Advertisment

ଉଧାର ଟଙ୍କା ଫେରାଉ ନାହାନ୍ତି ପ୍ରଧାନ ସାର୍‌

ଟଙ୍କା ଫେରାଉନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ମଙ୍ଗଳବାର ଗାଁ ଲୋକେ ସ୍କୁଲରେ ପ୍ରଧାନଶିକ୍ଷକ ଶ୍ରୀ ନାୟକଙ୍କୁ ଘେରିଥିଲେ। ଅପରାହ୍ନରେ ପ୍ରଧାନଶିକ୍ଷକ ଏନେଇ ଚନ୍ଦନେଶ୍ୱର ଫାଣ୍ଡିରେ ଅଭିଯୋଗ କରିଥିଲେ।

author-image
Manoranjan Sial
Balasore

Balasore

ଗାଁ ଲୋକଙ୍କଠାରୁ ଟଙ୍କା ଧାର ନେଇ ଫେରାଉ ନାହାନ୍ତି ପ୍ରଧାନ ସାର୍‌। ମାମଲା ସ୍କୁଲରୁ ବାହାରି ଥାନାରେ ପହଞ୍ଚିଲା। ତା’ପରେ ଚେତିଲେ ସାର୍‌। ଆଉ ଟଙ୍କା ଫେରାଇବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରୁ ଆସିଛି।

Advertisment

କୁକୁଡ଼ିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଉଛନ୍ତି କମଳ କୁମାର ନାୟକ। ଅଭିଯୋଗ ଅନୁସାରେ ସେ ଉକ୍ତ ଗାଁର ୱାର୍ଡ ମେମ୍ବର ସୁଦାମ ମଣ୍ଡଳଠାରୁ ୫୦ ହଜାର, ସ୍କୁଲ ପରିଚାଳନା କମିଟିର ସଭାପତି ତପନ କୁମାର କରଙ୍କଠାରୁ ୨୫ ହଜାର, ଆଶାକର୍ମୀ ଜ୍ୟୋତ୍ସ୍ନା ରାଣୀ ମଣ୍ଡଳଠାରୁ ୧ ୫ ହଜାର, ସଂଜୀବ ମଣ୍ଡଳଙ୍କଠାରୁ ୧ ଲକ୍ଷ ଓ ଗାଁର ଅନ୍ୟ କିଛି ବ୍ୟକ୍ତିଙ୍କଠାରୁ ଟଙ୍କା ଧାର ସୂତ୍ରରେ ଦେଇଥିଲେ। ଏଥିପାଇଁ ସେ ବ୍ଲାଙ୍କ ଚେକ୍‌ ଦେଇଥିଲେ। ଏହାଛଡ଼ା ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଚିନ୍ମୟ କର ଓ ସଞ୍ଜୀବ ଘୋଷଙ୍କ ତେଜରାତି ଦୋକାନରୁ ୨୦ ହଜାରରୁ ଅଧିକ ଟଙ୍କାର ଖାଉଟି ସାମଗ୍ରୀ ନେଇଥିଲେ। ହେଲେ ସେହି ଟଙ୍କା ପରିଷୋଧ କରୁନଥିଲେ।

ଟଙ୍କା ଫେରାଉନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ମଙ୍ଗଳବାର ଗାଁ ଲୋକେ ସ୍କୁଲରେ ପ୍ରଧାନଶିକ୍ଷକ ଶ୍ରୀ ନାୟକଙ୍କୁ ଘେରିଥିଲେ। ଅପରାହ୍ନରେ ପ୍ରଧାନଶିକ୍ଷକ ଏନେଇ ଚନ୍ଦନେଶ୍ୱର ଫାଣ୍ଡିରେ ଅଭିଯୋଗ କରିଥିଲେ। ସିଏ ଓଲଟା ଗାଁ ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ। ଗାଁ ଲୋକେ ଫାଣ୍ଡିରେ ପହଞ୍ଚି ଶ୍ରୀ ନାୟକ ଦେଇଥିବା ବ୍ଲାଙ୍କ ଚେକ୍‌ ଦେଖାଇଥିଲେ। ଏହାପରେ ପ୍ରଧାନଶିକ୍ଷକଙ୍କ ମିଛ ଧରା ପଡ଼ିଥିଲା।

Advertisment

ବୁଧବାର ପୁଲିସ୍‌ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିଥିଲେ। ଆଉ ଟଙ୍କା ଫେରାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଏଥିପାଇଁ ପ୍ରଧାନଶିକ୍ଷକ ସମୟ ନେଇଥିବା ଜଣାପଡ଼ିଛି। ସେପଟେ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଅବଗତ ଅଛନ୍ତି। ଗାଁ ଲୋକଙ୍କୁ ଟଙ୍କା ଫେରାଇବା ପାଇଁ ବିଇଓ କହିଥିବା ଜଣାପଡ଼ିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Fraud