Advertisment

ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ଖାଇଗଲେ; ୧୯ ଲିଜଧାରୀଙ୍କୁ ନୋଟିସ୍‌

ନୋଟିସ୍‌ ହୋଇଥିବା ଜଣେ ଲିଜଧାରୀ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗର ଦେବେନ୍ଦ୍ର ନାଥ ଜେନା। ତାଙ୍କୁ ୨୦୨୨-୨୩ ମସିହାରେ ୩୦, ୦୦୦ କ୍ୟୁବିକ ମିଟରର ପଥର ଖନନ ପାଇଁ ଅନୁମତି ମିଳିଥିଲା।

Jaga

Jaga

Advertisment

କୋଟି ଓଡ଼ିଆଙ୍କ ମଉଡମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଖଣି ଖାଇଗଲେ ମାଫିଆ। ଉତ୍ତୋଳନ ପାଇଁ ଯେତିକି ଅନୁମତି ନେଇଥିଲେ, ତା’ଠାରୁ ଢ଼ର ଗୁଣା ପଥର ତାଡ଼ି ବିକିଦେଲେ। ଏଭଳି ମହାଲୁଟ୍‌ ଧରାପଡ଼ିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁଥିରେ ୧୫ଦିନ ଭିତରେ ରୟାଲିଟି ସହ ଆନୁସଙ୍ଗିକ ଦେୟ ଓ ଫାଇନ ଜମା କରିବାକୁ କଡ଼ା ନିର୍ଦ୍ଦେଶ ରହିଛି।

Advertisment

ନୋଟିସ୍‌ ହୋଇଥିବା ଜଣେ ଲିଜଧାରୀ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗର ଦେବେନ୍ଦ୍ର ନାଥ ଜେନା। ତାଙ୍କୁ ୨୦୨୨-୨୩ ମସିହାରେ ୩୦, ୦୦୦ କ୍ୟୁବିକ ମିଟରର ପଥର ଖନନ ପାଇଁ ଅନୁମତି ମିଳିଥିଲା। ହେଲେ ସେ ତା’ଠୁ ଢେର ଅଧିକ ପରିମାଣର ଅର୍ଥାତ୍ ୧୨ ଲକ୍ଷ ୨୮ ହଜାର ୫୭ କ୍ୟୁବିକ ମିଟର ଖଣିଜ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ତେଣୁ ରୟାଲିଟି ଓ ପେନାଲଟି ବାବଦକୁ ମିଶାଇ ମୋଟ୍ ୧କୋଟି ୮୪ଲକ୍ଷ ଟଙ୍କା ଦାଖଲ କରିବା ପାଇଁ ତାଙ୍କୁ ଚିଠି ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଦେବେନ୍ଦ୍ରଙ୍କ ଭଳି ଖୋର୍ଦ୍ଧା ଜିଲ୍ଲାର କାଇପଦର, ତାପଙ୍ଗ, ଶଙ୍ଖାରି, ତାଳଛୁଆ, ହାତିଆ, ଦକ୍ଷିଣଘର ଓ ଗୋଲାପୁଟ ଆଦି ସ୍ଥାନରେ ଖଣି ଲିଜ ପାଇଥିବା ଆହୁରି ୧୮ଜଣ ଲିଜଧାରୀଙ୍କୁ ନୋଟିସ୍‌ ହୋଇଛି। ବେଆଇନ ଖନନ ସ୍ଥଳରେ ଡ୍ରୋନ ମାଧ୍ୟମରେ ଆକଳନ କରାଯାଇ ଜରିମାନା ନୋଟିସ୍ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।

Advertisment

ସେପଟେ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍ ପାଇ ପୁରୀ ଆସିଥିଲେ ଖଣି ଲିଜଧାରୀ ଦେବେନ୍ଦ୍ର ଜେନା। ବେଆଇନ ଖନନକୁ ସେ ସିଧାସଳଖ ଖଣ୍ଡନ କରିଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲାର ବହୁ ସ୍ଥାନରେ ପଥର ଖାଦାନ ରହିଛି। ଯେଉଁଠୁ ଶ୍ରୀମନ୍ଦିର ପାଇଁ ମରାମତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହାର ପାଇଁ ପଥର ଆସିଥାଏ। ବାକି ଅନ୍ୟ ଖଣି ଲିଜ ଆକାରରେ ଦିଆଯାଇ ସେ ବାବଦରେ ରୟାଲିଟି ଅର୍ଥ ପ୍ରଶାସନ ପାଖକୁ ଆସିଥାଏ। ସେସବୁ ଖଣିରୁ କେତେ ପରିମାଣର ଖନନ ହେବ ତାହା ମଧ୍ୟ ଚୁକ୍ତିପତ୍ରରେ ଉଲ୍ଲେଖ ଥାଏ। ହେଲେ ଲିଜଧାରୀ ସେ ନିୟମକୁ ଫୁ’ କରି ମନଇଚ୍ଛା ଖଣି ଖୋଳି କୋଟି କୋଟି ଟଙ୍କା ଲାଭବାନ ହେଉଥିବାର ସଂଗୀନ ଅଭିଯୋଗ ଆସିବା ପରେ ସେମାନଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ୧୭ଟି ନିର୍ମାଣ ପଥର ଖଣି ଓ ୨ଟି ମାଙ୍କଡ଼ା ପଥର ଖଣି ଲିଜଧାରୀଙ୍କୁ ଓଡ଼ିଶା ଲଘୁ ଖଣିଜ ଆଇନ୍-୨୦୧୬ ଆଧାରରେ ଜରିମାନା ଦାଖଲ ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ତେବେ କେମିତି ଠାକୁରଙ୍କ ସଂପତ୍ତି ଜାଣି ବି କୋରି ଖାଇଗଲେ ଖଣି ମାଫିଆ ? ଶ୍ରୀମନ୍ଦିର ପ୍ରଶାସନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏକଥା ଜାଣିଥିଲେ ନା ଜାଣି ଅଜଣା ଥିଲେ ? ଏପ୍ରଶ୍ନ କରିଛନ୍ତି ଆଇନଜୀବୀ ଓ ସେବାୟତ। ତା’ସହ ଅଭିଯୋଗ କରିଛନ୍ତି, ବର୍ଷ ବର୍ଷ ଧରି ଖଣି ଲିଜଧାରୀଙ୍କ ସହ ମଧୁଚନ୍ଦ୍ରିକା କରି ଏ ମହାଲୁଟରେ ସାମିଲ ଅଫିସରମାନଙ୍କୁ ଧରି ଆଗେ ଦଣ୍ଡିତ କରାଯାଉ।

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ବେଆଇନ ଖଣି ଖନନ ଅଭିଯୋଗ ଉପରେ ଉପ-ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିଲେ ଆକ୍ସନ ହେବ।

ତେଣେ ଗତ ପରିଚାଳନା ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଥିଲେ, ଠାକୁରଙ୍କ ଖଣି ଚୋରି ରୋକିବାକୁ ରାଜ୍ୟ ସରକାର ନୂଆ ନିୟମ କରିଛନ୍ତି। ଏଣିକି ଖଣି ଓ ଇସ୍ପାତ ବିଭାଗ ଜଗନ୍ନାଥଙ୍କ ନାଁରେ ଥିବା ଖଣି ସବୁର ଦାୟିତ୍ୱ ନେବ।

Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe