Advertisment

ମହିଳା ASIଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍‌ପେନ୍ସ; ସ୍ୱାମୀ ଆଣିଲେ ହତ୍ୟା ଅଭିଯୋଗ

ଏଏସଆଇଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
police Asi

police Asi

ରାଉରକେଲା ଉଦିତ ନଗର ଥାନା ଏଏସଆଇ ଆଲିଶା ନରମି ଲୁଗୁନଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। କେମିତି ତାଙ୍କର ମୃତ୍ୟୁ ହେଲା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଉଦିତ ନଗର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment

ଏଏସଆଇ ଲୁଗୁନଙ୍କ ନାଁରେ ମୃତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ସୁସ୍ମିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଏଫ୍‌ଆଇଆର କପିରେ ଲେଖିଥିଲେ। ଆଉ ତା’ପରେ ହଠାତ୍ ଏଏସଆଇ ଆଲିଶା ନରମି ଲୁଗୁନଙ୍କ ମୃତ୍ୟୁ ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ମୋ ସ୍ତ୍ରୀ ବିଷୟରେ ଖବର ପାଇ ଡାକ୍ତରାଖାନା ଯାଇଥିଲି। ସେଠାରେ ମୋତେ କହିଲେ ମାଡାମ୍‌ ଆଉ ନାହାନ୍ତି। ମୁଁ ଦେଖିଲାବେଳକୁ ମୋ ସ୍ତ୍ରୀର ଗୋଟିଏ ସାଇଟ୍‌ ଗାଲ ଫୁଲି ଯାଇଥିଲା ଓ ପାଟିରୁ ରକ୍ତ ବାହାରୁଥିଲା। ମୋ ସ୍ତ୍ରୀକୁ ମାଡ଼ ମରାଯାଇଛି। ମୁଁ ଏହି ଫଟୋ ପୁଲିସ ଏସ୍‌ଆଇଙ୍କୁ ଦେଖାଇଛି। ମୋ ସ୍ତ୍ରୀକୁ ଯେ ମାରିଛି ତାକୁ ଗିରଫ କରାଯାଉ ଓ ତାକୁ ଫାଶି ଦିଆଯାଉ।

Advertisment

ଗତକାଲି ସନ୍ଧ୍ୟାରେ ରାଉରକେଲା ରିଙ୍ଗରୋଡରେ ଏକ ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । ଏହାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ଏଏସଆଇ ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ସେହିଦିନ ଏଡିଏମ୍‌ ଅଫିସରେ ଏକ ବୈଠକ ମଧ୍ୟ ଥିଲା। ତେଣୁ ସେ ସକାଳୁ ଅଫିସ ଆସି ସଂଧ୍ୟାରେ ଆଉ ଫେରିନଥିଲେ। ଏକ ହୋଟେଲରେ ଯାଇ ରହିଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ଉଦିତ ନଗର ଏସ୍‌ଆଇ ନିର୍ଦ୍ଦେଶକ୍ରମେ ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକଙ୍କୁ ଉକ୍ତ ହୋଟେଲକୁ ନେଇ ଯାଇଥିଲେ ଏଏସ୍‌ଆଇ ଲଗୁନୁ। ସେଠାରେ ସୁସ୍ମିତାଙ୍କୁ ପରିବାର ଲୋକ ଘରକୁ ଫେରିଯିବାକୁ ବୁଝାଇଥିଲେ। ହେଲେ ସୁସ୍ମିତା ବୁଝି ନଥିଲେ କି ଘରକୁ ଯାଇ ନଥିଲେ। ପରେ ପରିବାର ଲୋକେ ଫେରି ଆସି ଉଦିତ ନଗର ଥାନା ଏସଆଇଙ୍କୁ ଭେଟିଥିଲେ।

ଝିଅର ସୁରକ୍ଷା ଦାୟିତ୍ୱ ଜଣେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଉ ବୋଲି ସେମାନେ ଏସ୍‌ଆଇଙ୍କୁ କହିଥିଲେ। ତେଣୁ ସେ ଏଏସଆଇ ଲଗୁନୁଙ୍କୁ ସୁସ୍ମିତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବାକୁ କହିଥିଲେ। ହେଲେ ଲଗୁନୁ ରାଜି ହୋଇ ନଥିଲେ। ଘରେ ଦୁଇଟି ଛୋଟ ଛୁଆ ଥିବାରୁ ସେ ହୋଟେଲରେ ଯାଇ ରହିପାରବିନି ବୋଲି କହିଥିଲେ। ପରେ ଏସ୍‌ଆଇ ତାଙ୍କୁ ସୁସ୍ମିତାଙ୍କ ଉପରେ ନଜର ରଖିବାକୁ କହିଥିଲେ।

୧୯ ତାରିଖରେ ସୁସ୍ମିତାଙ୍କ ମୃତଦେହ ପାର୍କରୁ ମିଳିଥିଲା। ସୁସ୍ମିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଉଦିତ ନଗର ଥାନାରେ ଏଫ୍‌ଆଇଆର ଦେଇଥିଲେ। ସୁସ୍ମିତାଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ଓ ଏଡିଏମ ଦାୟୀ ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହି ଏଫ୍‌ଆଇଆର କପିରେ ASI ଲଗୁନୁଙ୍କ ନାଁ ଥିଲା। 

Odisha Police Rourkela