Advertisment

ବାପା ମା’ ଛେଉଣ୍ଡ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାରେ ବିକି ଦେଇଥିଲେ ମହିଳା ସରପଞ୍ଚ!

କାମ ସହ ରୋଜଗାର ଯୋଗାଇ ଦେବା ବାହାନାରେ ସେ ନାବାଳିକାଙ୍କୁ ଗୁଜରାଟରେ ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
Odisha

Odisha

ବାପା ମା’ କେହି ନଥିଲେ। ସମସ୍ତେ ତାଙ୍କୁ ଏକାକରି ପରପାରିକୁ ଚାଲି ଯାଇଥିଲେ। ଏପରି ସ୍ଥିତିରେ ଦୁନିଆକୁ ଭଲ ଭାବେ ଜାଣି ନଥିବା ନାବାଳିକା ଆଶ୍ରୟ ଖୋଜୁଥିଲେ। କିନ୍ତୁ ସହଯୋଗ କରିବା ନାଁରେ ଜଣେ ମହିଳା ସରପଞ୍ଚ ତାଙ୍କ ସହ ଖେଳିଥିଲେ ସାଂଘାତିକ ଖେଳ।

Advertisment

କାମ ସହ ରୋଜଗାର ଯୋଗାଇ ଦେବା ବାହାନାରେ ସେ ନାବାଳିକାଙ୍କୁ ଗୁଜରାଟରେ ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏବେ ଗୁଜରାଟରୁ କଳେବଳେ କୌଶଳେ ଖସି ଆସିବାକୁ ସକ୍ଷମ ହୋଇଥିବା ସୁନ୍ଦରଗଡ଼ର ନାବାଳିକା ଜଣଙ୍କ ସିଧା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ନେହୁରା ହୋଇଛନ୍ତି।

ସୁନ୍ଦରଗଡ଼ରେ ମାନବ ବିଶେଷ କରି ଝିଅମାନଙ୍କ ଚାଲାଣ କିଛି ନୂଆ କଥା ନୁହେଁ। ଦଲାଲମାନେ ଗ୍ରାମାଞ୍ଚଳର ନାବାଳିକା ଓ ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତିର ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କିମ୍ବା ବିକ୍ରି କରିବାର ନଜିର ରହିଛି। ଏହିକ୍ରମରେ କିଛି ବର୍ଷ ତଳେ ସୁନ୍ଦରଗଡ଼ର ଜଣେ ନାବାଳିକାଙ୍କୁ କେମିତି ରାଜ୍ୟ ବାହାରେ ବିକ୍ରି କରାଯାଇଥିଲା, ତା’ର ସାଂଘାତିକ ସତ ସାମ୍ନାକୁ ଆସିଛି।

Advertisment

ଧୁରୁଆଡିହି ଥାନା ବିରବିରା ଗାଁରେ ରହୁଥିଲେ ଜଣେ ବାପ ମା ଛେଉଣ୍ଡ ନାବାଳିକା। ପ୍ରଥମେ ମା’ ଓ ପରେ ବାପାଙ୍କ ମୃତ୍ୟୁ ପରେ ଝିଅଟି ପୂରା ଏକା ହୋଇଯାଇଥିଲେ। ଏହାପରେ ସେ କାମ ସନ୍ଧାନ ଆରମ୍ଭ କରିଦେଇଥିଲେ। ଏହାର ଫାଇଦା ଉଠାଇଥିଲେ ମହିଳା ସରପଞ୍ଚ ଦଲରସା ଗୁଡ଼ିଆ। ସେ ନାବାଳିକାଙ୍କୁ ସିଲେଇ ତାଲିମ ଦେବାକୁ ପ୍ରଥମେ ଝାରସୁଗୁଡ଼ା ନେଇଥିଲେ। ଏହାପରେ ଅଧିକ ତାଲିମ ଓ ଟଙ୍କାର ଲୋଭ ଦେଖାଇ ସେ ତାଙ୍କୁ ଗୁଜରାଟ ଅହମଦାବାଦ ନେଇ ଯାଇଥିଲେ। ସେଠାରେ ତାଙ୍କୁ ସରପଞ୍ଚ ଦଲରସା ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି।

ତେବେ କିଛି ଦିନ ସେଠାରେ ରହିବା ପରେ ନାବାଳିକା ଜଣଙ୍କ ନିକଟରେ ଖସି ଆସିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେ ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସବୁ କଥା କହିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଧୁରୁଅ।ଡିହି ଥାନାରେ ଗୋଟଏ ମାମଲା ଦାଏର କରାଯାଇଛି। ପୁଲିସ ସରପଞ୍ଚ ଦଲରସା ଗୁଡ଼ିଅ। ଓ ନାବାଳିକାଙ୍କୁ ବନ୍ଦୀ କରି ରଖିଥିବା ଗୁଜରାଟର ଜଣେ ଦମ୍ପତିଙ୍କ ନାଁରେ ଆଇପିସିର ଧାରା ୩୭୦(୪) ଓ ୩୪ରେ ମାମଲା ରୁଜୁ କରିଛି।

ମାମଲା ରୁଜୁ ହେବାରୁ ଗିରଫ ଭୟରେ ସରପଞ୍ଚ ଦଲରସା ଫେରାର ହୋଇଯାଇଛନ୍ତି। ସେହିପରି ସରପଞ୍ଚଙ୍କ ନାଁରେ ନାବାଳିକା କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ମଧ୍ୟ ପୁଲିସ ଚାପ ପକାଉଥିବା ଅଭିଯୋଗ ହୋଇଛି। ଏବେ ନାବାଳିକା ଜଣଙ୍କ ଆଭା ସୁଧାର ଗୃହରେ ରହିଛନ୍ତି। ଧାରା ୧୬୪ରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

Odisha Sundargarh