Advertisment

ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗିରଫ

ପ୍ରଦୀପ ପ୍ରଧାନ ‘ମୋ ଦଳ’ର ସମ୍ପାଦକ ମଧ୍ୟ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Pradeep Pradhan

Pradeep Pradhan

ସୂଚନା ଅଧିକାର କର୍ମୀ ତଥା ‘ମୋ ଦଳ’ର ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ଆଜି ଗିରଫ କରିଛି ପୁଲିସ୍। ଭୁବନେଶ୍ୱର ମହିଳା ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। 

Advertisment

ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଜୋନ୍ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। 

ମାମଲାଟି କ’ଣ?

୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେଣୁ ତାଙ୍କୁ ସୋଶାଲ ମିଡିଆରେ ସମାଲୋଚନା କରାଯାଉଥିଲା। ସେହି ସମୟରେ ଏକ ଡିଜିଟାଲ ମିଡିଆ ମଧ୍ୟ ଦୂତିଙ୍କ ପ୍ରଦର୍ଶନକୁ ନେଇ ଖବର ପ୍ରସାରଣ କରିଥିଲା। ଏହି ଖବରକୁ ଉକ୍ତ ଡିଜିଟାଲ ମିଡିଆ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯିବା ପରେ ପ୍ରଦୀପ ପ୍ରଧାନ ତାକୁ ଶେଆର କରିଥିଲେ। 

Advertisment

ଉକ୍ତ ଡିଜିଟାଲ ମିଡିଆ ଯେଉଁ ଖବର ପ୍ରସାରଣ କରିଥିଲା, ସେଥିରେ ଦୂତି ଚାନ୍ଦ ଅପମାନିତ ହୋଇଥିଲେ ତଥା ମାନସିକ ଆଘାତ ପାଇଥିଲେ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ଡିଜିଟାଲ୍ ମିଡିଆର ସଂପାଦକଙ୍କ ନାଁରେ ମାନସିକ ନିର୍ଯାତନା ଓ ବ୍ଲାକମେଲିଂ ଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ସେତେବେଳେ ସେ ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

ଦୂତିଙ୍କ ଏତଲା ଆଧାରରେ ଉକ୍ତ ଡିଜିଟାଲ ମିଡିଆର ସମ୍ପାଦକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇ ନଥିଲା। ଏହି ମାମଲାକୁ ନେଇ ପ୍ରଦୀପ ପ୍ରଧାନ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଜାମିନ ଦେଇ ନଥିଲେ। ତଳ କୋର୍ଟକୁ ଯାଇ ବିଚାର ପ୍ରକ୍ରିୟାରେ ସାମିଲ ହେବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଯାହା ସୂଚନା ମିଳିଛି, ତା’ ମଧ୍ୟରେ ଦୂତି ଚାନ୍ଦ ମାମଲାଟିକୁ ଉଠାଇ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରଦୀପ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ କହି ଗତ ଅଗଷ୍ଟ ମାସରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ହାଇକୋର୍ଟ ପୁଲିସ୍‌କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗତ ଅଗଷ୍ଟ ମାସରୁ ଚୁପ୍ ବସିଥିଲା ପୁଲିସ୍। 

ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଅନେକ ସମୟରେ ସାମ୍ବାଦିକ ସମ୍ମିଳନୀ ଡାକି ବିଭିନ୍ନ ତଥ୍ୟ ରଖନ୍ତି ପ୍ରଦୀପ ପ୍ରଧାନ। ଗତକାଲି ମଧ୍ୟ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବିରୋଧରେ କିଛି ତଥ୍ୟ ରଖିଥିଲେ। ଆଉ ତା’ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ତେଣୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଛି।

ସୂଚନା ଅଧିକାର କର୍ମୀମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ହାଇକୋର୍ଟ ପୁଲିସ୍‌କୁ ପ୍ରଦୀପ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ତା’ହେଲେ ପୁଲିସ୍ ଗତ ଦୁଇ ମାସ ହେଲାଣି କ’ଣ କରୁଥିଲା? କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିଲା? ଯେହେତୁ ପ୍ରଦୀପ ପ୍ରଧାନ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲି ଚାଲିଛନ୍ତି, ତେଣୁ ତାଙ୍କ ପାଟି ବନ୍ଦ କରିବା ପାଇଁ ଓ ଲୋକଙ୍କୁ ଭୟଭୀତ କରିବା ପାଇଁ ତାଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି। 

Police RTI Pradeep Pradhan