Advertisment

ସରକାରୀ ଅର୍ଥର ଦୁରୁପଯୋଗ କରି ସରପଞ୍ଚ ନିଲମ୍ବିତ

ଦୁରୁପଯୋଗ ହୋଇଥିବା ୨ ଲକ୍ଷ ୭ ହଜାର ୨୪୮ ଟଙ୍କା ମଧ୍ୟରୁ ୧ ଲକ୍ଷ ୩୫ ହଜାରରେ ପଞ୍ଚାୟତ ଅଫିସରେ ଦୁଇଟି ଏସି ଲଗାଯାଇଛି।

author-image
Jitendra Garnayak
Sarapancha

Sarapancha

ସରକାରୀ ଅର୍ଥର ଦୁରୁପଯୋଗ ଅଭିଯୋଗରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ବରାହିପୁର ସରପଞ୍ଚ ରଶ୍ମିତା ସ୍ୱାଇଁଙ୍କୁ ନିଲମ୍ବନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ଏହି ନିର୍ଦ୍ଦେଶରେ ଲେଖାଯାଇଛି, କଟକ ଜିଲ୍ଲାପାଳ ଦେଇଥିବା ରିପୋର୍ଟରୁ ଏହା ଜଣାପଡ଼ୁଛି ଯେ ସରପଞ୍ଚ ରଶ୍ମିତା ସ୍ୱାଇଁ ସରକାରଙ୍କର ୨ ଲକ୍ଷ ୭ ହଜାର ୨୪୮ ଟଙ୍କା ଦୁରୁପଯୋଗ କରିବାରେ ସଂପୃକ୍ତ ଅଛନ୍ତି। ସେ ସଂପୃକ୍ତ ପଞ୍ଚାୟତର ପିଇଓଙ୍କ ସହିତ ମିଶି ଏହି କାର୍ଯ୍ୟ କରିଥିବା ଜଣାପଡ଼ିଛି। ସେ ଜାଣିଶୁଣି ତାଙ୍କୁ ପ୍ରଦତ୍ତ କ୍ଷମତାର ଅପବ୍ୟବହାର କରିଛନ୍ତି। ତେଣୁ ତାଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ସେକ୍ସନ ୧୧୫ (୨) ଅନୁଯାୟୀ ତତ୍‌କାଳ ନିଲମ୍ବନ କରାଯାଉଛି।

ଦୁରୁପଯୋଗ ହୋଇଥିବା ୨ ଲକ୍ଷ ୭ ହଜାର ୨୪୮ ଟଙ୍କା ମଧ୍ୟରୁ ୧ ଲକ୍ଷ ୩୫ ହଜାରରେ ପଞ୍ଚାୟତ ଅଫିସରେ ଦୁଇଟି ଏସି ଲଗାଯାଇଛି। ୨୦ ହଜାର ୨୪୮ ଟଙ୍କା ବିଦ୍ୟୁତ୍‌କରଣ ବାବଦକୁ ଖର୍ଚ୍ଚ କରଯାଇଛି। ୪୮ ହଜାର ଟଙ୍କା ରାଧାଶ୍ୟାମ ବିଦ୍ୟାପୀଠର ଗୃହ ଭାଙ୍ଗିବା ବାବଦକୁ ଖର୍ଚ୍ଚ କରାଯାଇଥିବା ବେଳେ ୪ ହଜାର ଟଙ୍କା ଏସିଗୁଡ଼ିକୁ ଗାଡ଼ିରେ ଆଣିବା ପାଇଁ ଖର୍ଚ୍ଚ କରାଯାଇଛି। 

Advertisment

ବରାହିପୁର ପଞ୍ଚାୟତର ଦୁଇ ଜଣ ୱାର୍ଡ ସଭ୍ୟଙ୍କ ଅଭିଯୋଗ ପରେ ଗତ ଅଗଷ୍ଟ ମାସରେ ଏହାର ତଦନ୍ତ ହୋଇଥିଲା। ଆଉ ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଏନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।