ସାହୁ ବ୍ରଦର୍ସଙ୍କ କଳାଟଙ୍କା
ଝାଡ଼ଖଣ୍ଡର ସାହୁ ବ୍ରଦର୍ସଙ୍କ ଓଡ଼ିଶାରେ ମଦ କାରବାର ଓ ଗଚ୍ଛିତ କଳାଟଙ୍କା ପାଇଁ ବିଜେଡି ସରକାରଙ୍କୁ ଦୋଷ ଦେଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ସବଡିଭିଜନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଭୂମିକାକୁ ନେଇ କଡା ଭାଷାରେ ବର୍ଷିଛି। କଂଗ୍ରେସ ମଧ୍ୟ ଅନୁରୂପ ଭାବେ ବିଜେଡି ‘ଯାଦୁଆ ବିକ୍ରି କରୁଛି ଯାଦୁ ମଲମ’ ବୋଲି କହି ସମାଲୋଚନା କରିବାକୁ ପଛାଇ ନାହିଁ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ସବଡିଭିଜନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ଓଡ଼ିଶାର ଖଣି ଓ ଚିଟଫଣ୍ଡ ଟଙ୍କାକୁ ଅଣଓଡ଼ିଆ ବ୍ୟବସାୟୀମାନେ ଲୁଟ୍ କରିଥିଲେ। ଏବେ ଅଣଓଡ଼ିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି ଅଥଚ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ମଦନୀତି ଯୋଗୁଁ ବିନା ନିଲାମୀରେ ନିର୍ଦ୍ଦିଷ୍ଟ "ସାହୁ ବ୍ରଦର୍ସ ଆଣ୍ଡ କୋ’ଙ୍କୁ ୨୩ବର୍ଷ ହେଲା ବିଜେଡି ସରକାର ମଦ ବେପାର ଦେଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।
ଆଜି ସମସ୍ତ ସବ୍ଡିଭିଜନରେ ମଦ ଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଟକ ଓ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶପୁତଳିକା ଦାହ କରାଯାଇଥିଲା। ବିଜେଡି ନେତାଙ୍କ ସହ ଏହି ମଦ ସମ୍ରାଟ "ସାହୁ ବ୍ରଦର୍ସ ଆଣ୍ଡ କୋ’ର ସମ୍ପର୍କ କଣ? ସେମାନଙ୍କ ପାଖରେ ବିଜେଡିର ନିର୍ବାଚନୀ ଅର୍ଥ ରଖାଯାଇଥିଲା କି? ନହେଲେ ନିର୍ବାଚନର ଠିକ ପୂର୍ବରୁ ୫୦୦ କୋଟିର ନଗଦ ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ? କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟକୁ ବିଜେଡି ସରକାର ସଂରକ୍ଷଣ ଦେଉଥିଲେ ବୋଲି କହିଛି ବିଜେପି। ଏହି ଧୀରଜ ସାହୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ବେଶ ଘନିଷ୍ଠ ଓ 'ଭାରତ ଯୋଡ଼' ଯାତ୍ରାରେ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ। ବିଜେଡି ଓ କଂଗ୍ରେସ ସାଥୀ ହୋଇ ଓଡ଼ିଶାକୁ ଲୁଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜୁ ଜନତା ଦଳ ସରକାରର ଜନ ବିରୋଧୀ ନୀତି ପାଇଁ ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଏଭଳି ପାପ କାମ ବେଶି ଦିନ ଚାଲିପାରିବ ନାହିଁ ବୋଲି ବିଜେପି ସତର୍କ କରାଇ ଦେଇଛି।
ଅନ୍ୟପକ୍ଷରେ ଆୟକର ଚଢ଼ଉରେ ମଦ ବ୍ୟବସାୟୀଙ୍କଠୁ ଜବତ ହୋଇଥିବା ୩୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଘଟଣାରେ ବିଜେଡିର ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କଂଗ୍ରେସ କହିଛି। ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ବିଜେଡି ଯାହା ଅଭିଯୋଗ କରୁଛି ତାହା ଯାଦୁଆର ଯାଦୁ ମଲମ ବିକ୍ରି ସଦୃଶ। ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଓ ଚିଟ୍ଫଣ୍ଡ ଦୁର୍ନୀତି ସିବିଆଇ ତଦନ୍ତ ରାଜ୍ୟରେ କାହିଁକି ଓ କାହା ଇଙ୍ଗିତିରେ ଶିଥିଳ ପଡ଼ିଛି। ଏଥିରେ କିଏ କାହାକୁ ସାହାଯ୍ୟ କରୁଛି ରାଜ୍ୟବାସୀଙ୍କୁ ସବୁ ଜଣା। ଚକାଆଖି ସବୁ ଦେଖୁଛି। ତେଣୁ ବିଜେଡି ଏଭଳି ହାଲକା ମନ୍ତବ୍ୟ ଦେଇ ଲୋକହସା ଅପେକ୍ଷା ସତକୁ ପରଖି ନେବା ଉଚିତ୍ ବୋଲି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1702312195.jpg)