Advertisment

ସମିତି ସଭ୍ୟାଙ୍କ କାରନାମା; ନୀରିହ ମହିଳାଙ୍କୁ ଫସାଇ ଲୁଟି ନେଲେ ୧୧ ଲକ୍ଷ

ପ୍ରଥମେ ପ୍ରଥମେ ଉମାରାଣୀ ନିୟମିତ ଭାବେ ଟଙ୍କା ଶୁଝୁଥିବା ବେଳେ ପ୍ରାୟ ୪ ଲକ୍ଷ ଟଙ୍କା ଶୁଝି ସାରିଛନ୍ତି। ମାତ୍ର ଏହାପରେ ସେ ଆଉ ମହିଳାମାନଙ୍କୁ ଧରାଛୁଆଁ ଦେଉ ନାହାନ୍ତି। ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି ଫେରାର ଅଛନ୍ତି।

author-image
Niharika Rout
Complaint

Complaint

ସମିତି ସଭ୍ୟାଙ୍କ କଳାକାରନାମା। ଗାଁର ନିରୀହ ମହିଳାଙ୍କୁ ଲଗାଇ ଦେଲେ ଚୁନ । ମୋତେ ସାହାଯ୍ୟ କର, ମୁଁ ତୁମମାନଙ୍କ କଥା ବୁଝିବି ବୋଲି କହି ବୁଲାଇଲେ କଳା କନା। ଗାଁର ବହୁ ମହିଳାଙ୍କୁ ମିଠା କଥାରେ ଫସାଇ ସେମାନଙ୍କଠୁ ୧୧ ଲକ୍ଷ ନେଇ ଫେରାର ହୋଇ ଯାଇଛନ୍ତି ସମିତି ସଭ୍ୟା ଓ ତାଙ୍କ ସ୍ୱାମୀ ।

Advertisment

ସମିତିସଭ୍ୟାଙ୍କ ଦ୍ୱାରା ଏପରି ଠକାମୀର ଶିକାର ହୋଇଥିବା ମହିଳାଙ୍କୁ ଏବେ ନାଲି ଆଖି ଦେଖାଉଛନ୍ତି ଫାଇନାନ୍ସ କର୍ମଚାରୀ । ଫଳରେ ଉଭୟ ପଟୁ ଫସି ଯାଇଥିବା ମହିଳାମାନେ ଏଥିରୁ ମୁକୁଳିବାକୁ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଏକ ଘଟଣା ଯାଜପୁର ଜିଲ୍ଲା କାଳିଆପାଣି ଥାନା କୁସୁମୁଣ୍ଡିଆ ଅଞ୍ଚଳରେ ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ସ୍ଥାନୀୟ ରାଁସୋଳ ଗ୍ରାମପଞ୍ଚାୟତର ସମିତି ସଭ୍ୟା ଉମାରାଣୀ ପ୍ରଧାନ ଗତଥର ନିର୍ବାଚନ ଲଢ଼ିଥିଲେ । ଉକ୍ତ ସମୟରେ କୁସୁମୁଣ୍ଡିଆ ଗ୍ରାମର କିଛି ମହିଳାଙ୍କୁ ପ୍ରଲୋଭିତ କରିବାକୁ ସକ୍ଷମ ହୋଇଥିଲେ। ଉମାରାଣୀଙ୍କ କଥାରେ ଫସି ୧୪ ମହିଳା ନିଜ ନିଜ ନାଁରେ ବିଭିନ୍ନ ଫାଇନାନ୍ସ କମ୍ପାନୀଠୁ ଲୋନ୍‌ କରି ତାଙ୍କୁ ଦେଇଥିଲେ। ଏପରି ଭାବେ ଉମାରାଣୀ ସମୁଦାୟ ୧୧ ଲକ୍ଷ ଟଙ୍କା ନେଇ ଯାଇଥିବା ବେଳେ ଖୁବ୍‌ ଶୀଘ୍ର ଶୁଝିଦେବେ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ।

Advertisment

ପ୍ରଥମେ ପ୍ରଥମେ ଉମାରାଣୀ ନିୟମିତ ଭାବେ ଟଙ୍କା ଶୁଝୁଥିବା ବେଳେ ପ୍ରାୟ ୪ ଲକ୍ଷ ଟଙ୍କା ଶୁଝି ସାରିଛନ୍ତି। ମାତ୍ର ଏହାପରେ ସେ ଆଉ ମହିଳାମାନଙ୍କୁ ଧରାଛୁଆଁ ଦେଉ ନାହାନ୍ତି। ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି ଫେରାର ଅଛନ୍ତି।

ଉତ୍ତ୍ୟକ୍ତ ମହିଳାମାନେ ଉମାରାଣୀଙ୍କ ଘରକୁ ଯାଇ ପାଟିଗୋଳ କରିବାରୁ ତାଙ୍କ ସ୍ୱାମୀ ଆସି କିଛି ଟଙ୍କା ଫୋନପେ’ କରିଥିଲେ। ମାତ୍ର ଏହାପରେ ସେମାନେ ପୁଣି ଥରେ ଫେରାର ହୋଇ ଯାଇଛନ୍ତି। ଚାରିଅଡ଼ୁ ନିରାଶ ହେବା ପରେ ମହିଳାମାନେ କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ଠକେଇ ର ଶିକାର ହୋଇଥିବା ମହିଳା ଝୁନା ନାୟକ କହିଛନ୍ତି, ଉମା ରାଣୀ ପ୍ରଧାନ ନିର୍ବାଚନରେ ଛିଡ଼ା ହେବା ସମୟରେ କିଛି ଟଙ୍କା ସାହାଯ୍ୟ କରିବାକୁ ଆମକୁ କହିଥିଲେ। ଏପରିକି ଆମ ନାଁରେ ଲୋନ୍‌ କରି ତାଙ୍କୁ ଦେଇଥିଲୁ। ମାତ୍ର ଏବେ ତାଙ୍କୁ ସ୍ୱାମୀସ୍ତ୍ରୀଙ୍କ ପତ୍ତା ମିଳୁନି। ଏଥିପାଇଁ ଆମମାନଙ୍କ ଘରେ ବି ଅଶାନ୍ତି ଲାଗି ରହୁଛି । ଫାଇନାନ୍ସ କର୍ମଚାରୀ ଆମ ଘରେ ପଶିଲା ଲୋନ୍‌ ତୁମେ ନେଇଛ ଦିଅ ବୋଲି କହୁଛି। ତେଣୁ ଏଥିରେ ଅତିଷ୍ଠ ହୋଇ ସପ୍ତାହେ ହେଲା ତାଙ୍କ ନାଁରେ ଥାନାରେ ଏତଲା ଦେଇଛୁ। ତୁରନ୍ତ ସେ ଆସି ସମସ୍ତ ବାକି ଟଙ୍କା ଶୁଝନ୍ତୁ ବୋଲି କହିଛନ୍ତି ।

Jajpur Fraud