Advertisment

ପବ୍ଲିକ୍‌ ହେଲ୍‌ଥ ମ୍ୟାନେଜରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ବାନ୍ଧିଲା ପୁଲିସ

ଡାକ୍ତରଖାନାର ଜଣେ ମହିଳା ଡାକ୍ତର ଓ ଜଣେ ମହିଳା ଫାର୍ମାସିଷ୍ଟଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।

ଅଦ୍ୟତନ ହୋଇଛି
Public Health Manager Nishit Sahu

Public Health Manager Nishit Sahu

Advertisment

କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ସହରାଞ୍ଚଳ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପବ୍ଲିକ ହେଲ୍‌ଥ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ନିଶିତ ରଞ୍ଜନ ସାହୁଙ୍କୁ ଗିରଫ କରିଛି ପୁଲିସ୍‌। ସେହି ଡାକ୍ତରଖାନାର ଜଣେ ମହିଳା ଡାକ୍ତର ଓ ଜଣେ ମହିଳା ଫାର୍ମାସିଷ୍ଟଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ସହିତ ଅସଦାଚରଣ କରିବା ତଥା ଫାର୍ମାସିଷ୍ଟଙ୍କୁ ଯୌନ ଉତ୍ପୀଡ଼ନ ଦେବା, ଦୁର୍ବ୍ୟବହାର କରିବା ଓ ଧମକ ଦେବା ଆଦି ଅଭିଯୋଗରେ ନିଶିତ ସାହୁଙ୍କୁ ଗିରଫ କରାଯାଇଛି।

Advertisment

ମହିଳା ଡାକ୍ତରଙ୍କ ଅଭିଯୋଗ

ମହିଳା ଡାକ୍ତର ଜଣଙ୍କ ତାଙ୍କ ଏଫଆଇଆରରେ ଲେଖିଛନ୍ତି, ପବ୍ଳିକ୍ ହେଲ୍‌ଥ ମ୍ୟାନେଜର ନିଶିତ ସାହୁ ବରାବର ମୋତେ ଫୋନ୍ କରନ୍ତି। କାର୍ଯ୍ୟ ସମୟ ପରେ ରାତିରେ ସେ ମୋତେ ଫୋନ୍‌ କରନ୍ତି। ଏହା ମୋତେ ମାନସିକ ସ୍ତରରେ ଅସ୍ଥିର କରି ଦେଇଛି। ଡାକ୍ତରଖାନାରେ ଅନେକ ସମୟରେ ସେ ମୋ ପାଖରେ ଅନୁଚିତ ଢଙ୍ଗରେ ଛିଡ଼ା ହୁଅନ୍ତି। ପରବର୍ତ୍ତୀ ସମୟରେ ମୁଁ ତାଙ୍କ ଫୋନ୍ କଲ୍ ଉଠାଇ ନଥିଲି। ଏହା ପରେ ସେ ମୋ ନାଁରେ ମିଛ କଥା ପ୍ରଚାର କରିଛନ୍ତି। ମୋ ଭାବମୂର୍ତ୍ତି ଖରାପ ହେବା ଭଳି ମନ୍ତବ୍ୟ ଦେଇଛନ୍ତି। ମୋ ଚରିତ୍ରକୁ ନେଇ ପ୍ରଶ୍ନ କରିଛନ୍ତି। ହସ୍‌ପିଟାଲ କର୍ମଚାରୀଙ୍କ ବ୍ୟତୀତ ସିପିଏମ୍‌, ଏପିଏମ୍‌ ଓ ଅତିରିକ୍ତ ଅର୍ବାନ ପ୍ରାଇମେରୀ ହେଲଥ୍ ଅଫିସରଙ୍କ ନିକଟରେ ମୋ ସଂପର୍କରେ ମିଛ କଥା କହିଛନ୍ତି। ସେ ମିଛ ଅଭିଯୋଗ କରିଥିଲେ ଯେ ମୁଁ ତାଙ୍କୁ ବାରମ୍ବାର ଫୋନ୍ କରି ଅନୁଚିତ କଥାବାର୍ତ୍ତା କରୁଛି।

ସେ ଆହୁରି ଲେଖିଛନ୍ତି, ‘ପବ୍ଲିକ ହେଲ୍‌ଥ ମ୍ୟାନେଜର ନିଶିତ ସାହୁ ମିଛ ବିଲ୍ ଉପରେ ଦସ୍ତଖତ କରିବାକୁ ମୋତେ କହୁଥିଲେ। ମୁଁ ମନା କରିଦେବାରୁ ସେ ମୋ ନାଁରେ ମିଛ ପ୍ରଚାର କରିଥିଲେ। ସେ କହିଥିଲେ ଯେ ମୁଁ ସରକାରୀ ଅର୍ଥରେ ହେରଫେର କରୁଛି। ସେ ନିୟମିତ ଭାବେ ମୋତେ ଟାର୍ଗେଟ କରନ୍ତି। ତାଙ୍କୁ ସିପିଏମ୍ ଓ ଏପିଏମ୍‌ଙ୍କ ସମର୍ଥନ ମିଳେ। ସେ ମୋ ବିରୋଧରେ ‘ଚରିତ୍ରହୀନ’, ‘ଲାଞ୍ଚୁଆ’ ଓ ‘ଚୋର’ ଭଳି ଅଗ୍ରହଣୀୟ ଶବ୍ଦ ବ୍ୟବହାର କରନ୍ତି, ଯାହା କାର୍ଯ୍ୟସ୍ଥଳରେ ମୋର ସମ୍ମାନହାନୀ କରୁଛି। ଏହା ମୋତେ ମାନସିକ ସ୍ତରରେ ଖୁବ୍ ଆଘାତ ଦେଇଛି।

Advertisment

ମୁଁ ଅନୁସୂଚିତ ଜାତିରେ ହୋଇଥିବା ବେଳେ ସେ ମୋ ଜାତିକୁ ନେଇ ମୋ ବିରୋଧରେ କଟୁ ମନ୍ତବ୍ୟ ଦିଅନ୍ତି। ସିପିଏମ୍‌ଙ୍କ ଉଦ୍ଦେଶ୍ୟରେ ସେ ମୋତେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମୁଁ ମନା କରି ଦେବାରୁ ସିପିଏମ୍‌ ମୋତେ ବଡ଼ ପାଟିରେ ଗାଳି କରିଥିଲେ।’

ସେ ଅଭିଯୋଗ କରିଛନ୍ତି, ମୁଁ ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ପବ୍ଲିକ ହେଲ୍‌ଥ ମ୍ୟାନେଜର ନିଶିତ ସାହୁ କୌଣସି ଆବଶ୍ୟକତା ନଥାଇ ମୋ ପାଖକୁ ଆସନ୍ତି। ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ମୋ ପାଖରେ ଅନୁଚିତ ଢଙ୍ଗରେ ଛିଡ଼ା ହୁଅନ୍ତି। ଧମକ ଦେବା ତାଙ୍କର ଏକ ଅଭ୍ୟାସ। ସେ ହସ୍‌ପିଟାଲରେ ଅନ୍ୟ କର୍ମଚାରୀମାନଙ୍କୁ ବ୍ଲାକମେଲ କରନ୍ତି। ସିପିଏମ୍‌ ଓ ଏପିଏମ୍‌ଙ୍କ ନାଁ ନେଇ ସେ ଟଙ୍କା ମାଗନ୍ତି। ତାଙ୍କର ଏଭଳି ବ୍ୟବହାର ଯୋଗୁଁ ମୁଁ ଅନେକ ମାନସିକ ଚାପ ମଧ୍ୟରେ ରହୁଛି। 

ମହିଳା ଫାର୍ମାସିଷ୍ଟଙ୍କ ଅଭିଯୋଗ

ଫାର୍ମାସିଷ୍ଟ ଜଣଙ୍କ ତାଙ୍କ ଏଫଆଇଆରରେ ଲେଖିଛନ୍ତି, ଅନେକ ସମୟରେ ପବ୍ଲିକ ହେଲ୍‌ଥ ମ୍ୟାନେଜର ନିଶିତ ରଞ୍ଜନ ସାହୁ ମୋତେ ଅନୁଚିତ ଢଙ୍ଗରେ ସ୍ପର୍ଶ କରୁଥିଲେ। ସେ ମୋ ଓଢ଼ଣୀକୁ ସ୍ପର୍ଶ କରୁଥିଲେ ଓ ଶୁଙ୍ଘୁ ଥିଲେ। ଏହା ଦ୍ୱାରା ମୁଁ ଖୁବ୍ ଅପମାନିତ ବୋଧ କରୁଥିଲି। ସେ ମୋତେ ‘ମାଲ୍‌’ କହି ସମ୍ବୋଧିତ କରୁଥିଲେ। ମୋ ବିଷୟରେ ସେ ମିଛ କଥା ପ୍ରଚାର କରୁଥିଲେ। ମୋ ଚରିତ୍ରକୁ ନେଇ ହସ୍‌ପିଟାଲ କର୍ମଚାରୀଙ୍କ ଆଗରେ ଖରାପ କଥା କହୁଥିଲେ। ମୋତେ ବରାବର ଫୋନ୍ କରୁଥିଲେ। କାର୍ଯ୍ୟାନୁଷ୍ଠାନ ନେଇ ଧମକ ଦେଉଥିଲେ। ତାଙ୍କର ଏଭଳି ନିର୍ଯାତନାରେ ମୁଁ ଅତ୍ୟନ୍ତ ମାନସିକ ଚାପ ମଧ୍ୟରେ ରହୁଛି। ମୋ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। କାର୍ଯ୍ୟସ୍ଥଳରେ ମୁଁ ବହୁମାତ୍ରାରେ ଅପମାନିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe