Advertisment

SHG ସଭାପତିଙ୍କ ଘର ଆଗରେ ବସିଲେ ମହିଳା; ପିଣ୍ଡାରେ ରାନ୍ଧି ଖାଇଲେ

ଏସ୍‌ଏଚ୍‌ଜି ମହିଳାଙ୍କ କହିବା ଅନୁସାରେ ମୀରା ମିର୍ଦ୍ଧା ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ଜମା କରିଥିବା ବେଳେ ବାକି ୨ ଲକ୍ଷ ୬୦ ହଜାର ଟଙ୍କା ଜମା ନକରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ ଏ ସମ୍ପର୍କରେ ମୀରା ମିର୍ଦ୍ଧାଙ୍କୁ ବାରମ୍ୱାର ପଚାରିଥିଲେ।

author-image
Manoranjan Sial
SHG

SHG

ଋଣ ଟଙ୍କୁ ସୁଝୁନାହାନ୍ତି SHG ସଭାପତି। ତେଣୁ SHG ଜମା ଖାତାରୁ ଟଙ୍କା ଉଠାଇବାକୁ ଦେଉନି ବ୍ୟାଙ୍କ। ତେଣୁ ସଭାପତିଙ୍କ ଘର ଆଗରେ ଧାରଣା ଦେଇଛନ୍ତି SHG ମହିଳା। ସେଠାରେ ରାନ୍ଧି ଖାଉଛନ୍ତି ଓ ରାତିରେ ତାଙ୍କ ଘର ପିଣ୍ଡାରେ ଶୋଉଛନ୍ତି। SHG ଟଙ୍କା ହଡପ୍‌ର ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ।

Advertisment

ଭୋଗରାଇ ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତର କିଛି ମହିଳା ମିଶି ବାବା ଚନ୍ଦନେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ଗଠନ କରିଥିଲେ। ଏହି ଏସ୍‌ଏଚ୍‌ଜି ୨୦୧୭ ମସିହାରେ ଚନ୍ଦନେଶ୍ୱର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୩ ଲକ୍ଷ ୬୦ ହଜାର ଟଙ୍କା ଋଣ ନେଇଥିଲା। ସେହି ଅର୍ଥକୁ ଗୋଷ୍ଠୀର ୧୫ ଜଣ ସଦସ୍ୟ ବାଣ୍ଟି ନେଇଥିଲେ। ତେବେ ସେମାନଙ୍କ ଭିତରୁ ୫ ଜଣ ମହିଳାଙ୍କ ଭାଗ ଟଙ୍କା ଶ୍ରୀମତୀ ମିର୍ଦ୍ଧା ନେଇଥିଲେ। ହେଲେ ସେ ସୁଧ ଓ ଋଣ ଟଙ୍କା ବ୍ୟାଙ୍କରେ ଜମା କରୁନଥିଲେ।

ଏସ୍‌ଏଚ୍‌ଜି ମହିଳାଙ୍କ କହିବା ଅନୁସାରେ ମୀରା ମିର୍ଦ୍ଧା ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ଜମା କରିଥିବା ବେଳେ ବାକି ୨ ଲକ୍ଷ ୬୦ ହଜାର ଟଙ୍କା ଜମା ନକରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ ଏ ସମ୍ପର୍କରେ ମୀରା ମିର୍ଦ୍ଧାଙ୍କୁ ବାରମ୍ୱାର ପଚାରିଥିଲେ। ହେଲେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଉନଥିଲେ। ୧୦ରୁ ୧୫ ଦିନ ତଳେ ଏହାକୁ ନେଇ ସଭାପତିଙ୍କ ସହିତ ଅନ୍ୟ ମହିଳା ସଦସ୍ୟାଙ୍କର ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା।

Advertisment

ଏସ୍‌ଏଚ୍‌ଜି ମହିଳାଙ୍କ ଭିତରେ ସୃଷ୍ଟି ହୋଥିବା ବିବାଦ ସମାଧାନ ପାଇଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁସ୍ମିତା ପାତ୍ର, ପୂର୍ବତନ ସମିତି ସଦସ୍ୟ ଗୁଣାଧର ଗିରି, ଏମ୍‌ବିକେ ପୁଷ୍ପାଞ୍ଜଳି ଦେ, ସିଆରପି ରଞ୍ଜୁଲତା ପରିଡ଼ା ପ୍ରମୁଖ ଚେଷ୍ଟା କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ସେପଟେ ଋଣ ଟଙ୍କା ଜମା ହେଉନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଷ୍ଠୀର ଜମା ଖାତାରୁ ଟଙ୍କା ଉଠାଇବାକୁ ଦେଉନାହିଁ। ଏପରିକି ରାଜ୍ୟ ସରକାରୀ ଶାଢୀ କିଣିବା ପାଇଁ ଦେଇଥିବା ୧ ହଜାର ଲେଖାଏଁ ଟଙ୍କାକୁ ମଧ୍ୟ ଉଠାଇବାକୁ ଦେଉନାହିଁ। ପଚାରିଲେ ବକେୟା ଋଣ ଟଙ୍କା ଅଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି।

ଗୁରୁବାରଠାରୁ ଏସ୍‌ଏଚ୍‌ଜି ମହିଳାମାନେ ସଭାପତି ମୀରା ମିର୍ଦ୍ଧାଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ତାଙ୍କ ପିଣ୍ଡାରେ ଚୂଲି କରି ରୋଷେଇ କରି ଖାଉଛନ୍ତି। ରାତିରେ ସେଠାରେ ରହୁଛନ୍ତି। ଟଙ୍କା ନମିଳିବା ଯାଏଁ ସେମିତି ଧାରଣାରେ ବସିବେ ବୋଲି ମହିଳାମାନେ କହିଛନ୍ତି। ଖବର ପାଇ ଚନ୍ଦନେଶ୍ଵର ପାଣ୍ଡି ଅଧିକାରୀ ବନ ବିହାରୀ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଗୋଷ୍ଠୀର ସମ୍ପାଦିକା ଲିଲିରାଣୀ ଦାସ ସହିତ ସମସ୍ତ ସଦସ୍ୟା ମାନେ ଧାରଣାରେ ବସିଛନ୍ତି।

ସେପଟେ ଏସ୍‌ଏଚ୍‌ଜି ସଭାପତି ମୀରା ମିର୍ଦ୍ଧା କହିଛନ୍ତି, ଋଣ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ବ୍ୟବସାୟ କ୍ଷତି ହେବାରୁ ଋଣ ଟଙ୍କା ସୁଝି ପାରିନାହାନ୍ତି। ଆଗାମୀ ଦିନରେ ଆର୍ଥିକ ସ୍ଥିତି ସୁଧୁରିଲେ ଋଣ ଟଙ୍କା ସୁଝି ଦେବେ ବୋଲି ସେ କହିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Shg Women