/odisha-reporter/media/post_attachments/uploadimage/library/16_9/16_9_0/Murder__1754735123.jpg)
Murder
ଅଗଷ୍ଟ ୭ ତାରିଖରେ କର୍ଣ୍ଣାଟକାର ଗୋଟିଏ ଗାଁର ଲୋକମାନେ ନିଜ ଆଖି ସାମ୍ନାରେ ଏମିତି ଏକ ଦୃଶ୍ୟ ଦେଖିଥିଲେ ଯାହା ସେମାନଙ୍କୁ ପୂରା ସ୍ତବ୍ଧ କରି ଦେଇଥିଲା। ଆଉ ସେହି ଦୃଶ୍ୟ ଥିଲା ଗୋଟିଏ ବୁଲା କୁକୁର ଶରୀରରୁ ଅଲଗା ହୋଇଯାଇଥିବା ଗୋଟିଏ କଟା ହାତକୁ ରାସ୍ତାରେ ଭିଡ଼ିଭିଡ଼ି ନେଉଛି।
କୁକୁର ମୁହଁରେ କଟା ହାତ ଦେଖି ଲୋକମାନେ ପୂରା ଡରି ଯାଇଥିଲେ। ଏହି ସ୍ଥାନରୁ ପ୍ରାୟ ଅଧା କିମି ଦୂରରୁ ଆଉ ଗୋଟିଏ ହାତ ମିଳିଥିଲା। ସ୍ଥିତି ସେତେବେଳେ ଆହୁରି ଜଟିଳ ହୋଇଥିଲା ଯେତେବେଳେ ଜଣେ ମହିଳାଙ୍କ କଟା ମୁଣ୍ଡ ସହ ଖଣ୍ଡବିଖଣ୍ଡିତ ଶରୀର ବିଭିନ୍ନ ଅଂଶ ଆଖପାଖର ୧୦ଟି ସ୍ଥାନରୁ ମିଳିଥିଲା।
ଏହାକୁ ଦେଖି ଲୋକମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଓ ସ୍ଥାନୀୟ ଲୋକମାନେ ଅନୁମାନ କରିଥିଲେ ଯେ ଏହା ଏକ ସାଧାରଣ ହତ୍ୟାକାଣ୍ଡ ନୁହେଁ। ଏହି ଘଟଣା ଟୁମକୁରୁ ଜିଲ୍ଲାର ପୁଲିସ୍କୁ ଚିନ୍ତାରେ ପକାଇଥିବା ବେଳେ କୋରାଟାଗେରେ ତାଲୁକରେ ରହୁଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ମହିଳାଙ୍କୁ ଏପରି ଭୟଙ୍କର ଢଙ୍ଗରେ କିଏ ମାରିଲା ଓ ହତ୍ୟାକାରୀ କିଏ, ସେକଥା ପୁଲିସ୍ ଏଯାଏ ମଧ୍ୟ ଜାଣିବାକୁ ପାଇ ନାହିଁ।
ଏହି ଘଟଣା ୨୦୨୨ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ୨୭ ବର୍ଷୀୟ ଶ୍ରଦ୍ଧାଙ୍କୁ ତାଙ୍କ ଲିଭଇନ ପାର୍ଟନର ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଦିଲ୍ଲୀ ନିକଟସ୍ଥ ଜଙ୍ଗଲର ବିଭିନ୍ନ ସ୍ଥାନରେ ପକାଇ ଦେଇଥିଲେ।
୧୦ ସ୍ଥାନରୁ ମିଳିଲା ଖଣ୍ଡବିଖଣ୍ଡିତ ଶରୀରର ଅଂଶ
ମହିଳାଙ୍କ ମୃତଦେହର ପ୍ରଥମ ଅଂଶକୁ ଗୁରୁବାର ସକାଳେ ଚିମ୍ପୁଗାନାହାଲିରେ ଥିବା ମୁତୟାଲାମ୍ମା ମନ୍ଦିର ନିକଟରୁ ଠାବ କରାଯାଇଥିଲା। ସ୍ଥାନୀୟ ବୁଦାରୁ ବୁଲା କୁକୁର କଟା ହାତକୁ ଟାଣିଟାଣି ରାସ୍ତାରେ ନେଉଥିବା ଲୋକମାନେ ଦେଖିଥିଲେ। ଏହା ଠାରୁ ଅଧା କିମି ଦୂରରୁ ଆଉ ଗୋଟିଏ କଟା ହାତ ଜରିରେ ଗୁଡ଼ା ହୋଇ ରହିଥିବା ଲୋକମାନେ ଠାବ କରିଥିଲେ।
ଆଗାମୀ କିଛି ଘଣ୍ଟା ମଧ୍ୟରେ ପୁଲିସ୍ ବିଭିନ୍ନ ସ୍ଥାନରୁ ମହିଳାଙ୍କ ଶରୀରର ବିଭିନ୍ନ ଅଂଶକୁ ଠାବ କରିଥିଲା। ଲିଙ୍ଗାପୁରା ରୋଡ ବ୍ରିଜରୁ ମହିଳାଙ୍କ ପେଟ, ବେନଡନ ନର୍ସରୀ ନିକଟରୁ ଆଉ କିଛି ଆଭ୍ୟନ୍ତରୀଣ ଅଙ୍ଗ ଓ ଗୋଟିଏ ଗୋଡ଼କୁ ଜୋନିଗରାହାଲି ନିକଟରୁ ପୁଲିସ୍ ପାଇଥିଲା। ସିଦ୍ଦାରବେଟ୍ଟା ଓ ନେଗାଲା ରାସ୍ତାରେ ରହିଥିବା ଦୁଇଟି ବ୍ୟାଗରୁ ମହିଳାଙ୍କ ଆଉ କିଛି କଟା ହୋଇଥିବା ଅଙ୍ଗ ପ୍ରତ୍ୟେଙ୍ଗ ପୁଲିସକୁ ମିଳିଥିଲା।
ଏତେ ସବୁ ଜିନିଷ ଗୁରୁବାର ମିଳିଥିଲେ ହେଁ ମହିଳାଙ୍କ ମୁଣ୍ଡ ମିଳି ନଥିଲା। ଶୁକ୍ରବାର ଏହାକୁ ସିଦ୍ଦାରାବେଟ୍ଟାରୁ ପୁଲିସ୍ ଠାବ କରିବାରେ ସକ୍ଷମ ହୋଇଛି। କୋଲାଲା ପୁଲିସ୍ ଷ୍ଟେସନ ଅଧୀନରେ ଥିବା ୧୦ଟି ସ୍ଥାନରୁ ମହିଳାଙ୍କ କଟା ହୋଇଥିବା ଶରୀରର ବିଭିନ୍ନ ଅଂଶ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।
ଟାଟୁରୁ ମୃତକଙ୍କ ପରିଚୟ ମିଳିଲା
ଖଣ୍ଡବିଖଣ୍ଡିତ ଶରୀରକୁ ଠାବ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ମହିଳାଙ୍କ ହାତରେ ଥିବା ଟାଟୁ ଉପରେ ପୁଲିସ୍ର ନଜର ପଡ଼ିଥିଲା। ଟାଟୁକୁ ଆଧାର କରି ପୁଲିସ୍ ମହିଳାଙ୍କ ପରିଚୟ ହାସଲ କରିଛି। ନର୍ମମ ଭାବେ ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ୪୨ ବର୍ଷୀୟ ଲକ୍ଷ୍ମୀଦେବାମ୍ମା। ତାଙ୍କ ଘର ଟୁମକୁରୁ ତାଲୁକାର ବେଲ୍ଲାଭିରେ। ଅଗଷ୍ଟ ୪ରୁ ସେ ନିଖୋଜ ଥିବା ତାଙ୍କ ସ୍ୱାମୀ ବେଲ୍ଲାଭି ପୁଲିସ୍ରେ ଅଭିଯୋଗ କରିଥିଲେ।
ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀଦେବାମ୍ମା ଅଗଷ୍ଟ ୩ରେ ଉରଡିଗେରେ ରହୁଥିବା ଝିଅଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ଦିନ ଯାଇ ରାତି ହୋଇଥିଲେ ହେଁ ସେ ଘରକୁ ଫେରି ନଥିଲେ। ଏହାପର ପରଦିନ ତାଙ୍କ ସ୍ୱାମୀ ନିଖୋଜ ସମ୍ପର୍କରେ ପୁଲିସ୍କୁ ଅବଗତ କରାଇଥିଲେ।
ପୁଲିସ ଅନୁମାନ କରୁଛି ଯେ ଦୁଇ ଦିନ ତଳେ ଲକ୍ଷ୍ମୀଦେବାମ୍ମାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା। ପରିଚୟକୁ ଗୋପନ ରଖିବା ପାଇଁ ହତ୍ୟାକାରୀ କିମ୍ବା ହତ୍ୟାକାରୀମାନେ କଟା ଶରୀରକୁ ବିଭିନ୍ନ ସ୍ଥାନରେ ପିଙ୍ଗିଥିଲେ। ପୁଲିସ୍ ଏବେ ହତ୍ୟାକାରୀ ଓ ହତ୍ୟାର କାରଣ ଖୋଜିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
