Rohan
ଫିଲ୍ମ ଷ୍ଟାଇଲରେ କର୍ଣ୍ଣାଟକାର ମାଙ୍ଗାଲୁରୁ ସିଟି ପୁଲିସ୍ ମଧ୍ୟରାତ୍ରରେ ସ୍ୱତନ୍ତ୍ର ଅପରେସନ କରି ମହାଠକ ରୋହନ ସଲଦାନହାଙ୍କୁ ଗିରଫ କରିଛି। ଜେପିନାମୋଗାରୁ ଅଞ୍ଚଳରୁ ରୋହନଙ୍କୁ ଗିରଫ କରାଯାଇଛି। ମହାଠକ ରୋହନ ଧନୀ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇ ନକଲି ଋଣ ଓ ଜମି ଡିଲ୍ କରାଇ ଦେବା ନାଁରେ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ।
ପୁଲିସ୍ କମିଶନର ସୁଧୀର କୁମାର ରେଡ୍ଡୀ ଓ ଅତିରିକ୍ତ କମିଶନର ରବିଶ ନାକଙ୍କ ନେତୃତ୍ୱାଧୀନ ଟିମ ରୋହନଙ୍କ ବଙ୍ଗଳାରେ ରେଡ କରି ୫୦୦ କୋଟି ଠକେଇର ପର୍ଦ୍ଦାଫାସ କରିଛନ୍ତି। ରେଡ ବେଳେ ବଙ୍ଗଳାରେ ଥିବା ଗୁପ୍ତ ଚ୍ୟାମ୍ବର୍ସ ଓ ପ୍ରସ୍ଥାନ ଦ୍ୱାର ଦେଖି ସମସ୍ତେ ଜଳକା ହୋଇ ଯାଇଛନ୍ତି।
ବ୍ୟବସାୟିକ ଋଣ ଓ ଲାଭଦାୟକ ରିୟଲ ଇଷ୍ଟେଟ ନିବେଶର ପ୍ରତିଶ୍ରୁତି ଦେଇ ରୋହନ ୫୦୦ କୋଟି ଟଙ୍କାର ଠକେଇ କରିଥିଲେ। ଏଥିରେ ପ୍ରଲୋଭିତ ହୋଇ ଅନେକ ଲୋକ ପୁଞ୍ଜି ନିବେଶ କରିଥିଲେ। ପୀଡ଼ିତମାନଙ୍କ ଠାରୁ ରୋହନ ଆଗୁଆ ୫୦ ଲକ୍ଷରୁ ୪ କୋଟି ଟଙ୍କା ଲେଖାଏ ମଧ୍ୟ ଆଣିଥିଲେ। ପ୍ରୋସେସିଂ ଫି’ ଓ ଆଇନଗତ କ୍ଲିୟରାନ୍ସ ନାଁରେ ସେ ବ୍ୟବସାୟୀଙ୍କ ଠାରୁ ଏପରି ଟଙ୍କା ଆଦାୟ କରିଥିଲେ।
ତେବେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଥରେ ପାଇଗଲା ପରେ ରୋହନ ନିଜର ସବୁ ଯୋଗାଯୋଗ ଚ୍ଛିନ୍ନ କରି ଫେରାର ହୋଇଯାଉଥିଲେ। ରୋହନଙ୍କ ନାଁରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୩ ମାସରେ ୪୦ କୋଟି ଟଙ୍କାର ଟ୍ରାଞ୍ଜାକସନ ହୋଇଥିବାର ପ୍ରମାଣ ମିଳିଛି। ତେଣୁ ପ୍ରକୃତ ଠକେଇର ପରିମାଣ କେତେ ହୋଇଥିବ, ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି।
ରେଡରୁ ଜଣାପଡ଼ିଛି ଯେ ରୋହନଙ୍କ ବଙ୍ଗଳା ବାହାରୁ ଯେମିତି ଦେଖା ଯାଉଛି, ବାସ୍ତବରେ ସେମିତି ନୁହେଁ। ବଙ୍ଗଳାକୁ ସ୍ୱତନ୍ତ୍ର ଭାବେ ନିଜ କଳା କାରନାମକୁ ଲୁଚାଇବା ପାଇଁ ତିଆରି କରାଯାଇଥିଲା। ବଙ୍ଗଳାରୁ ପୁଲିସ୍ ୩ରୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ଦୁର୍ଲଭ ସାଜସଜାର ପ୍ଲାଣ୍ଟ, ପୁରୁଣା ସାମ୍ପେନ ଓ ବିଦେଶୀ ମଦର ଭଣ୍ଡାର, କାନ୍ଥ ଓ ଆଲମାରୀ ପଛରେ ଥିବା ଗୁପ୍ତ ରୁମ ଠାବ କରିଛି। ସେହିପରି ବଙ୍ଗଳାର ପ୍ରତିଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ଖଞ୍ଜା ଯାଇଛି।
ନିବେଶକାରୀଙ୍କୁ ଚକମା ଦେବା ପାଇଁ ବଙ୍ଗଳାର ପଛ ପାଖରେ ରୋହନ ଗୁପ୍ତ ଓ ଲୁକାୟିକ ପ୍ରସ୍ଥାନ ଦ୍ୱାର ରଖିଥିଲେ। ପୁଲିସ୍ ବେଡରୁମର କାନ୍ଥରେ ଅତ୍ୟନ୍ତ ଚତୁରତାର ସହ ରହିଥିବା ଦ୍ୱାରକୁ ଠାବ କରିଛି। ଏହି ବାଟଟି ଅଣ୍ଡର ଗ୍ରାଉଣ୍ଡ କରିଡର୍ସ ଓ ତଳେ ରହିଥିବା ସିଢ଼ିକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ରୋହନ ଯିବା ଆସିବା କରୁଥିଲେ। ଏହାକୁ ଏମିତି ଭାବେ ତିଆରି କରାଯାଇଛି ଯେ ସାଧାରଣ ଲୋକ କେବେ ହେଲେ ରୋହନଙ୍କୁ ଏହି ରାସ୍ତାରେ ଯିବା ବେଳେ ଦେଖି ପାରିବେ ନାହିଁ।
ତାଙ୍କ ଘରକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରୋହନ ସ୍ୱତନ୍ତ୍ର ସର୍ଭେଲାନ୍ସର ବ୍ୟବହାର କରୁଥିଲେ। ଆବଶ୍ୟକ ସ୍ଥଳରେ ସେ ତାଙ୍କୁ ଦେଖା କରିବାକୁ ଆସୁଥିବା ଲୋକଙ୍କୁ ନ ଜଣାଇ ବଙ୍ଗଳାରୁ ଖସି ଯିବାର ସବୁ ପ୍ରକାରର ବିକଳ୍ପ ଆପଣାଉଥିଲେ।
ଅଭିଯୁକ୍ତ ରୋହନ ଭାରତର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଲୋକଙ୍କୁ ନିଜର ଅତ୍ୟାଧୁନିକ ଜୀବନ ଶୈଳୀର ଜାଲରେ ଫସାଇ ଠକିଥିଲେ। ପୁଲିସ୍ ଏବେ ସେ କେମିତି ପାଣ୍ଠି ଯୋଗାଣ କରୁଥିଲେ ଓ ଏତେ ଦିନ ଯାଏ ଅପରେସନ ଜାରି ରଖିଥିଲେ, ତା’ର ଯାଞ୍ଚ କରୁଛି। ପୁଲିସ୍ ଏଫଆଇଆର ରୁଜୁ କରିବା ସହ ରୋହନଙ୍କ ଜାଲରେ ଫସି ଥିବା ଲୋକଙ୍କୁ ସାମ୍ନାକୁ ଆସିବାକୁ ଆହ୍ୱାନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rohan_1752835651.jpg)