ବାଙ୍କୀ ପୁଲିସ୍‌ର ଅଜବ ସର୍ତ୍ତ: ଅଭିଯୁକ୍ତକୁ ଧରିବା ପାଇଁ ବୋଲେରୋ ଓ ଟଙ୍କା ଦିଅ!

ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଆଉ ନୂଆକରି ଜୀବନ ଗଢ଼ିବା ପାଇଁ ରାଜଧାନୀର କଂକ୍ରିଟ୍‌ ସହରରେ ଲାଗି ପଡ଼ିଥିଲେ।

ଭାଇରାଲ୍‌ ହେଉଥିବା ପୀଡ଼ିତା

  • Published: Thursday, 28 November 2024
  • , Updated: 28 November 2024, 06:16 PM IST

ତୁମେ ପଇସା ଦିଅ। ବୋଲେରୋ କର। ଆମେ ଯିବୁ...। ଅଭିଯୁକ୍ତ ପ୍ରେମିକ ପ୍ରବରଙ୍କୁ ଧରିବା ପାଇଁ ବାଙ୍କୀ ଥାନା ପୁଲିସ୍‌ ଏପରି ଅଜବ ସର୍ତ୍ତ ରଖିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୁଲିସ୍‌ର ସବୁ ସର୍ତ୍ତରେ ରାଜି ହୋଇଥିଲେ ପୀଡ଼ିତା। ଟଙ୍କା ଓ ବୋଲେରୋ ଦେବେ ବୋଲି କହିଥିଲେ ସୁଦ୍ଧା ପୁଲିସ୍‌ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରୁନଥିବା ପୀଡ଼ିତା ଆଜି କ୍ଷୋଭର ସହ କହିଛନ୍ତି।

କେନ୍ଦୁଝର ଜିଲ୍ଲାର ଅମୀୟ ଚକ୍ର ରାଜଧାନୀ ଭୁବନେଶ୍ୱରରେ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରୁଛନ୍ତି। ସେଠାରେ ଚାକିରି କରୁଥିଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଲିମା(ଛଦ୍ମନାମ)। ପ୍ରଥମ ଦେଖାରେ ଲିମାଙ୍କୁ ମନ ଦେଇ ବସିଥିଲେ ଅମୀୟ। ଆଉ ପ୍ରପୋଜ ମାରିଥିଲେ। ହେଲେ ଲିମା ମନା କରିଥିଲେ। ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଅମୀୟଙ୍କ ପ୍ରପୋଜକୁ ଅସ୍ୱୀକାର କରିଥିଲେ ଲିମା।

ହେଲେ ଅମୀୟ ଭାରି ଚତୁର ଥିଲେ। ମିଠାମିଠା କଥା କହି ଲିମାଙ୍କ ମନ ଜିଣିଥିଲେ। ପ୍ରେମରେ ଜାତିପ୍ରଥା ପ୍ରତିବନ୍ଧକ ସାଜିବ ନାହିଁ ବୋଲି କଥା ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ବିବାହ କରିବା ପାଇଁ ପରସ୍ପରକୁ କଥା ଦେଇଥିଲେ। ଯେଉଁଥିପାଇଁ ଅମୀୟଙ୍କ ପାଦ ତଳେ ନିଜକୁ ସମର୍ପି ଦେଇଥିଲେ ଲିମା। ଉଭୟ ମିଳାମିଶା ହେଉଥିଲେ। ଏହାର ସୁଯୋଗ ନେଇ ଅମୀୟ ଥରେ ଲିମାଙ୍କୁ ଏକ ହୋଟେଲ୍‌ ଡାକି ନେଇଯାଇଥିଲେ। ଲିମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। ହେଲେ ଲିମା ପ୍ରଥମେ ରାଜି ହୋଇନଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଅମୀୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଚତୁର ଅମୀୟ ଶାରୀରିକ ସମ୍ପର୍କ ରଖିଲା ବେଳେ ଲିମାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟର ଭିଡିଓ ରେକଡିଂ କରିଥିଲେ। ତା’ପରେ ଦୁଇ ପ୍ରେମପକ୍ଷୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ହେଲେ ପରବର୍ତ୍ତୀ ସମୟରେ ଧୀରେଧୀରେ ଲିମାଙ୍କଠାରୁ ଅମୀୟ ଦୂରେଇବାରେ ଲାଗିଲେ। ପୂର୍ବ ପରି କଥାବାର୍ତ୍ତା ହେଲେନାହିଁ। ମିଳାମିଶା ମଧ୍ୟ ହେଉନଥିଲେ। ଏ ସମ୍ପର୍କରେ ଅମୀୟଙ୍କୁ ପଚାରି ଥିଲେ ଲିମା। ଜବାବରେ ଅମୀୟ କହିଥିଲେ, ଭିନ୍ନ ଜାତି ହୋଇଥିବାରୁ ବିବାହ ପାଇଁ ପରିବାର ଲୋକେ ରାଜି ହେଉନାହାନ୍ତି। ତେଣୁ ବିବାହ ହୋଇପାରିବ ନାହିଁ।

ନିଜ ପ୍ରେମିକଙ୍କଠାରୁ ପ୍ରତାରଣା ପାଇବା ପରେ ଲିମାଙ୍କ ହାଲତ ଶୁଖି ଯାଇଥିଲା। ସେ ପ୍ରଥମେ ପ୍ରତିବାଦ କରିଥିଲେ। ଭଲ ପାଇବା ପୂର୍ବରୁ କହିଥିବା ସବୁ କଥା ଅମୀୟଙ୍କୁ ମନେ ପକାଇ ଦେଇଥିଲେ ଲିମା। ତା’ପରେ ପ୍ରେମିକ ପ୍ରବରଙ୍କଠାରୁ ଦୂରେଇ ଯାଇଥିଲେ। ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଆଉ ନୂଆକରି ଜୀବନ ଗଢ଼ିବା ପାଇଁ ରାଜଧାନୀର କଂକ୍ରିଟ୍‌ ସହରରେ ଲାଗି ପଡ଼ିଥିଲେ।

ଜୀବନର ପ୍ରଥମ ପ୍ରେମକୁ ଭୁଲି ପାରୁନଥିବା ବେଳେ ହଠାତ୍‌ ସାମ୍ନାକୁ ଆସିଥିଲା ଲିମାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯେଉଁ ଭିଡିଓ ପ୍ରେମିକ ଅମୀୟ ଶୁଟ୍‌ କରିଥିଲେ। ସେହି ଭିଡିଓ ଭାଇରାଲ୍‌ ହେଉଥିବା ଦେଖି ଗତ ୧୦ ତାରିଖରେ ପୀଡ଼ିତା ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଲିଙ୍ଗରାଜ ଥାନା ପୁଲିସ୍‌ ଏଫଆଇଆର୍‌ ଗ୍ରହଣ କରିନଥିଲେ। କଟକ ବାଙ୍କୀ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଲିଙ୍ଗରାଜ ଥାନା ପୁଲିସ୍‌ଙ୍କ ପରାମର୍ଶରେ ପୀଡ଼ିତା ଅଭିଯୋଗ କରିବା ପାଇଁ ଗତ ୧୧ ତାରିଖରେ ବାଙ୍କୀ ଥାନାକୁ ଯାଇଥିଲେ। ହେଲେ ବାଙ୍କୀ ଥାନା ପୁଲିସ୍‌ କୁଆଡେ କହିଥିଲେ ଏବେ ସମୟ ନାହିଁ। ତେଣୁ ପୀଡିତା ଘରକୁ ଫେରି ଆସିଥିଲେ। ୧୨ ତାରିଖରେ ପୁଣି ଥରେ ପୀଡିତା ବାଙ୍କୀ ଥାନାକୁ ଆସିଥିଲେ। ଜଣେ ପୁରୁଷ କର୍ମଚାରୀ ପୀଡ଼ିତାଙ୍କ ପାଇଁ ଏଫ୍‌ଆଇଆର୍‌ ଲେଖିଥିଲେ। ୧୩ ତାରିଖ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୀଡିତାଙ୍କୁ କଥା ଦେଇଥିଲେ ପୁଲିସ୍‌।

ହେଲେ ଅଭିଯୁକ୍ତ ପ୍ରେମିକଙ୍କୁ ପୁଲିସ୍‌ ଗିରଫ କଲା ନାହିଁ। ତେଣୁ ପୀଡ଼ିତା ଆଉଥରେ ବାଙ୍କୀ ଥାନାକୁ ଆସିଥିଲେ। ଅଭିଯୋଗ ଅନୁସାରେ ସେତେବେଳେ ପୁଲିସ୍‌ କୁଆଡେ ଅଜବ ସର୍ଚ୍ଚ ରଖିଥିଲେ। ଅଭିଯୁକ୍ତଙ୍କ ଘରକୁ ଯିବା ପାଇଁ ବୋଲେରୋ ଓ ଟଙ୍କା ଦେବାକୁ ପୁଲିସ୍‌ କହିଥିବା ଅଭିଯୋଗ କରିଛନ୍ତି ପୀଡିତା। ତଥାପି ପୀଡିତାଙ୍କ ପରିବାର ଲୋକେ ପୁଲିସ୍‌ର ସର୍ତ୍ତରେ ରାଜି ହୋଇଥିଲେ। ହେଲେ ପୁଲିସ୍‌ ଅଭିଯୁକ୍ତକୁ ଧରିବାକୁ ଗଲାନାହିଁ। ଥାନାରେ କର୍ମଚାରୀ ନଥିବାର ବାହାନା ପୁଲିସ୍‌ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନାହିଁ।

ପୀଡ଼ିତା କହିଛନ୍ତି, ପୁଲିସ ଜାଣିଶୁଣି ଅଭିଯୁକ୍ତକୁ ଗିରଫ କରୁନାହିଁ। ଏପରିକି ଭାଇରାଲ୍‌ ହେଉଥିବା ଭିଡିଓକୁ ଡିଲିଟ୍‌ କରିବାର ବ୍ୟବସ୍ଥା କରୁନାହିଁ। ଯେଉଁଥିପାଇଁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି। ମୁଁ ଏବେ ସାଧାରଣରେ ଟ୍ରୋଲ୍‌ ହେଉଛି। ଲୋକମାନେ କିଛି ନବୁଝି ସୋଶାଲ ମିଡ଼ିଆରେ ମୋତେ ଗାଳି ଦେଉଛନ୍ତି। ଅଭିଯୁକ୍ତ ଗିରଫ ନହେଲେ ଆଗାମୀ ଦିନରେ ଏସ୍‌ପି ଅଫିସ୍‌ ଆଗରେ ଧାରଣା ଦେବି ବୋଲି ପୀଡ଼ିତା କହିଛନ୍ତି।

ତେବେ ପୀଡ଼ିତାଙ୍କ ଅଭିଯୋଗ ନେଇ ପୁଲିସ୍‌ କିମ୍ୱା ପ୍ରେମିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 

Related story