Advertisment

ଷ୍ଟ୍ରେଚରରେ କୋର୍ଟ ଆସିଲେ; ଆଉ ଲୁହ ଭିଜା ଆଖିରେ ବଖାଣିଲେ ବର୍ଷକର ଯନ୍ତ୍ରଣା

ରଶ୍ମୀତାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଟିକେ ଟିକେ କଥାରେ ତାଙ୍କ ଉପରେ ହେଉଥିଲା ମାଡ଼। ନିର୍ଯାତନା ନେଇ ରଶ୍ମୀତା ଫୋନ୍‌ କରି ବାପଘର ଲୋକଙ୍କୁ କହୁଥିଲେ। ହେଲେ ଅସହାୟ ବାପଘର ଲୋକ।

Rasmita

Rasmita

Advertisment

ସୁଖର ସଉଦା କରିବା ପାଇଁ ବଧୂ ବେଶରେ ଯାଇଥିଲେ ଶାଶୂଘର। ହେଲେ ସମୟ ଚକ୍ରରେ ଛନ୍ଦି ହୋଇ ପଡ଼ିଲେ। ସେଥିରୁ ବାହାରିପାରିଲେ ନାହିଁ। ଯେଉଁ ସିନ୍ଦୂରକୁ ସିନ୍ଥିରେ ପିନ୍ଧିବା ପାଇଁ ଜିଦ୍‌ ଧରିଥିଲେ, ସିଏ ଆଜି ତାଙ୍କୁ ଷ୍ଟ୍ରେଚରରେ ଶୁଆଇଦେଲା। ବର୍ଷକର ଯନ୍ତ୍ରଣାକୁ ଆସି ସିଭିଲ୍‌ କୋର୍ଟରେ ବଖାଣିଲେ ରଶ୍ମୀତା ପାଣିଗ୍ରାହୀ। ଆଉ ସେହି ସକାଳ ଲୋମ ଟାଙ୍କୁରା ଦୃଶ୍ୟକୁ ବଖାଣିଲା ବେଳେ ଗୁଣୁପୁର ସିଭିଲ୍‌ ଜଜ୍‌ଙ୍କ କୋର୍ଟ ସ୍ତବ୍ଧ ହୋଇଯାଇଥିଲା।

Advertisment

ଗୁଣୁପୁର ଜଗନ୍ନାଥ ନଗରର ରଶ୍ମୀତା ପାଣିଗ୍ରାହୀଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ ପଦ୍ମପୁର ଗାଁର ରାମଚନ୍ଦ୍ର ପାଢ଼ୀ। ବୈଦିକ ରୀତିନୀତିରେ ହୋଇଥିଲା ବିହାଘର। ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ବାହାଘର ପରେ ବାପଘର ଛାଡ଼ି ବଧୂ ବେଶରେ ଶାଶୂ ଘରକୁ ଚାଲି ଯାଇଥିଲେ ରଶ୍ମୀତା। ନୂଆକରି ଜୀବନ ଆରମ୍ଭ କଲେ। ବେଶ୍‌ ହସଖୁସିରେ ଗଡ଼ୁଥିଲା ସଂସାର ରଥ। ବାହାଘର ପ୍ରାୟ ଦୁଇ ବର୍ଷ ପରେ ରଶ୍ମୀତାଙ୍କ ହସଖୁସିର ସଂସାରରେ ଲାଗିଲା ନିଆଁ।

ରଶ୍ମୀତାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତନା। ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଟିକେ ଟିକେ କଥାରେ ତାଙ୍କ ଉପରେ ହେଉଥିଲା ମାଡ଼। ନିର୍ଯାତନା ନେଇ ରଶ୍ମୀତା ଫୋନ୍‌ କରି ବାପଘର ଲୋକଙ୍କୁ କହୁଥିଲେ। ହେଲେ ଅସହାୟ ବାପଘର ଲୋକ। କଣ ବା କରିପାରିବେ? ସେମାନେ କେବଳ ବୁଝାଇ ଛାଡ଼ି ଦେଇଯାଉଥିଲେ। ଏପାଖରେ ଶାଶୂ ଘର ଲୋକଙ୍କ ନିର୍ଯାତନା, ସେପାଖରେ ବାପଘର ଲୋକଙ୍କ ଅସହାୟତା। ସବୁ ସହି ଚୁପ୍‌ ରହିଯାଉଥିଲେ ରଶ୍ମୀତା।

Advertisment

୨୦୨୨ ଅକ୍ଟୋବର ୨୮ତାରିଖ। ସେ ଦିନ ଥିଲା ରଶ୍ମୀତାଙ୍କ ପାଇଁ କାଳଦିନ। ପ୍ରଥମ ଥର ପାଇଁ ସ୍ୱାମୀ ରାମଚନ୍ଦ୍ର ଓ ଦେଢ଼ଶୁର ଗିରିଧାରୀ ପାଢ଼ୀଙ୍କର ଭୟଙ୍କର ରୂପ ଦେଖିଥିଲେ। ଜୀବନରେ ସେ କେବେ ଭାବିନଥିଲେ, ଯାହାଙ୍କ ହାତ ଧରି ଘର ସଂସାର ଗଢ଼ିଥିଲେ, ସିଏ ଏତେ ନିଷ୍ଠୁର ହୋଇପାରିବ ବୋଲି? ରଶ୍ମୀତାଙ୍କ ଉପରେ କିରାସିନି ଢ଼ିଳିଦେଲେ ସ୍ୱାମୀ ରାମଚନ୍ଦ୍ର। ଆଉ ପାଖରେ ଠିଆ ହୋଇଥିବା ଦେଢ଼ଶୁର, ତାଙ୍କ ଦେହରେ ଦିଆସିଲ୍‌ ମାରିଦେଇଥିଲେ।

ହୁତୁ ହୁତୁ ହୋଇ ଜଳୁଥିଲେ ରଶ୍ମୀତା। ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ...। ସବୁ ଦେଖିଥିଲେ ସ୍ୱାମୀ ରାମଚନ୍ଦ୍ର। ଜଳୁଥିବା ଅବସ୍ଥାରେ ରଶ୍ମୀତା ଘରୁ ବାହାରକୁ ପଳାଇ ଯାଇଥିଲେ। ସାହିଭାଇ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ରଶ୍ମୀତାଙ୍କ ଶରୀରରେ ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି, ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଥିଲା।

ରଶ୍ମୀତାଙ୍କ ପରିବାର ଲୋକେ ଏନେଇ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ରଶ୍ମୀତା ସ୍ୱାମୀ ରାମଚନ୍ଦ୍ର ଓ ଦେଢ଼ଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲ୍‌ରେ କିଛି ମାସ ରହିବା ପରେ ୨୦୨୨ ମସିହା ଡିସେମ୍ବର ୮ ତାରିଖରେ ୨୦୨୨ରେ ଦେଢଶୁର ଓ ୨୦୨୩ ନଭେମ୍ବର ୧୦ ତାରିଖରେ ରାମଚନ୍ଦ୍ର ଜେଲ୍‌ରୁ ବାହାରିଥିଲେ।

ସେପଟେ କଟକ ଏସ୍‌ସିବିରେ ଚାଲିଥିଲା ରଶ୍ମୀତା ଚିକିତ୍ସା। ବର୍ଷେରୁ ଅଧିକ ସମୟ ଧରି ଚିକିତ୍ସା ପରେ ଡିସ୍‌ଚାର୍ଜ ହୋଇ ବାପଘର ଗୁଣୁପୁରକୁ ଫେରିଛନ୍ତି ରଶ୍ମୀତା। ଚିକିତ୍ସା ବିଜ୍ଞାନରୁ ନୂଆ ଜୀବନ ପାଇଲେ। ହେଲେ ହାତ, ଗୋଡ଼, ମୁହଁ ପୋଡ଼ି ଯାଇଛି। ବର୍ତ୍ତମାନ ଠିକ୍‌ରେ କଥା ହୋଇପାରୁ ନାହାନ୍ତି ରଶ୍ମୀତା। ଚାଲିବା ତ ଦୂରର କଥା। ଏହା ସତ୍ତ୍ୱେ ସେ କୋର୍ଟ ଆସିଥିଲେ। ଆଉ ବଖାଣିଥିଲେ ସେ ଦିନର ଯନ୍ତ୍ରଣାଦାୟକ ଚିତ୍ର।

ଚାଲିପାରୁ ନଥିବାରୁ ରଶ୍ମୀତାଙ୍କୁ ଗୁରୁବାର ଆମ୍ୱୁଲାନ୍ସରେ ଗୁଣୁପୁର ସିଭିଲ୍‌ ଜଜଙ୍କ କୋର୍ଟକୁ ନିଆଯାଇଥିଲା। ଆମ୍ୱୁଲାନ୍ସରୁ ତାଙ୍କୁ ଷ୍ଟ୍ରେଚରରେ କୋର୍ଟ ଭିତରକୁ ନିଆଯାଇଥିଲା। ସକାଳ ପ୍ରାୟ ୯ଟାରୁ ଆରମ୍ଭ ହେଲା ବୟାନ୍‌ ରେକର୍ଡ। ଠିକ୍‌ ଭାବେ କହିପାରୁନଥିଲେ ମଧ୍ୟ ଥଙ୍ଗେଇ ଥଙ୍ଗେଇ ସିଭିଲ ଜଜ୍ ସନ୍ତୋଷ କୁମାର ମହାପାତ୍ରଙ୍କ ଆଗରେ ବଖାଣିଥିଲେ ପୂରା ଘଟଣା। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସରିଥିଲା ବୟାନ୍‌ ରେକର୍ଡ। ବିଚାରପତି ସବୁ କଥା ଶୁଣିବା ପରେ ରାୟ ସଂରକ୍ଷିତ କରି ରଖିଛନ୍ତି।

ରିପୋର୍ଟ-ଗୁଣୁପୁରରୁ ରାକେଶ କୁମାର ପାଢ଼ୀ

Crime Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe