Advertisment

ଜେଲ୍ ଗଲେ ସରିତା ବାରିକ

ପୂର୍ବରୁ ଅଭିଯୋଗ ଥିଲା। ଠୋସ୍ ପ୍ରମାଣ ମିଳିବା ପରେ ଗତକାଲି କରାଯାଇଥିଲା ରେଡ୍‌।

Sarita Barik

Sarita Barik

Advertisment

ଜେଲ ଗଲେ ରାଜ୍ୟ ଟିକସ ଭୁବନେଶ୍ୱର ସର୍କଲ-୪ର ସହକାରୀ କମିଶନର ସରିତା ବାରିକ। ଜୋରିମାନା ଓ ଟିକସ ଛାଡ଼ କରିବା ପାଇଁ ଏକ ଫୁଡ୍ ପ୍ରଡକ୍ଟ ଫାର୍ମର ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗତକାଲି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସରିତା ବାରିକ (ଓଏଫ୍‌ଏସ୍‌-୧)ଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

Advertisment

ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଟିକସ ଓ ଜୋରିମାନା ଛାଡ଼ କରିବା ପାଇଁ ଏକ ଫୁଡ୍ ପ୍ରଡକ୍ଟ ଫାର୍ମର ମାଲିକଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସହକାରୀ କମିଶନର ସରିତା ବାରିକ। ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ପ୍ରାଥମିକ ତଦନ୍ତ କରାଯାଇଥିଲା। ଅଭିଯୋଗର ସତ୍ୟାସତ୍ୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ଗତକାଲି ସନ୍ଧ୍ୟାରେ ଏକ ରେଡ୍ କରାଯାଇଥିଲା। ସରିତା ବାରିକ ଅଭିଯୋଗକାରୀଙ୍କୁ ଫୋନ୍‌ କରି ମଧୁସୂଦନ ନଗରକୁ ଡାକିଥିଲେ। ସେଠାରେ ସେ ଅଭିଯୋଗକାରୀଙ୍କୁ ତାଙ୍କ କାର ଭିତରକୁ ଡାକି ନେଇ ୨୫ ହଜାର ଟଙ୍କା ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ସରିତା ବାରିକଙ୍କୁ ଲାଞ୍ଚ ଅର୍ଥ ସହିତ ଧରିଥିଲେ। ଲାଞ୍ଚ ନେଇ ସେ ଧରାପଡ଼ିବା ପରେ ମଧୁସୂଦନ ନଗର ସ୍ଥିତ ତାଙ୍କ ଘର, ଅଫିସ୍ ଓ ବାରିପଦା ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସହକାରୀ କମିଶନର ସରିତା ବାରିକଙ୍କ ଘରୁ ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା, ୨୨୨ ଗ୍ରାମର ସୁନା ଓ ୧୦ ଲକ୍ଷ ଟଙ୍କାର ସୁନା କିଣାଯାଇଥିବା ନେଇ ବିଲ୍‌ ଜବତ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ସେ ୬୦ ଲକ୍ଷ ଟଙ୍କାର ଜମା ରଖିଛନ୍ତି। ଫ୍ଲାଟ୍ ଆଦି କିଣିବା ପାଇଁ ସେ ଅର୍ଥ ନିବେଶ କରିଥିବା ନେଇ କିଛି କାଗଜପତ୍ର ପାଇଛି ଭିଜିଲାନ୍ସ। 

Advertisment

ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପି ସରୋଜ ସାମଲ କହିଛନ୍ତି ଯେ ଏହି ମାମଲାରେ ରେଡ୍ ଜାରି ରହିଛି। ସହକାରୀ କମିଶନର ସରିତା ବାରିକଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ସମ୍ପର୍କରେ ଜାଣିବା ପାଇଁ ତଦନ୍ତ କରାଯାଉଛି। ସେ ନେଇ କଟକରେ ଆଜି ଚଢ଼ାଉ କରାଯାଇଛି। ପାଖାପାଖି ୩୨ ବର୍ଷ ହେଲାଣି ସରିତା ବାରିକ ସରକାରୀ ଚାକିରିରେ ଅଛନ୍ତି। ତାଙ୍କ ନାଁରେ ଆଗରୁ ମଧ୍ୟ ଭିଜିଲାନ୍ସରେ ଅଭିଯୋଗ ଥିଲା। ସେଥିପାଇଁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା। ତେବେ ଏହି ମାମଲାରେ ଠୋସ୍ ପ୍ରମାଣ ପାଇବା ପରେ ଗତକାଲି ଚଢ଼ାଉ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe