁଲିସ୍କୁ ଜଣାଇବାରୁ ସୋନମ ଗିରଫ ହୋଇଥିଲେ। ସେ ନିଜକୁ ପୀଡ଼ିତା ଭାବେ ସଜାଇ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଫଳ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।