Advertisment

ରାତିରେ ହତ୍ୟା କଲା, ଦିନରେ ଘର ସହ ମା’ର ଶବକୁ ଜାଳିଦେଲା

ଅଭିଯୁକ୍ତ ସମୀର ନାୟକ ଗୋଟିଏ ମାରପିଟ ଘଟଣାରେ ଗତ ୩ ବର୍ଷ ୨ ମାସ ହେଲା ଜେଲରେ ରହିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Odisha

Odisha

ଜେଲ ଫେରନ୍ତା ଜହ୍ଲାଦର ବର୍ବରକାଣ୍ଡ। ଯେଉଁ ମା’ ତାକୁ ଜନ୍ମ କରି ଛୋଟରୁ ବଡ଼ କରିଥିଲା, ତା’କୁ ହିଁ ସେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ପ୍ରଥମେ ମା’କୁ ଶନିବାର ରାତିରେ ହତ୍ୟା କରିଥିଲା ପୁଅ। ଆଉ ତା’ ପରେ ଆଜି ସକାଳେ ମା’ର ଶବ ସହ ପୂରା ଘରକୁ ପୋଡ଼ି ପାଉଁଶ କରି ଦେଇଛି।

Advertisment

ଖାଲି ସେତିକି ନୁହେଁ, ପଡ଼ୋଶୀଙ୍କୁ ମଧ୍ୟ ଟେକା ପଥର ମାଡ଼ କରିବାକୁ ସେ ପଛାଇ ନାହିଁ। ଏପରି ଏକ ଭୟଙ୍କର ଘଟଣା କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତର ଖଜୁରୀସାହିରେ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଟିକାବାଲି ଥାନା ପୁଲିସ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ପୁଅ ସମୀର କୁମାର ନାୟକ ନିଜ ବୃଦ୍ଧା ମା’ ମଞ୍ଜୁଳା ନାୟକଙ୍କୁ ହତ୍ୟା କରି ତାଙ୍କ ଶବକୁ ପୋଡ଼ି ଦେଇଛି। ମଞ୍ଜୁଳାଙ୍କ ବୟସ ପାଖାପାଖି ୯୨ ବର୍ଷ ହେବ। ଅଭିଯୁକ୍ତ ସମୀର ନାୟକ ଗୋଟିଏ ମାରପିଟ ଘଟଣାରେ ଗତ ୩ ବର୍ଷ ୨ ମାସ ହେଲା ଜେଲରେ ରହିଥିଲା। ତେବେ ସେ ଗତ ୨୩ ତାରିଖରେ ଜେଲରୁ ମୁକୁଳି ଘରକୁ ଆସିଥିଲା। ଜେଲରୁ ଫେରିବା ପରେ ସେ ଅସ୍ୱାଭାବିକ ଆଚରଣ ଦେଖାଉଥିଲା।

Advertisment

ଶନିବାର ରାତିରେ ଖାଇବା ପିଇବା ସରିବା ପରେ ସମ୍ଭବତଃ ମା’ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ମା’ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ କୌଣସି ପ୍ରକାରେ ସେ ହତ୍ୟା କରିଥିଲା। ଆଜି ଦିନ ପ୍ରାୟ ୧୦ଟା ବେଳେ ସେ ପ୍ରମାଣ ନଷ୍ଟ କରିବା ପାଇଁ ମା’ର ଶବ ସହ ପୂରା ଘରେ ନିଆଁ ଲଗାଇ ଦେଇଥିଲା।

ଏହା ପରେ ପୋଡ଼ଶୀଙ୍କ ଘରକୁ ପଥର ମଧ୍ୟ ମାରିଥିଲା। ଏଥିଯୋଗୁ ସାହିବାସିନ୍ଦା ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। ବେଶ କିଛି ସମୟରେ ଉତ୍ତେଜନା ପରେ ପଡ଼ୋଶୀମାନେ ତା’କୁ କୌଣସି ପ୍ରକାରେ କାବୁ କରିବା ସହ ଟିକାବାଲି ଥାନା ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ଘରେ ଲାଗିଥିବା ନିଆଁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ ମଞ୍ଜୁଙ୍କ ଶବ ସହ ପୂରା ଘର ପୋଡ଼ି ପାଉଁଶ ହୋଇ ଯାଇଥିଲା। ଟିକାବାଲି ଥାନା IIC କଲ୍ୟାଣୀମୟୀ ଷେଣ୍ଢ, ଜି. ଉଦୟଗିରି SDPO ବିଜୟ କୁମାର ବିଶି ପ୍ରମୁଖ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଂଚି ହତ୍ୟା ଘଟଣାର ଛାନଭିନ କରିବା ସହିତ ମୃତକଙ୍କ ହାଡ଼ କଙ୍ଗାଳ ଜବତ କରିଛନ୍ତି।

ଏଥିସହ ଅଭିଯୁକ୍ତ ପୁଅ ସମୀର ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଏଯାଏ ମା’ଙ୍କୁ ସମୀର କେମିତି ଓ କାହିଁକି ହତ୍ୟା କଲା, ସେକଥା କହିନାହିଁ।

ରିପୋର୍ଟ: କନ୍ଧମାଳରୁ ତ୍ରିନାଥ ସାହୁ

Odisha