ଅବକାରୀ ଟିମ୍କୁ ଦେଖି ଦ୍ରୁତଗତିରେ ସ୍କର୍ପିଓକୁ ନେଇ ପଳାଉଥିଲେ ଡ୍ରାଇଭର। ହେଲେ ଭାରସାମ୍ୟ ହରାଇ ଏକ ବ୍ରିଜ ତଳକୁ ଖସିଯାଇଥିଲା ସ୍କର୍ପିଓ। ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ।
ଗିରଫ ଅଭିଯୁକ୍ତଙ୍କ ନାଁ ଦିଲେଶ୍ୱର ସ୍ୱାଇଁ। ତାଙ୍କ ଘର ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଦିଲେଶ୍ୱର ଆମ୍ବପଳାସ ଗାଁରୁ ବେଆଇନ ଭାବେ ଦେଶୀ ମଦ ନେଇ କଟକ ଅଭିମୁଖେ ଯାଉଥିଲେ।
ଆମ୍ବପଳାସ ଗାଁରୁ ମଦ ନେଇ ଏକ ସ୍କର୍ପିଓ କଟକ ଅଭିମୁଖେ ଯାଉଥିବା କଥା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। କାମାକ୍ଷାନଗର ଅବକାରୀ କର୍ମଚାରୀଙ୍କ ଏକ ଟିମ୍ ସ୍କର୍ପିଓଟିକୁ ଜଡ଼ାପାଳ ନିକଟରେ ଅଟକାଇଥିଲେ। କିନ୍ତୁ ଡ୍ରାଇଭର ଗାଡ଼ି ନରଖି ଦ୍ରୁତଗତିରେ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ।
ସ୍କର୍ପିଓଟି ଦ୍ରୁତଗତିରେ ପଳାଇ ଯାଉଥିବା ବେଳେ ଜଡ଼ାପାଳ ନିକଟସ୍ଥ ଏକ ବ୍ରିଜ ତଳକୁ ଖସି ଯାଇଥିଲା। ଏହା ପରେ ଅବକାରୀ ଟିମ୍ ଡ୍ରାଇଭରକୁ ଧରିଥିଲେ। ଗାଡ଼ି ଯାଞ୍ଚ ବେଳେ ସେଥିରୁ ୬ ଶହ ଲିଟରରୁ ଅଧିକ ଦେଶୀ ମଦ ବାହାରିଥିଲା। ହାଇଡ୍ରା ଗାଡି ସାହାଯ୍ୟରେ ବ୍ରିଜ ତଳୁ ସ୍କର୍ପିଓଟିକୁ ଉପରକୁ ଆଣି ଜବତ କରିଛି ଅବକାରୀ ଟିମ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।