Advertisment

ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ସଭାପତିଙ୍କ ଉପରକୁ ଉଠିଲା ଅଙ୍ଗୁଳି

ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ ହୋଇଥିବା ବେଳେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ, ସେ ନେଇ ଉଠିଛି ପ୍ରଶ୍ନ।

author-image
Jitendra Garnayak
ଅଦ୍ୟତନ ହୋଇଛି
Srikanta Tarai

Srikanta Tarai

ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ଉପରକୁ ଉଠିଛି ଅଙ୍ଗୁଳି।

Advertisment

ବୋର୍ଡରେ ସମ୍ପାଦକ ଏବଂ ପରୀକ୍ଷା ନିୟନ୍ତ୍ରକ ଥାଉ ଥାଉ ୨୦୨୪ରେ ଉପସଭାପତି ନିହାର ମହାନ୍ତିଙ୍କୁ ଦିଆଯାଇଥିଲା ପରୀକ୍ଷା ପରିଚାଳନା ଦାୟିତ୍ୱ। ଏ ସଂପର୍କିତ ଏକ ଚିଠି ସାମ୍ନାକୁ ଆସିଛି। ଏହି ଚିଠି କରିଥିଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ପୂର୍ବତନ ବୋର୍ଡ ସଭାପତି ଧରଣୀଧର ନାଥଙ୍କ କହିବା କଥା, ଓଡ଼ିଶା ସେକେଣ୍ଡାରୀ ଏଜୁକେସନ୍ ଆଇନ-୧୯୫୩ ଅନୁଯାୟୀ, ବୋର୍ଡର ସର୍ବେସର୍ବା ହେଉଛନ୍ତି ସଭାପତି। ପରୀକ୍ଷା ପରିଚାଳନା ଦାୟିତ୍ୱ ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକଙ୍କ ଉପରେ ରହିବା କଥା। ହେଲେ ଆଇନକୁ ଜଳାଞ୍ଜଳି ଦେଇ କାହିଁକି ଉପସଭାପତି ନିହାର ମହାନ୍ତିଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଉଥିଲେ ସଭାପତି ଶ୍ରୀକାନ୍ତ ତରାଇ ? ସ୍ପେଶାଲ OTET ପ୍ରଶ୍ନପତ୍ର ତ ଲିକ୍ ହେଲା, ଅଥଚ କାହିଁକି ପୁଲିସକୁ ସଭାପତି ଶ୍ରୀକାନ୍ତ ତରାଇ ନିଜ ଆଡୁ ଜଣାଇଲେନି ?

Advertisment

ନିହାର-ଶ୍ରୀକାନ୍ତ ଯୋଡ଼ି ଆଜିର ନୁହନ୍ତି। ଶ୍ରୀକାନ୍ତ ତରାଇ ଯେଉଁ ସମୟରେ ବୋର୍ଡ ସମ୍ପାଦକ ଥିଲେ, ସେହି ସମୟରେ ନିହାର ଥିଲେ ପରୀକ୍ଷା ନିୟନ୍ତ୍ରକ। ଶ୍ରୀକାନ୍ତ ବୋର୍ଡ ସଭାପତି ହେଲା ପରେ ନିହାର ବନିଥିଲେ ଉପସଭାପତି। ତେଣୁ ସେମାନଙ୍କ ମଧ୍ୟରେ କିଛି ଅସାଧୁ ମେଣ୍ଟ ରହିଛି କି ବୋଲି କେହି କେହି ପ୍ରଶ୍ନ କରି ଏହାର ତଦନ୍ତ ପାଇଁ ଦାବି କରିଛନ୍ତି।

ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ ହୋଇଥିବା ବେଳେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ, ସେ ନେଇ ଉଠିଛି ପ୍ରଶ୍ନ।

ପୂର୍ବରୁ ବିଭିନ୍ନ ସମୟରେ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ଏବଂ OTET ପରୀକ୍ଷାରେ ବିଭ୍ରାଟ ଘଟିଛି। କିନ୍ତୁ, କ୍ରାଇମବ୍ରାଞ୍ଚ ନିକଟରେ ନା କେହି କେବେ ଅଭିଯୋଗ କରିଥିଲେ ନା କୌଣସି ଧରପଗଡ଼ ହୋଇଥିଲା। ଏବେ ଜାରି ରହିଥିବା ତଦନ୍ତ ଭିତରେ ଉପ-ସଭାପତି ନିହାର ମହାନ୍ତି ଏବଂ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଆର୍ଥିକ କାରବାର ଦିଗ ଖୋଜୁଛି କ୍ରାଇମବ୍ରାଞ୍ଚ। ଗତ ୫ ରୁ ୧୦ ବର୍ଷ ମଧ୍ୟରେ ହୋଇଥିବା ଦେଣନେଣର ତର୍ଜମା ବି କରୁଛି। ଏପରିକି ନିହାର-ଜିତନଙ୍କୁ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଯୋଜନା ରଖିଥିବାବେଳେ କାହିଁକି ଏଯାଏଁ ବୋର୍ଡ ଉପସଭାପତିଙ୍କ ବିରୋଧରେ ହୋଇନି ବିଭାଗୀୟ ଆକ୍ସନ, ସେନେଇ ବି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ କଳାହାଣ୍ଡି ସଦର ବ୍ଲକ୍ ଭେଜିପଦର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ଆଜି ନିଲମ୍ବିତ କରିଛି ଶିକ୍ଷା ବିଭାଗ। ତାଙ୍କୁ ବି ଏହି ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଇତିମଧ୍ୟରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଏବେବି ଖୋଳତାଡ଼ ଜାରି ରହିଛି। 

OTET BSE