ଦିଦକୁ ଦିନ ବଢ଼ୁଛି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡୁଆ। ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ସବ୍ ରେଜିଷ୍ଟ୍ରାରଙ୍କୁ ଭେଟି ଅଭିଯୋଗ କରିଛନ୍ତି ବିଜୟ ଶଙ୍କରଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ। କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ଅଭିଯୋଗ କରିଛନ୍ତି। ଏହା ସହ ବିଜୟ ଶଙ୍କର ବିବାହ ଆବେଦନକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଏକ କପି ସବ୍ ରେଜିଷ୍ଟ୍ରାରଙ୍କୁ ଦେଇଛନ୍ତି।
ଏହା ସହ ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ଅଭିଯୋଗ କରିଛନ୍ତି। ‘ମୋତେ ଯେତେବେଳେ ବିଜୟ ଶଙ୍କର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ ସେତେବେଳେ ତାଙ୍କର ବୟସ ୩୦ ବର୍ଷ ହୋଇଥିଲା ବୋଲି ପଞ୍ଜୀକରଣ କରିଥିଲେ। ଏବେ ସେ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି। ସେଥିରେ ତାଙ୍କର ବୟସ ୩୦ ବର୍ଷ ଉଲ୍ଲେଖ ରହିଛି’ ବୋଲି ସୋମାଲିକା ଅଭିଯୋଗ କରିଛନ୍ତି।
ସବ୍ ରେଜିଷ୍ଟ୍ରାରଙ୍କୁ ଭେଟିବା ପରେ ସୋମାଲିକା କହିଛନ୍ତି, ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି। ଏ ସଂପର୍କିତ କପି ସବ୍ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି। ମୋତେ ନ୍ୟାୟ ନ ମିଳିବା ଯାଏ ବିଜୟ ଶଙ୍କରଙ୍କ ବାହାଘର ବନ୍ଦ ରହୁ। ହାଇକୋର୍ଟରେ ମୁଁ ଏହି ଆବେଦନ କରିଛି। ମୋ କେସ୍ ଶୁଣାଣି ହେବା ପରେ ବିଜୟ ଶଙ୍କର ବିବାହ କଲେ ମୋର କିଛି ଟେନସନ୍ ନାହିଁ।
ସେ ଆହୁରି କହିଛନ୍ତି,ମୋତେ ଯେତେବେଳେ ବିଜୟ ଶଙ୍କର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ, ସେତେବେଳେ ତାଙ୍କର ବୟସ ୩୦ ବର୍ଷ ହୋଇଥିଲା ବୋଲି ପଞ୍ଜୀକରଣ କରିଥିଲେ।। ଏବେ ସେ ଅନ୍ୟଜଣଙ୍କୁ ବିବାହ କରିବେ ଆବେଦନ କରିଛନ୍ତି। ସେଥିରେ ତାଙ୍କର ବୟସ ୩୦ ବର୍ଷ ଉଲ୍ଲେଖ ରହିଛି। ବିଧାୟକ ବୋଲି ଯାହା ଭୁଲ କରିବେ ନା କ’ଣ? ଏହି କଥା ମୁଁ ସବ୍ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲି। ସେ ମୋ କଥା କିଛି ଶୁଣିଲେ ନାହିଁ। ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ବୋଲି ସୋମାଲିକା କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।