Advertisment

ଅପରାଧ-ଜାତି ଭିତ୍ତିକ ରାଜନୀତି: ସରପଞ୍ଚଙ୍କ ହତ୍ୟା ଓ ମନ୍ତ୍ରୀଙ୍କ ଇସ୍ତଫା, କ’ଣ ରହିଛି ସମ୍ପର୍କ?

ବିଡର ମାସାଯୋଗ ଗାଁର ସରପଞ୍ଚ ହେଉଛନ୍ତି ସନ୍ତୋଷ ଦେଶମୁଖ। ତାଙ୍କୁ ଡିସେମ୍ବର ୯ରେ ହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିର୍ଯାତନା ଦିଆଯାଇଥିଲା।

author-image
Hemant Lenka
BEED

BEED

ମହାରାଷ୍ଟ୍ରର ମହାୟୁତି ସରକାରରେ ମନ୍ତ୍ରୀ ଭାବେ କାମ କରୁଥିବା ଧନଞ୍ଜୟ ମୁଣ୍ଡେ ଶେଷରେ ଇସ୍ତଫା ଦେଇଛନ୍ତି। ୨୦୨୪ ଡିସେମ୍ବର ମାସରେ ବିଡ୍‌ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁଣ୍ଡେ ମନ୍ତ୍ରୀ ପଦ ଛାଡ଼ିଛନ୍ତି। ସରପଞ୍ଚଙ୍କ ହତ୍ୟା ପଛରେ ମୁଣ୍ତେଙ୍କ ଘନିଷ୍ଠ ସହଯୋଗୀ ବାଲ୍ମୀକ କରାଦଙ୍କ ହାତ ଥିବା କୁହାଯାଉଛି। ଏଥିଯୋଗୁ ମନ୍ତ୍ରୀ ମୁଣ୍ଡେଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଥିପାଇଁ ସେ ନିଜ ବ୍ୟକ୍ତିଗତ ସଚିବଙ୍କ ହାତରେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନିକଟକୁ ପଠାଇ ଦେଇଛନ୍ତି। ଫଡନାଭିସ ମଧ୍ୟ ଏହାକୁ ଗ୍ରହଣ କରି ନେଇଛନ୍ତି।

Advertisment

କ’ଣ ଥିଲା ପୂରା ଘଟଣା?

ବିଡର ମାସାଯୋଗ ଗାଁର ସରପଞ୍ଚ ହେଉଛନ୍ତି ସନ୍ତୋଷ ଦେଶମୁଖ। ତାଙ୍କୁ ଡିସେମ୍ବର ୯ରେ ହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିର୍ଯାତନା ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ୪୫ ବର୍ଷୀୟ ସନ୍ତୋଷ ଉକ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ୱିଣ୍ଡ ମିଲ ଏନର୍ଜି ଫାର୍ମରୁ ଟଙ୍କା ଆଦାୟ ପାଇଁ କରାଯାଇଥିବା ଷଡ଼ଯନ୍ତ୍ରକୁ ରୋକିବାକୁ ଚେଷ୍ଟା କରିଥିଲେ। ବାସ ଏଥିପାଇଁ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

୨ କୋଟି ଟଙ୍କାର ବଟି ମଗା ଯାଇଥିଲା

ମୁମ୍ବାଇ ଭିତ୍ତିକ ଗ୍ରୀନ ଏନର୍ଜି କମ୍ପାନୀ ଅଭାଡା ପକ୍ଷରୁ ମାସାଯୋଗ ଗାଁରେ ଗୋଟିଏ ପ୍ରକଳ୍ପ ଉପରେ କାର୍ଯ୍ୟ କରାଯାଉଥିଲା। ୱିଣ୍ଡ ଏନର୍ଜି ସେକ୍ଟର ଯୋଗୁ ବିଡ ଓ ଆଖପାଖ ଜିଲ୍ଲାର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା। କିନ୍ତୁ ସ୍ଥାନୀୟ ଅପରାଧୀମାନେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ସେମାନେ ବଟି ମାଗିବା ସହ ଅପହରଣ ଭଳି କାଣ୍ଡ ଘଟାଇଥିଲେ। ସନ୍ତୋଷ ଦେଶମୁଖଙ୍କ ହତ୍ୟାର ୬ ମାସ ପୂର୍ବରୁ ଅର୍ଥାତ ମେ’ ମାସରେ ବିଡ୍‌ରେ ଅପରାଧିକ ନେଟୱର୍କ ଚଳାଉଥିବା ସୁଦର୍ଶନ ଗୁଲେ ଅଭାଡାର ଜଣେ ପ୍ରୋଜେକ୍ଟ ଅଫିସର ସୁନୀଲ ସିନ୍ଦେଙ୍କୁ ଅପହରଣ କରିଥିଲେ। ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ବିଷ୍ଣୁ ଚାଟେ ଅଭାଡା ଅଧିକାରୀମାନଙ୍କୁ ମୁଣ୍ଡେ ଓ ତାଙ୍କ ଘନିଷ୍ଠ ସହଯୋଗୀ ବାଲ୍ମୀକଙ୍କ ପ୍ରରୋଚନାରେ ଫୋନ କରିଥିଲେ ଓ ୨ କୋଟି ଟଙ୍କା ମାଗିଥିଲେ। ଯଦି ଟଙ୍କା ନ ମଳିବ, ତା’ହେଲେ କମ୍ପାନୀକୁ ସ୍ଥାନୀୟ ଅଞ୍ଚଳରେ ବନ୍ଦ କରି ଦିଆଯିବ ବୋଲି ଧମକ ଦେଇଥିଲେ।

Advertisment

ସନ୍ତୋଷ ଦେଶମୁଖ: ଜଣେ ଲୋକାଲ ହିରୋ

ସବୁବେଳେ ଲୋକଙ୍କ କଥା ଚିନ୍ତା କରୁଥିବା ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ପାଖରେ ଏ ଖବର ପହଞ୍ଚିଥିଲା। ରାଜନେତା ଓ ଅପରାଧୀମାନଙ୍କ ଧମକ ଯୋଗୁ ମାସାଯୋଗରେ କାମ କରୁଥିବା ଅଭାଡା ଓ ଅନ୍ୟ କମ୍ପାନୀଗୁଡ଼ିକ ବନ୍ଦ ହୋଇଯିବ। କମ୍ପାନୀ ବନ୍ଦ ହୋଇଗଲେ ଏହା ସ୍ଥାନୀୟ ଲୋକଙ୍କ ଜୀବନକୁ ପ୍ରଭାବିତ କରିବ ବୋଲି ସେ ଆଶଙ୍କା କରିଥିଲେ। ଏଥିପାଇଁ ସେ ସିଧାସଳଖ ସୁଦର୍ଶନ ଗୁଲେଙ୍କ ସହ ଲଢ଼େଇ ଆରମ୍ଭ କରିଥିଲେ।

ହତ୍ୟାର ୩ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୬ରେ ସୁଦର୍ଶନ ଓ ତାଙ୍କର କିଛି ସହଯୋଗୀ ଅଭାଡାର କର୍ମଚାରୀଙ୍କୁ ସ୍ଥାନୀୟ ଅଫିସରେ ପ୍ରବଳ ମାଡ଼ ମାରିଥିଲେ। ସନ୍ତୋଷ ଦେଶମୁଖ ଓ ତାଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ଏପରି ମାରପିଟକୁ ରୋକିଥିଲେ। ପୁଲିସ୍‌ର କହିବା କଥା ଯେ ଘଟଣା ପରେ ଅଭିଯୁକ୍ତମାନେ ଭାବିଥିଲେ ଯେ ସେମାନଙ୍କ ଯୋଜନାରେ ସନ୍ତୋଷ ପାଣି ପକାଇ ଦେବେ। ତେଣୁ ସେମାନେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପୂରା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ବାଲ୍ମୀକ। ବଟି ଆଦାୟ ରାସ୍ତାରେ ଯିଏ କେହି ବି ଆସୁଛନ୍ତି, ତାଙ୍କୁ ହତ୍ୟା କରିବାକୁ ସେ ହିଁ ନିର୍ଦ୍ଦେଶ ଦେଇଥିଲେ ବୋଲି ପୁଲିସ୍‌ କହିଛି।

ହତ୍ୟା କରିବା ପୂର୍ବରୁ ବାଲ୍ମୀକ, ସୁଦର୍ଶନ ଓ ଅନ୍ୟମାନେ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କୁ ବାରମ୍ବାର ଧମକ ଦେଇଥିଲେ। ସେମାନଙ୍କ ରାସ୍ତାରୁ ହଟି ଯିବାକୁ ସେମାନେ ତାଙ୍କୁ କହିଥିଲେ। କିନ୍ତୁ ଲୋକଙ୍କ ପାଇଁ ସବୁବେଳେ ରହିଥିବା ସନ୍ତୋଷ ପଛକୁ ହଟି ନଥିଲେ। ତେଣୁ ଅଭିଯୋଗମାନେ ତାଙ୍କୁ ଅପହଣ କରି ନେଇଥିଲେ। ତାଙ୍କୁ ଭୟଙ୍କର ଢଙ୍ଗରେ ନିର୍ଯାତନା ଦେବା ପରେ ଡିସେମ୍ବର ୯ରେ ହତ୍ୟା କରିଥିଲେ। ପୁଲିସ୍‌ ଜାଣିବାକୁ ପାଇଛି ଯେ ଦେଶମୁଖଙ୍କ ହତ୍ୟା ପୂର୍ବରୁ ଓ ହତ୍ୟା ପରେ ସୁଦର୍ଶନ, ବାଲ୍ମୀକ ଓ ବିଷ୍ଣୁ ଚାଟେ ପରସ୍ପରର ଯୋଗାଯୋଗରେ ରହିଥିଲେ। ପୁଲିସ୍‌ ଚାର୍ଜଶିଟରେ ଏକଥା ଉଲ୍ଲେଖ କରିବା ସହ ସନ୍ତୋଷ ଦେଶମୁଖଙ୍କୁ ନିର୍ଯାତନା ଦେବା ବେଳର ଫଟୋକୁ ଯୋଡ଼ା ଯାଇଛି।

ଭୟଙ୍କର ନିର୍ଯାତନା ଓ ଚକିତ କରିବା ଭଳି ଭିଡିଓ

ଡିସେମ୍ବର ୯ ତାରିଖ ମଧ୍ୟାହ୍ନ ସମୟରେ ଡନଗାଁ ଟୋଲ ପ୍ଲାଜା ନିକଟରୁ ସନ୍ତୋଷ ଦେଶମୁଖଙ୍କୁ ୬ ଜଣ ଲୋକ ଗୋଟିଏ ଏସ୍‌ୟୁଭିରେ ଅପହରଣ କରି ନେଇଥିଲେ। ତାଙ୍କୁ କେଜ ତାଲୁକା ଆଡ଼କୁ ନିଆଯାଇଥିଲା। ସେହିଦିନ ସନ୍ଧ୍ୟାରେ ସନ୍ତୋଷଙ୍କୁ ଅଚେତ ଅବସ୍ଥାରେ ଦୈଥନା ଶିବର ନିକଟରୁ ଠାବ କରାଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୁଲିସ୍‌ର କହିଛି ଯେ ଅପହରଣ ପରେ ଅଭିଯୁକ୍ତମାନେ ତାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଦୀର୍ଘ ୨ ଘଣ୍ଟା କାଳ ଉଲଗ୍ନ କରି ଲୁହା ରଡ, କାଠ ଫାଳିଆ, ଧାରୁଆ ଅସ୍ତ୍ର ଓ ଗ୍ୟାସ ପାଇପରେ ପିଟି ଚାଲିଥିଲେ। ସେମାନେ ସନ୍ତୋଷଙ୍କୁ ହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ନିର୍ଯାତନା ଦେଇଥିଲେ। ସେମାନେ ଘଟଣାର ୧୫ଟି ଭିଡିଓ ରେଡର୍କ କରିବା ସହ ୮ଟି ଫଟୋ ଉଠାଇଥିଲେ।

ଏଥିସହ ଦୁଇଟି ଭିଡିଓ କଲ କରି ନିର୍ଯାତନାକୁ ପ୍ରଦର୍ଶିତ କରିଥିଲେ। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ୫ ଅଭିଯୁକ୍ତ ଧଳା ରଙ୍ଗର ପାଇପ, ଗୋଟିଏ କାଠ ଫାଳିଆରେ ସନ୍ତୋଷଙ୍କୁ ମାଡ଼ ମାରୁଛନ୍ତି। ତାଙ୍କୁ ମୁଥ ଓ ଗୋଇଠା ମାରିବାରେ ଲାଗିଛନ୍ତି। ଏହି ସମୟରେ ଦେଶମୁଖଙ୍କୁ ସେମାନେ କେବଳ ଗୋଟିଏ ଚଡ଼ି ପିନ୍ଧାଇ ବସାଇ ରଖିଥିଲେ। ଆଉ ଗୋଟିଏ ଭିଡିଓରେ ଦେଖାଯାଉଛି ଯେ ସନ୍ତୋଷଙ୍କ ଦେହରୁ ରକ୍ତ ଝରୁଥିବା ବେଳେ ଜଣେ ଅଭିଯୁକ୍ତ ତାଙ୍କ ଉପରେ ପରିସ୍ରା କରୁଛନ୍ତି।

ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କେମିତି ଫସିଲେ?

ଭୟଙ୍କର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲ୍ମୀକ କରାଦ ହେଉଛନ୍ତି ଏନସିପି(ଅଜିତ ପାୱାର) ନେତା ତଥା ମହାୟୁତି ସରକାରରେ ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେଙ୍କ ଅତ୍ୟନ୍ତ ଘନିଷ୍ଠ। ତଦନ୍ତରୁ ବାଲ୍ମୀକଙ୍କ ଭୂମିକା ସାମ୍ନାକୁ ଆସିବା ପରେ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ(ସିଆଇଡି) ୧୨୦୦ ପୃଷ୍ଠା ଚାର୍ଜଶିଟ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ବଳ ଯୋଗାଇଛି। ଦେଶମୁଖଙ୍କ କ୍ଷେତ୍ରରେ ହୋଇଥିବା ବର୍ବରତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଫଡନାଭିସ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ।

ଭିଡିଓ ଭାଇରାଲ ହେବା ପରେ ଫଡନାଭିସ ତାଙ୍କ ଡେପୁଟି ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କୁ ଭେଟିଥିଲେ। ତାଙ୍କ ସହ ସେ ଚାର୍ଜଶିଟ ଓ ବାଲ୍ମୀକଙ୍କ ଭୂମିକା ସମ୍ପର୍କରେ କଥା ହୋଇଥିଲେ। ବାଲ୍ମୀକଙ୍କ ସମ୍ପର୍କ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ସହ ରହିଥିବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ମୁଣ୍ଡେ କହିଛନ୍ତି, “ସାମ୍ନାକୁ ଆସିଥିବା ବର୍ବରତା ଫଟୋ ଦେଖି ମୁଁ ବିଚଳିତ। ସରପଞ୍ଚଙ୍କ ହତ୍ୟାକାରୀ ଅତ୍ୟନ୍ତ କଠୋର ଦଣ୍ଡ ଦିଆଯାଉ। ଘଟଣାର ତଦନ୍ତ କରି କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇଛି। ନ୍ୟାୟିକ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏସବୁ ଭିତରେ ମୁଁ ମୋର ବିବେକକୁ ପଚାରି ମନ୍ତ୍ରୀ ପଦ ଛାଡ଼ିଛି।”

ଜାତିଗତ ରାଜନୀତି

ସନ୍ତୋଷ ଦେଶମୁଖଙ୍କ ହତ୍ୟା ଘଟଣା ମରାଠାୱାଡା ରିଜନର ଜାତି ଭିତ୍ତିକ ରାଜନୀତିକୁ ତୀବ୍ର କରିଛି। ମରାଠା ସଂରକ୍ଷଣ ଆନ୍ଦୋଳନ ବେଳେ ଏହି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଠାରେ ମରାଠା ଓ ଓବିସି ବଞ୍ଜାରାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ଲଢ଼େଇ ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ବି ଦେଖାଯାଇଥିଲା। ବିଜେପିର ପଙ୍କଜା ମୁଣ୍ଡେ ଏଠାରେ ବଞ୍ଜାରୀ ଚେହେରା ଭାବେ ସାମ୍ନାକୁ ଆସିଥିଲେ। କିନ୍ତୁ ତାଙ୍କ ଶରଦ ପାୱାରଙ୍କ ଏନସିପର ବଜରଙ୍ଗ ସୋନାୱାନେ ହରାଇ ଦେଇଥିଲେ।

ବଜରଙ୍ଗ ମରାଠା ଚେହେରାର ପ୍ରତିନିଧିତ୍ୱ କରନ୍ତି। ସରପଞ୍ଚ ସନ୍ତୋଷ ଦେଶମୁଖ ହେଉଛନ୍ତି ଜଣେ ମରାଠା। ସେ କିନ୍ତୁ ଲୋକସଭା ନିର୍ବାଚନ ବେଳେ ପଙ୍କଜା ମୁଣ୍ଡେଙ୍କ ପାଇଁ କାମ କରୁଥିଲେ। ତାଙ୍କ ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତ ହେଉଛନ୍ତି ବଞ୍ଜାରା ସଂପ୍ରଦାୟର। ତେଣୁ ଏକାଧିକ ମରାଠା ନେତା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Crime Maharashtra Maratha Reservation