Advertisment

ଲୁଟ ପାଇଁ ୨୫ ବିବାହ: ଲୁଟେରୀ ଦୁଲହନଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ କେମିତି ଧରିଲା ପୁଲିସ୍‌?

ନିରୀହ ପୁରୁଷଙ୍କୁ ନିଜର ନକଲି ବିବାହ ଜାଲରେ ଫସାଉଥିଲେ, ସାଦାସିଧା କନ୍ୟା ଓ ଉପଯୁକ୍ତ ବୋହୂ ଭଳି ଅଭିନୟ କରିବା ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଚମ୍ପଟ ମାରୁଥିଲେ।

Anuradha

Anuradha

Advertisment

ନାଁ ଅନୁରାଧ ପାଶୱାନ। କିନ୍ତୁ ସେ ଲୁଟେରୀ ଦୁଲହନ ଭାବେ ବେଶ ପରିଚିତ। ଲୁଟ ପାଇଁ ସେ କନ୍ୟା ସାଜୁଥିଲେ। ବାହା ହେବା ପରେ ବର ଘରକୁ ଚୂନ ଲଗାଇ ଫେରାର ହୋଇଯାଉଥିଲେ। ସେ ୨୫ ଜଣ ନିରୀହ ବରଙ୍କୁ ଠକିବା ସହ ସେମାନଙ୍କ ଘରୁ ବିପୁଳ ପରିମାଣର ଅଳଙ୍କାର ଓ ଲକ୍ଷାଧିକ ନଗଦ ଟଙ୍କା ଲୁଟ କରିଛନ୍ତି। ଲୁଟ କରିବା ପରେ ଝାଡ଼ିଝୁଡ଼ି ହୋଇ ପୁଣି ନୂଆ ନାଁ, ନୂଆ ସହର ଓ ନୂଆ ଶୈଳୀରେ ପରବର୍ତ୍ତୀ ଶିକାର ସନ୍ଧାନରେ ବାହାରି ଯାଉଥିଲେ।

Advertisment

ନିରୀହ ପୁରୁଷଙ୍କୁ ନିଜର ନକଲି ବିବାହ ଜାଲରେ ଫସାଉଥିଲେ, ସାଦାସିଧା କନ୍ୟା ଓ ଉପଯୁକ୍ତ ବୋହୂ ଭଳି ଅଭିନୟ କରିବା ପରେ ସୁଯୋଗ ଦେଖି ଅଳଙ୍କାର ଏବଂ ନଗଦ ଟଙ୍କା ଧରି ଚମ୍ପଟ ମାରୁଥିଲେ। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ଲୁଟେରୀ ଦୁଲହନଙ୍କୁ ପୂରା ଫିଲ୍ମ ଷ୍ଟାଇଲରେ ରାଜସ୍ଥାନର ସୱାଇ ମାଧୋପୁର ପୁଲିସ୍‌ ମଧ୍ୟପ୍ରଦେଶରୁ ଧରିବାକୁ ସକ୍ଷମ ହୋଇଛି। ସେ ଯେମିତି ନକଲି ବିବାହ ଆଳରେ ଲୁଟ କରୁଥିଲେ ଠିକ ସେହିପରି ପୁଲିସ୍‌ ତାଙ୍କୁ ନକଲି ବାହାଘର ନାଁରେ ଧରିଛି। ଏବେ ସେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି।

କେମିତି କରୁଥିଲେ ଲୁଟ?

ସେ ଏକୁଟିଆ। ସେ ଗରିବ। ସେ ଅସହାୟ। ତାଙ୍କର ଜଣେ ଚାକିରି ନଥିବା ଭାଇ ଅଛନ୍ତି। ଏପରି ସ୍ଥିତିରେ ଜୀବନ କାଟୁଥିବା ମହିଳା ବାହା ହେବାକୁ ଚାହୁଁଛନ୍ତି। କିନ୍ତୁ ଆର୍ଥିକ ଅନଟନ ତାଙ୍କୁ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏମିତି ମହିଳା ଜଣଙ୍କ ହେଲେ ୩୨ ବର୍ଷୀୟ ଅନୁରାଧା ପାଶୱାନ। ସେ ନିଜକୁ ସୁନ୍ଦରୀ-ଗରିବ କନ୍ୟାର ପରିଚୟ ଦେଇ ବାହାଘର ପାଇଁ ରାଜି ରହିଥିବା ସମସ୍ତଙ୍କୁ କହୁଥିଲେ। ତାଙ୍କର ଏପରି ଦୁଃଖ ଓ ଦରଦ ଭରା କାହାଣୀ ଶୁଣି ନିରୀହ ପୁରୁଷମାନେ ବାହା ହେବାକୁ ମଧ୍ୟ ରାଜି ହୋଇଯାଉଥିଲେ।

Advertisment

କିନ୍ତୁ କେହି ଜାଣି ନଥିଲେ ଯେ ସାଦାସିଧା ଦେଖା ଯାଉଥିବା ମହିଳା ଜଣଙ୍କ ବାସ୍ତବରେ ଗୋଟିଏ ନକଲି ବିବାହ ଗ୍ୟାଙ୍ଗର ନେତ୍ରୀ। ଟଙ୍କା ପାଇଁ ସେ ଲୋକଙ୍କ ବିଶ୍ୱାସ ସହ କେମିତି ଖେଳିବାକୁ ହୁଏ, ସେଥିରେ ବେଶ ପାରଙ୍ଗମ। ଅନୁରାଧଙ୍କ ଗ୍ୟାଙ୍ଗରେ ଥିବା ସଦସ୍ୟମାନେ ପ୍ରଥମେ ତାଙ୍କ ଫଟୋ ଉଠାନ୍ତି ଓ ଏହାପରେ ବାହା ହେବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଖରେ ପହଞ୍ଚନ୍ତି।

ବାସ୍ତବରେ ବାହାଘର ଠିକ କରୁଥିବା ଲୋକ ଗ୍ୟାଙ୍ଗର ସଦସ୍ୟ। ହେଲେ ବାହାଘର ସେଟିଂ କରିବାକୁ ସେ ୨ ଲକ୍ଷ ଟଙ୍କା ଚାର୍ଜ କରନ୍ତି। ଥରେ ଡିଲ ଫାଇନାଲ ହୋଇଗଲା ପରେ ଗୋଟିଏ ବିବାହ ସହମତି ରାଜିନାମା ପ୍ରସ୍ତୁତ କରାଯାଏ। ପରମ୍ପରା ଅନୁସାରେ ମନ୍ଦିର କିମ୍ବା ଘରେ ବାହାଘର ହୁଏ। ବାସ୍‌ ଏହା ପରେ ଆରମ୍ଭ ହୁଏ ଅସଲି ଖେଳ।

ଅନୁରାଧ ବେଶ ଭଲ ଭାବେ ବର ଓ ତାଙ୍କ ପରିବାର ଲୋକଙ୍କ ସହ ଚଳନ୍ତି। ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ସେ ପରିବାର ସବୁ ସଦସ୍ୟଙ୍କୁ ନିଜର କରିବାକୁ ବେଶ ନିଖୁଣ ଅଭିନୟ କରନ୍ତି। ଏସବୁ ନାଟକ ଭିତରେ ଅନୁରାଧ ନିଜ ଖେଳ ଆରମ୍ଭ କରନ୍ତି। ଖାଇବାରେ ନିଶା ମିଶାଇ ସେ ଘରେ ଥିବା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟ ମୂଲବାନ ଜିନିଷ ସବୁ ପେଡି ପୁଟୁଳାରେ ବାନ୍ଧି ଫେରାର ହୋଇଯାଆନ୍ତି।

ପୀଡ଼ିତ ୨୫ ଜଣଙ୍କ ମଧ୍ୟରେ ଥିବା ବିଷ୍ଣୁ ଶର୍ମା ବାହାଘର ପାଇଁ ନେଇଥିଲେ ଋଣ

ଏପ୍ରିଲ ୨୦ ତାରିଖରେ ସୱାଇ ମାଧୋପୁରର ବିଷ୍ଣୁ ଶର୍ମା ମଧ୍ୟପ୍ରଦେଶର ଅନୁରାଧାଙ୍କୁ ବିବାହ କରିଥିଲେ। ବାହାଘର ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ହୋଇଥିଲା। ହିନ୍ଦୁ ପରମ୍ପରା ଅନୁସାରେ ବିଷ୍ଣୁ ଓ ଅନୁରାଧଙ୍କ ବାହାଘର ହୋଇଥିଲା। ପପୁ ମୀନା ନାମକ ଜଣେ ମଧ୍ୟସ୍ଥି ଏହି ବାହାଘର ଠିକ କରିଥିଲେ। ବାହାଘର ଠିକ କରିବାକୁ ବିଷ୍ଣୁ ତାଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।

ବାହାଘର ପରେ ଅନୁରାଧା ଭଲ ବୋହୂ ଓ ଭଲ ସ୍ତ୍ରୀ ଭାବେ ସମସ୍ତଙ୍କୁ ନିଜର କରିପାରିଥିଲେ। ୨ ସପ୍ତାହ ସବୁ କିଛି ଠିକ ଠାକ ଚାଲିଥିଲା। କିନ୍ତୁ ଏହାପରେ ଅନୁରାଧା ଓରଫ ଲୁଟେରୀ ଦୁଲହନ ୧.୨୫ ଲକ୍ଷ ଟଙ୍କାର ଅଳଙ୍କାର, ନଗଦ ୩୦ ହଜାର ଟଙ୍କା ଓ ୩୦ ହଜାର ମୂଲ୍ୟର ଗୋଟିଏ ମୋବାଇଲ ଧରି ବିଷ୍ଣୁଙ୍କ ଘରୁ ଚମ୍ପଟ ମାରିଥିଲେ।

ଶ୍ରୀ ଶର୍ମା ଏ ସମ୍ପର୍କରେ କହିଛନ୍ତି, “ମୁଁ ହସ୍ତତନ୍ତ ବ୍ୟବସାୟ କରେ। ବାହାଘର ପାଇଁ ମୁଁ ଋଣ କରିଥିଲି। ଗୋଟିଏ ମୋବାଇଲ ଫୋନ ମଧ୍ୟ ମୁଁ ବାକିରେ ଆଣିଥିଲି। ତା’କୁ ମଧ୍ୟ ଅନୁରାଧ ନେଇ ଯାଇଛି। ସେ ମୋତେ ଏମିତି ଠକିବ ବୋଲି ମୁଁ କେବେ ହେଲେ କଳ୍ପନା କରି ନଥିଲି। ତା’ ଆଚରଣ ଓ ଉଚ୍ଚାରଣ କେବେ ହେଲେ ମନରେ ସନ୍ଦେହ ସୃଷ୍ଟି କରି ନଥିଲା। ଘଟଣା ଦିନର ରାତିରେ ମୁଁ କାମରୁ ବିଳମ୍ବରେ ଫେରିଥିଲି।

ରାତି ଅଧିକ ହୋଇଯାଇଥିବାରୁ ମୁଁ ଖାଇବା କ୍ଷଣୀ ଶୋଇ ପଡ଼ିଥିଲି। ସାଧାଣତଃ ମୁଁ ଅଧିକ ସମୟ ଶୋଇବାକୁ ଭଲ ପାଏନି। କିନ୍ତୁ ସେଦିନ ମୁଁ ଗୋଟିଏ ଛୋଟ ପିଲା ଭଳି ଶୋଇ ପଡ଼ିଥିଲି। ସତେ ଯେମିତି ମୋତେ କେହି ନିଦ ବଟିକା ଦେଇଛି, ସେଭଳି ଅନୁଭବ ହୋଇଥିଲା।” ଘଟଣା ପରେ ଶ୍ରୀ ଶର୍ମାଙ୍କ ମା’ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ଏ ସମ୍ପର୍କରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

ପୁଲିସ୍‌ ଖେଳିଳା ସମାନ ଖେଳ

ବିଷ୍ଣୁଙ୍କ ଠାରୁ ସବୁ ତଥ୍ୟ ହାସଲ କରିବା ପରେ ସୱାଇ ମାଧୋପୁର ପୁଲିସ୍‌ ପକ୍ଷରୁ ଅନୁରାଧାଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେ ଯେମିତି ନକଲି ବିବାହ ଦ୍ୱାରା ଲୋକଙ୍କୁ ଠକୁ ଥିଲେ ଠିକ ସେହିପରି ପୁଲିସ୍‌ ତାଙ୍କ ସହ ସେହି ଖେଳ ଖେଳିଥିଲା। ଜଣେ କନଷ୍ଟେବଲ ପ୍ରଥମେ ନକଲି ବର ସାଜିଥିଲେ। ଏହାପରେ ଅନୁରାଧାଙ୍କ ପାଇଁ ମଧ୍ୟସ୍ଥି ସାଜିଥିବା ଏଜେଣ୍ଟଙ୍କ ପାଖରେ ନକଲି ବର ଜଣଙ୍କ ପହଞ୍ଚଥିଲେ। ଏହାପରେ ଅନୁରାଧାଙ୍କୁ ବାହାଘର ନାଁରେ ଭୋପାଲରୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସମସ୍ତ ଦସ୍ତାବିଜ ଓ ବିବାହ ରାଜିନାମା ନକଲି। ଏହାପରେ ଆମ ଟିମର ଜଣେ କନଷ୍ଟେବଲଙ୍କୁ ବର ସଜା  ଯାଇଥିଲା। ତାଙ୍କ ଜରିଆରେ ଲୁଟେରୀ ଦୁଲହନଙ୍କୁ ବାହାଘର ପାଇଁ ଡକା ଯାଇଥିଲା। ସେ ବାହାଘର ପାଇଁ ରାଜି ହୋଇଯିବାରୁ ତାଙ୍କୁ ଭୋପାଲରୁ ଗିରଫ କରାଯାଇଛି। ଘଟଣାର ଏବେ ଅଧିକ ତଦନ୍ତ ଚାଲିଛି। ସେ ଫସାଇଥିବା ପ୍ରାୟ ୨୫ ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯିବ।”

ଅନୁରାଧା ୭ ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ପ୍ରାୟ ୨୫ ଜଣଙ୍କୁ ନକଲି ବିବାହ ଜାଲରେ ଫସାଇ ଲୁଟ କରିଥିଲେ। ତାଙ୍କ ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପୁଲିସ୍‌ ଚିହ୍ନଟ କରିଛି। ସେମାନେ ହେଲେ ରୋଶନୀ, ରଘୁବୀର, ଗୋଲୁ, ମଜବୁତ ସିଂହ ଯାଦବ ଓ ଅରଜନ। ଏମାନେ ସମସ୍ତେ ଭୋପାଲର ବିଭିନ୍ନ ସ୍ଥାନରେ ରୁହନ୍ତି। ପୁଲିସ୍‌ ସେମାନଙ୍କୁ ମଧ୍ୟ ଧରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। 

Rajasthan Madhya Pradesh Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe