/odisha-reporter/media/post_attachments/uploadimage/library/16_9/16_9_0/Accused_1707464574.jpg)
Accused
ମା’ର ଦୁଇଟି ଯାକ କିଡ଼ନୀ ଖରାପ ହୋଇ ଯାଇଥିବା ବେଳେ ସେବା ଶୁଶ୍ରୁଷା ପାଇଁ ପାଖେପାଖେ ରହୁଥିଲା ନାବାଳିକା ଝିଅ। ମେଡିକାଲରେ ମା’ ପାଖେପାଖେ ଛାଇ ହୋଇ ରହିଥିଲା ଝିଅ । ବୁଝୁଥିଲା ମା’ର ଭଲମନ୍ଦ। ମାତ୍ର କାଲି ରାତିରେ ଘଟିଲା ଅଭାବନୀୟ ଘଟଣା । ନିଜ ଅସହାୟ ମା’ ପାଇଁ ମେଡିକାଲରେ ପଡ଼ି ରହିଥିବା ନାବାଳିକା ଝିଅ ଗତକାଲି ବଳାତ୍କାର ଉଦ୍ୟମର ଶିକାର ହେଲା।
ଏପରି ଏକ ଚାଞ୍ଚଲ୍ୟକର ଘଟଣା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ନାବାଳିକାଜଣକ ଏବେ ଗୁରୁତର ଅବସ୍ଥାରେ ଉକ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାୟକଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି ।
ଗତ ବୁଧବାର ରାତିରେ ମା’ଙ୍କ ପାଇଁ ମେଡିସିନ ଆଣି ନାବାଳିକାଜଣକ ଲିଫ୍ଟରେ ୱାର୍ଡକୁ ଫେରୁଥିଲେ। ଉକ୍ତ ସମୟରେ ତାଙ୍କୁ ଏକୁଟିଆ ପାଇ ପ୍ରତାପ ତାଙ୍କ ସହ ଅଶାଳୀନ ବ୍ୟବହାର ଦେଖାଇବାକୁ ଲାଗିଲେ। ଏପରିକି ନାବାଳିକାଜଣକ ଯେତେ ପ୍ରତିବାଦ କଲେ ମଧ୍ୟ ସେ ତାହାକୁ ଖାତିର କଲେନି। ଶେଷରେ ପ୍ରତାପଙ୍କ ଆଚରଣରେ ଭୟଭୀତ ହୋଇ ପଡ଼ିଥିବା ପୀଡ଼ିତା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହାଦେଖି ପ୍ରତାପ ଘଟଣାସ୍ଥଳରୁ ଫେରାର ହୋଇଗଲେ।
ତୁରନ୍ତ ଘଟଣାସ୍ଥଳରେ ଥିବା ଅନ୍ୟମାନେ ନାବାଳିକାଙ୍କୁ ମେଡିକାଲରେ ଆଡମିଟ୍ କରିଥିବା ବେଳେ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଏନେଇ ନାବାଳିକାଙ୍କ ବାପା ନୟାଗଡ଼ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ସେ ତୁରନ୍ତ ପ୍ରତାପଙ୍କୁ ବହିଷ୍କାର ସହ ଗିରଫ କରିବାକୁ ଦାବି କରିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମେଡିକାଲ କର୍ମଚାରୀ ପ୍ରତାପଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।
ଏହି ଖବର ପ୍ରଚାରିତ ହେବା ପରେ ବିଜେପିର ଏକ ଟିମ୍ ଆଜି ନୟାଗଡ଼ ମେଡିକାଲରେ ପହଞ୍ଚି ପୀଡ଼ିତାଙ୍କୁ ଭେଟିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ସିଡିଏମ୍ଓଙ୍କୁ ଦାବିପତ୍ର ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
