Advertisment

୫ ଦିନ ହେଲା ଧନୁ-ତୀର ଧରି ସ୍କୁଲକୁ ନିଜ କବଜାକୁ ନେଇ ୧୦୦ କୋଟି ମାଗିଥିବା ବ୍ୟକ୍ତି ଗିରଫ

ଆଜି ସେ ୮ରୁ ୧୦ ପୃଷ୍ଠା କାଗଜରେ ତାଙ୍କ ଦାବିଗୁଡ଼ିକୁ ଲେଖି ଦଉଡ଼ି ସାହାଯ୍ୟରେ କୋଠା ତଳକୁ ପକାଇଥିଲେ।

ଅଦ୍ୟତନ ହୋଇଛି
Dana singh munda

Dana singh munda

Advertisment

ଧନୁ-ତୀର ଧରି ୫ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଲାଇଥିବା ବ୍ୟକ୍ତିଙ୍କୁ ଆଜି କାବୁ କରିବାରେ ସଫଳ ହୋଇଛି ପୁଲିସ୍‌। ଏଥିରେ ପୁଲିସକୁ ସହଯୋଗ କରିଥିଲେ ଅଗ୍ନିଶମ ବାହିନୀ ଓ ଡିଭିଏଫ୍‌। ଲୁହା ଓ ଷ୍ଟିଲ କବାଟକୁ ଢାଲ ବନାଇ ତାଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ ସୁରକ୍ଷା କର୍ମୀ। ଗିରଫ ବ୍ୟକ୍ତିଙ୍କ ନାଁ ଧନ ସିଂ ମୁଣ୍ଡା। ତାଙ୍କ ଘର ବଡ଼ଜଲର ପିଣ୍ଡିକା ସାହିରେ। 

Advertisment

ଏହି ଘଟଣା ଆରମ୍ଭ ହୋଇଥିଲା ଗତ ଶନିବାରଠାରୁ। ସେହି ଦିନ ଅପରାହ୍ନ ପ୍ରାୟ ୪ଟା ବେଳେ ସ୍କୁଲ କୋଠାକୁ ଯାଇଥିଲେ ଧନ ସିଂ ମୁଣ୍ଡା। ସେତେବେଳକୁ ସ୍କୁଲ ଛୁଟି ହୋଇସାରିଥିଲା। ସେ ହାତରେ ବାଟୁଳି, ଧନୁ-ତୀର ଓ ଅନ୍ୟ କିଛି ମାରଣାସ୍ତ୍ର ଧରି ଯାଇଥିଲେ। ତା’ ପର ଦିନ ଅର୍ଥାତ୍ ରବିବାର ସକାଳୁ ଆରମ୍ଭ ହୋଇଥିଲା ତାଙ୍କ ଆତଙ୍କରାଜ। ରବିବାର ସକାଳେ ଜଣେ ଠିକାଦାର କିଛି ଲୋକ ନେଇ ସ୍କୁଲ ପରିସରରେ କାମ କରିବାକୁ ଆସିଥିଲେ। ସେମାନଙ୍କୁ ବାଟୁଳି ଓ ଧନୁ-ତୀରରେ ଆକ୍ରମଣ କରିଥିଲେ ଧନ ସିଂ ମୁଣ୍ଡା। ଏହା ଦେଖି ସେମାନେ ସ୍କୁଲର ପ୍ରଧାନ ଶିକ୍ଷକ ଜଣାଇଥିଲେ।ପ୍ରଧାନ ଶିକ୍ଷକ ସ୍କୁଲ ପରିସରକୁ ଆସି ଧନ ସିଂ ମୁଣ୍ଡା ସହିତ କଥା ହେବାକୁ ପ୍ରୟାସ କରିଥିଲେ। ହେଲେ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବାଟୁଳି ଆକ୍ରମଣରେ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତେଣୁ ସେ ସେଠାରୁ ଚାଲିଯାଇ ମହୁଲିପଦା ଥାନାରେ ଏତଲା ଦେଇଥିଲେ।

ସୋମବାର ସ୍କୁଲକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ଆସିଥିଲେ। ହେଲେ କାହାକୁ ଭିତରେ ପୂରାଇ ଦେଇ ନଥିଲେ ଧନ ସିଂ ମୁଣ୍ଡା। ସେଦିନ ପୁଲିସ୍ ଆସିଥିଲା। କିନ୍ତୁ ଅଳ୍ପ ପୁଲିସ୍ କର୍ମଚାରୀ ଆସିଥିଲେ। ଧନ ସିଂ ମୁଣ୍ଡାର ଉତ୍ପାତ ଦେଖି ସେମାନେ ପଳାଇଥିଲେ। ତା’ପର ଦିନ ଅର୍ଥାତ୍ ଗତକାଲି (ମଙ୍ଗଳବାର) ମହୁଲପଦା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଆସି ତାଙ୍କୁ ଧରିବାକୁ ପ୍ରୟାସ କରିଥିଲେ। ପୁଲିସକୁ ଦେଖି ଆକ୍ରମଣ କରିଥିଲେ ଧନ ସିଂ ମୁଣ୍ଡା। ତାଙ୍କ ତୀରମାଡ଼ରେ ଆହତ ହୋଇଥିଲେ ମହୁଳିପଦା ଆଇଆଇସି। ତାଙ୍କ ହାତରେ ତୀର ବାଜିଥିଲା। ସେହିପରି ଆଉ ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

Advertisment

ପରେ ବଣାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଧନ ସିଂ ମୁଣ୍ଡାଙ୍କୁ ଧରିବାକୁ ଆରମ୍ଭ ହୋଇଥିଲା ଅପରେସନ। ସଶସ୍ତ୍ର ପୁଲିସ, ସନ୍ଧାନୀ କୁକୁର, ଅଗ୍ନିଶମ ବାହୀନି ଓ ଡିଭିଏଫ୍‌ଙ୍କ ସହାୟତାରେ କରାଯାଇଥିଲା ଅପରେସନ। ତଥାପି ଗତକାଲି ପୁଲିସକୁ ସଫଳତା ମିଳି ନଥିଲା। ଆଜି ଦିନ ସାରା ମଧ୍ୟ ସଫୂତା ମିଳି ନଥିଲା ପୁଲିସକୁ। ଶେଷରେ ଅପରାହ୍ନରେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ। ତେବେ ସେ କେଉଁ ଉଦ୍ଦେଶ୍ୟ ରଖି ଏହି କାଣ୍ଡ କରିଥିଲେ, ତାହା ପଚରାଉଚରା ପରେ ଜଣାପଡ଼ିବ ବୋଲି ବଣାଇ ଏସ୍‌ଡିପିଓ କହିଛନ୍ତି। 

୫ ଦିନ ଧରି ସ୍କୁଲକୁ କବଜା କରି ରଖିବା ପରେ ଆଜି ଧନ ସିଂ ମୁଣ୍ତା ତାଙ୍କ ଦାବି ଜଣାଇଥିଲେ। ସେ ୮/୧୦ ପୃଷ୍ଠାର ଲେଖା ଦଉଡ଼ି ସାହାଯ୍ୟରେ କୋଠା ତଳକୁ ପକାଇଥିଲେ। ସେଥିରେ ସେ ତାଙ୍କ ଘର ଭାଙ୍ଗି ଯାଇଥିବା କଥା ଲେଖିଥିଲେ। ଘର କରିବା ସହିତ ନଳକୂଅ, ଘର ଚାରିପଟେ ପାଚେରୀ ଆଦି କରିବେ ବୋଲି କହିଥିଲେ। ସୋଲାର ମେସିନ ସହିତ ବାଡ଼ିରେ ଚାଷ ପାଇଁ ବ୍ୟବସ୍ଥା କରିବାକୁ ଚାହୁଁଥିବା କହିଥିଲେ। ତାଙ୍କୁ ୧୦୦ କୋଟି ଟଙ୍କା ଦେବାକୁ ସେ ଦାବି କରିଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe