Havildar
ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ଜଣେ ଅସହାୟ ମହିଳାଙ୍କୁ ଜଣେ ପୁଲିସ ହାବିଲଦାର ଦୁଷ୍କର୍ମ ଓ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଅଭିଯୋଗ କରିଥିବା ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳର ହୋଇଥିବା ବେଳେ ହାବିଲଦାର ଜଣଙ୍କ କୁଦାନଗରୀ ଥାନାରେ କାର୍ଯ୍ୟରତ ଅଛନ୍ତି। ଅଭିଯୁକ୍ତ ହାବିଲଦାରଙ୍କ ନାଁ ଅଜୟ ସାହୁ। ଅଭିଯୋଗ ପାଇବା ପରେ ମାର୍ଶାଘାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ମହିଳା ଜଣଙ୍କ ଏହି ଘଟଣା ନେଇ ଗତକାଲି ମାର୍ଶାଘାଇ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ସେ ଗୋଟେ ଦୋକାନରେ କାମ କରି ପେଟ ପୋଷନ୍ତି। ତାଙ୍କ ଅସହାୟତାର ସୁଯୋଗ ନେଇ ଅଜୟ ସାହୁ ତାଙ୍କୁ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରିବା ସହିତ ଅର୍ଥଲୋଭ ଦେଖାଉଥିଲେ। ଶୁକ୍ରବାର (ଅଗଷ୍ଟ ୨୨ ତାରିଖ) ଦିନ ୧୨ଟା ବେଳେ ମାର୍ଶାଘାଇରେ ଅଜୟଙ୍କ ସହିତ ତାଙ୍କର ହଠାତ୍ ଦେଖା ହୋଇଥିଲେ। ତାଙ୍କୁ ଦେଖି ଅଜୟ ଅଶ୍ଲୀଳ ଇଙ୍ଗିତ କରିଥିଲେ। କିନ୍ତୁ ଅଜୟ ପୁଲିସ୍ରେ ଚାକିରି କରିଥିବାରୁ ସେ ଚୁପ୍ ରହିଥିଲେ ଓ ନିଜ ବାଟରେ ଯାଇଥିଲେ। ହେଲେ ଅଜୟ ତାଙ୍କୁ ଗାଡ଼ିରେ ଅନୁସରଣ କରିଥିଲେ ଓ ତାଙ୍କୁ ଟଣାଓଟରା କରିବା ସହିତ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲେ। ସେ ପାଟି କରିବାରୁ ଅଜୟ ସେଠାରୁ ପଳାଇଥିଲେ।
ମହିଳା ଜଣଙ୍କ ଆହୁରି ଦର୍ଶାଇଛନ୍ତି ଯେ, ଏହି ଘଟଣା ପରେ ଅଜୟ ତାଙ୍କୁ ସେହି ଦିନ ବାରମ୍ବାର ଫୋନ୍ କରିଥିଲେ। ତାଙ୍କ କଥାରେ ରାଜି ହୋଇଯିବାକୁ କହିଥିଲେ। ସେ ଲକ୍ଷେ ଟଙ୍କା ଦରମା ପାଉଥିବା କହିଥିଲେ। ମଟନ, ଚିକେନ ଯାହା ମାଗିବେ, ତାହା ଖାଇବାକୁ ଦେବେ ବୋଲି କହିଥିଲେ। କିନ୍ତୁ ସେ ରାଜି ନହେବାରୁ ଅଜୟ ତାଙ୍କର ଜଣେ ସଂପର୍କୀୟ ଭଉଣୀଙ୍କୁ ଫୋନ୍ କରି ତାଙ୍କ ଚରିତ୍ରକୁ ନେଇ ବହୁତ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏମିତିକି ତାଙ୍କ କଥାରେ ରାଜି ନହେଲେ ମାରି ଦେବେ ବୋଲି ଧମକ ଦେଇଥିଲେ। ସଂପର୍କୀୟ ଭଉଣୀଠାରୁ ଏ ସଂପର୍କରେ ଜାଣିବା ପରେ ସେ ଅଜୟଙ୍କୁ ତାଙ୍କର ସେହି ଭଉଣୀ ଘରକୁ ଡକାଇଥିଲେ। ଅଜୟ ସେଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କ ତଣ୍ଟିଚିପି ତାଙ୍କୁ ସେଠାରେ ଦୁଷ୍କର୍ମ କରିବେ ବୋଲି କହିଥିଲେ। ତା’ପରେ ସେ କୌଣସି ମତେ ସେଠାରୁ ଖସି ପଳାଇ ଆସିଥିଲେ ଓ ଗୋଟେ ଦୋକାନରେ ଯାଇ ବସିଥିଲେ। ପରେ ତାଙ୍କ ଭାଇ ଆସିବା ପରେ ତାଙ୍କ ସହିତ ଘରକୁ ଫେରିଥିଲେ।
ହାବିଲଦାର ଅଜୟ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା ଜଣଙ୍କ ତାଙ୍କ ଏତଲାରେ ନିବେଦନ କରିଛନ୍ତି। ଏହି ଘଟଣା ନେଇ ମାର୍ଶାଘାଇ ପୁଲିସ ଓ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Havildar_1756026639.jpg)