ହନିମୁନ ଟ୍ରିପ ବେଳେ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ବେୱାଫା ସୋନମ ରଘୁବଂଶୀଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ଆସିଛି। ସେ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହନିମୁନ ଟ୍ରିପରେ ଯିବା ବେଳେ ନିଜ ପାଖରେ ଥିବା ୧୦ ଲକ୍ଷ ଟଙ୍କା ମୂଲ୍ୟରେ ସୁନା ପିନ୍ଧିବାକୁ ବାଧ୍ୟ କରିଥିଲେ। ରାଜା ମଧ୍ୟ ପତ୍ନୀ ସୋନମଙ୍କ କଥାରେ ସୁନା ପିନ୍ଧି ମଧ୍ୟପ୍ରଦେଶର ଇନ୍ଦୋରରୁ ହନିମୁନ ପାଇଁ ମେଘାଳୟର ଶିଲଂ ଯାଇଥିଲେ।
ସେଠାରେ ସୋନମ ନିଜ ପ୍ରେମିକ ରାଜ କୁଶୱା ଓ ଆଉ କିଛି ସୁପାରୀ କିଲରଙ୍କ ସହ ମିଶି ରାଜାଙ୍କୁ ହତ୍ୟା କରିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ମେ’ ୨୩ରୁ ଉଭୟ ସୋନମ ଓ ରାଜା ମେଘାଳୟରୁ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ଗଳିତ ମୃତଦେହ ଚେରାପୁଞ୍ଜି ଅଞ୍ଚଳରୁ ମିଳିଥିଲା। ନିଖୋଜ ଥିବା ସୋନମଙ୍କୁ ଆଜି ଉତ୍ତର ପ୍ରଦଶର ଗାଜିପୁରରୁ ପୁଲିସ୍ ଗିରଫ କରିଛି। ତେବେ ସେ ଅପହରଣର ଓ ଲୁଟର ଶିକାର ହେବା ପରେ ଉତ୍ତର ପ୍ରଦେଶରେ ଆସି ପହଞ୍ଚିଥିବା ପୁଲିସ୍କୁ କହିଛନ୍ତି।
ଏସବୁ ଭିତରେ ବେୱାଫା ଓ ହତ୍ୟାର ଅପବାଦ ମୁଣ୍ଡାଇ ଥିବା ସୋନମଙ୍କ ସମ୍ପର୍କରେ ରାଜାଙ୍କ ମା’ ବଡ଼ କଥା କହିଛନ୍ତି। ତାଙ୍କ କହିବା କଥା ଯେ ସୋମନ ରଘୁବଂଶୀ ହନିମୁନ ଟ୍ରିପ ପାଇଁ ସବୁ ପ୍ରକାରର ଟିକେଟ ବୁକିଂ କରିଥିଲେ। ଯିବା ଠାରୁ ଆରମ୍ଭ କରି ବୁଲାବୁଲି ଓ ହୋଟେଲ ରହଣୀ ସମ୍ପର୍କିତ ବୁକିଂ ସେ ନିଜ ଆଡ଼ୁ କରିଥିଲେ। କିନ୍ତୁ ରିଟର୍ଣ୍ଣ ଟିକେଟ ସେ ବୁକିଂ କରି ନଥିଲେ।
ରାଜାଙ୍କ ମା’ ଉମା ରଘୁବଂଶୀ କହିଛନ୍ତି ଯେ “ଶିଲଂ ବ୍ୟତୀତ ନିଜ ଟ୍ରିପକୁ ଅଧିକ ଲମ୍ବା କରିବା ମୁଡରେ ସମ୍ଭବତଃ ସୋନମ ରହିଥିଲା। କିନ୍ତୁ ନିଜର ଟ୍ରିପ ସମ୍ପର୍କରେ ଉଭୟ ପରିବାର ଠାରୁ ଲୁଚାଇ ରଖିଥିଲା। ସୋନମ ଟ୍ରିପ ପାଇଁ ଟିକେଟ ବୁକ କରିଥିଲା। ରିଟର୍ଣ୍ଣ ଟିକେଟ ବୁକ ନ କରାଯିବା ପଛର କାରଣ ମଧ୍ୟ ମୋ ପୁଅକୁ ଜଣା ନଥିଲା। ଗତବର୍ଷ ସୋନମ ନିଜ ପରିବାର ସହ ଶିଲଂ ଯାଇଥିଲା। ଏବେ ପୁଣି ସେ ରାଜା ସହ ସେଠାକୁ ଯିବାକୁ ଟିକେଟ ବୁକ କରିଥିଲା।”
ପୁଲିସ୍ ଅଧିକାରୀଙ୍କ କହିବା କଥା ଯେ ମଧ୍ୟପ୍ରଦେଶରୁ ରାଜା ଓ ସୋନମ ସେମାନଙ୍କର ସବୁ ସୁନା ଅଳଙ୍କାର ପିନ୍ଧି ମେଘାଳୟ ଯାଇଥିଲେ। ସୋନମ ନିଜ ବାପାଙ୍କ ଘରୁ ସିଧା ଏୟାରପୋର୍ଟ ଯାଇଥିବା ବେଳେ ରାଜା ନିଜ ଘର ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଜିନିଷ ପିନ୍ଧି ସେଠାରେ ପହଞ୍ଚିଥିଲେ। ଏହା ମଧ୍ୟରେ ଗୋଟିଏ ହୀରାର ମୁଦି, ଚେନ ଓ ବ୍ରେସଲେଟ ରହିଥିଲା। ଏତେ ଟଙ୍କାର ଅଳଙ୍କାର ପିନ୍ଧି କାହିଁକି ବାହାରକୁ ଯାଉଛୁ ବୋଲି ରାଜାଙ୍କ ମା’ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସୋନମ ତାଙ୍କୁ ଏପରି କରିବାକୁ କହିଥିବା ସେ ମା’ଙ୍କୁ ଜଣାଇଥିଲେ।
ଉମା କହିଛନ୍ତି, “ହତ୍ୟାରେ ଯଦି ସୋନମ ସାମିଲ ରହିଛି, ତା’ହେଲେ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ସୋନମ ସୋମବାର ସକାଳୁ ମିଳିବା କଥା ପୁଲିସ୍ ଆମକୁ ଜଣାଇ ନଥିଲା। ପୂରା ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ଯଦି ସୋନମ କିଛି କରି ନାହିଁ, ତା’ହେଲେ ତା’କୁ କାହିଁକି ଗିରଫ କରାଯାଇଛି? ସୋନମର ବ୍ୟବହାର ପୂରା ଭଲ ଥିଲା। ସେ ସବୁବେଳେ ମୋତେ କୁଣ୍ଢାଇ ଥାଏ।”
ଯଦି ସୋନମ ତାଙ୍କ ପୁଅକୁ ଭଲ ପାଉଥିଲେ, ତା’ହେଲେ ତାଙ୍କୁ କାହିଁକି ମରିବା ପାଇଁ ଛାଡ଼ି ଦେଲେ ବୋଲି ମଧ୍ୟ ଉଷା ରଘୁବଂଶୀ ପ୍ରଶ୍ନ କରିଛନ୍ତି।
ମେ’ ୧୧ରେ ବିବାହ କରିଥିବା ରାଜା ଓ ସୋନମ ଚେରାପୁଞ୍ଜିକୁ ହନିମୁନ ପାଇଁ ଯାଇଥିଲେ। କିନ୍ତୁ ମେ’ ୨୩ରେ ସେମାନଙ୍କ ନିଖୋଜ ମାମଲା ସାମ୍ନାକୁ ଆସିଥିଲା। ନିଖୋଜର ଦିନକ ପରେ ସେମାନେ ଭଡ଼ାରେ ଥିବା ସ୍କୁଟିକୁ ସୋହରାରିମକୁ ଠାବ କରାଯାଇଥିଲା। ଏହାର ୧୦ ଦିନ ପରେ ରାଜାଙ୍କ ମୃତଦେହ ରିଆତ ଅର୍ଲିଆଙ୍ଗର ୱିଇସାୱଡଙ୍ଗର ପାର୍କିଂ ସ୍ଥଳର ଗୋଟିଏ ଖାତରୁ ମିଳିଥିଲା। ସେଠାରୁ ଗୋଟିଏ କାତିକୁ ମଧ୍ୟ ପୁଲିସ୍ ଜବତ କରିଥିଲା। ସମ୍ଭବତଃ ଉକ୍ତ କାତିରେ ରାଜାଙ୍କୁ ହତ୍ୟା କରାଯାଇଥିଲା।
ସୋମବାର ସକାଳେ(ଜୁନ ୯) ସୋନମଙ୍କୁ ଗାଜିପୁର ସ୍ଥିତ ଗୋଟିଏ ରାସ୍ତା କଡ଼ ଢାବାରୁ ଅଚେତ ଅବସ୍ଥାରେ ପୁଲିସ୍ ଠାବ କରିଥିଲା। ଏହାପରେ ତାଙ୍କୁ ଗାଜିପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆତ୍ମସମର୍ପଣ କରିଥିଲେ ଓ ପୁଲିସ୍ ତାଙ୍କୁ ଗିରଫ କରିଥିଲା।
ପୁଲିସ୍ ଦାବି କରିଛି ଯେ ବାହାଘର ପରେ ମଧ୍ୟ ସୋନମ ପରକୀୟା ପ୍ରୀତିରେ ମାତିଥିଲେ। ଏଥିପାଇଁ ସେ ନିଜ ପ୍ରେମିକ ରାଜ କୁଶୱା ଓ କିଛି ସୁପାରୀ କିଲରଙ୍କ ଦ୍ୱାରା ଶିଲଂରେ ରାଜାଙ୍କୁ ହତ୍ୟା କରିଛନ୍ତି। ସେ ରାଜ କୁଶୱାଙ୍କ କଥାରେ ହତ୍ୟାକାଣ୍ଡ ଘଟାଇଥିଲେ ଓ ପରେ ଚାପରେ ଆସି ଆତ୍ମସମର୍ପଣ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।