/odisha-reporter/media/post_attachments/uploadimage/library/16_9/16_9_0/FM_College_1752316235.jpg)
FM College
ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିବା ଜଣେ ଛାତ୍ରୀ ଆଜି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଶରୀରର ୯୦% ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ଏହି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ପୋଡ଼ି ଯାଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତ ଅଧ୍ୟାପକ ଗିରଫ
ଛାତ୍ରୀ ଜଣଙ୍କ ଯେଉଁ ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ନାଁ ସମୀର ସାହୁ। ସେ ଏଫ୍ଏମ୍ କଲେଜରେ ଏଜୁକେସନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ସହଦେବଖୁଣ୍ଟା ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଲେଶ୍ୱର ଏସ୍ପି କହିଛନ୍ତି, ସବୁ ଦିଗରୁ ତଦନ୍ତ ଚାଲିଛି। ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଇଣ୍ଟରନାଲ୍ କମିଟି କ'ଣ ନିଷ୍ପତ୍ତି ନେଇଥିଲା, ତା’ର ତର୍ଜମା ଚାଲିଛି। ଯାହାର ବି ତ୍ରୁଟି ସାମ୍ନାକୁ ଆସିବ ଓ କାର୍ଯ୍ୟାନୁଷ୍ଠାନ ହେବ।
କାର୍ଯ୍ୟାନୁଷ୍ଠାନ ନେଲେ ସରକାର
ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ। କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ ସସ୍ପେଣ୍ଡ କରିଛି ବିଭାଗ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
‘ଫେବର’ ମାଗୁଥିଲେ ଅଧ୍ୟାପକ
ଜୀବନ ହାରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ଅଧ୍ୟାପକ ସମୀର ସାହୁ ତାଙ୍କ ଭଉଣୀଙ୍କୁ ‘ଫେବର’ ମାଗୁଥିଲେ। ନହେଲେ ଫେଲ୍ କରିଦେବେ ବୋଲି କହିଥିଲେ।
ସେହିପରି ତାଙ୍କ ସହପାଠୀମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ପାସ୍ ହେବାକୁ ଦେବେନି କହି ଅଧ୍ୟାପକ ସମୀର ସାହୁ ତାଙ୍କୁ ନିର୍ଯାତନା ଦେଉଥିଲେ। ତା’ ସହିତ ଏକ ଛାତ୍ର ସଂଗଠନ ସହିତ ଜଡ଼ିତ ଥିବାରୁ ତାଙ୍କୁ ହଇରାଣ କରାଯାଉଥିଲା ବୋଲି ତାଙ୍କ ସହପାଠୀମାନେ ଅଭିଯୋଗ କରିଛନ୍ତି।
ପେଟ୍ରୋଲ ଢାଳି ନିଆଁ ଲଗାଇବା ପୂର୍ବରୁ ଅଧ୍ୟକ୍ଷଙ୍କ ଚାମ୍ବର ଯାଇଥିଲେ
ଛାତ୍ରୀ ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାର କିଛି ସମୟ ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କ ରୁମ୍କୁ ଯାଇଥିଲେ। କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ମଧ୍ୟ ଏହି କଥା କହିଛନ୍ତି।
ଅଧ୍ୟକ୍ଷ ଶ୍ରୀ ଘୋଷ କହିଛନ୍ତି, ଝିଅଟି ମୋ ପାଖକୁ ଆସିଥିଲା। ସେ ବହୁତ ମାନସିକ ଚାପ ମଧ୍ୟରେ ଥିଲା। ମୁଁ ତାକୁ ପ୍ରାୟ ୧୫/୨୦ ମିନିଟ୍ ଧରି ବୁଝାଇଥିଲି। ତଦନ୍ତ ରିପୋର୍ଟ ଆସିଛି ବୋଲି କହିଥିଲି। ଏମିତିକି ରିପୋର୍ଟ କ’ଣ ଅଛି, ସେଥିରୁ କିଛି କିଛି ତାଙ୍କୁ କହିଥିଲି। ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିଲି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସମସ୍ତଙ୍କ ସହିତ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ତାଙ୍କୁ କହିଥିଲି। ତେବେ ସେ ଅଧ୍ୟାପକ ସମୀର ସାହୁଙ୍କୁ ଏଠାକୁ ଡାକିବାକୁ କହିଥିଲେ। ମୁଁ ଅଧ୍ୟାପକ ସମୀର ସାହୁଙ୍କୁ ଫୋନ୍ କରି ଡାକିଥିଲି। ତାଙ୍କ ସହିତ ମୁଁ ଆଲୋଚନା କରୁଥିବା ବେଳେ ଝିଅଟି ପୁଣି ମୋ ରୁମ୍କୁ ଆସିଥିଲା। ଯାହା ନିଷ୍ପତ୍ତି ନେବା କଥା ଆଜି ନିଅନ୍ତୁ ବୋଲି ମୋତେ କହିଥିଲା। ମୁଁ ପୁଣି ତାକୁ ବୁଝାଇଥିଲି। ସେଠାରୁ ଯିବାର ପ୍ରାୟ ୧୦ ମିନିଟ୍ ପରେ ସେ ତା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।
ତଦନ୍ତ ରିପୋର୍ଟରେ କ’ଣ ରହିଛି
କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ଅଧ୍ୟାପକ ଜଣଙ୍କ ବିଭିନ୍ନ ସମୟରେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ। ତା’ ସହିତ ଅଧ୍ୟାପକ ସମୀର ସାହୁ ତାଙ୍କୁ ‘ଫେବର’ ମାଗୁଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ଆମେ ଏହାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିଥିଲୁ। କମିଟି ଘଟଣାର ତଦନ୍ତ କରି ଗତକାଲି ରିପୋର୍ଟ ଦେଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଓ ସମସ୍ତ ବର୍ଗର ଲୋକଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କର ଲିଖିତ ବୟାନ ରେକର୍ଡ କରିଥିଲା କମିଟି। ତା’ପରେ କିଛି ସୁପାରିସ ସହିତ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲା କମିଟି। କିନ୍ତୁ ସେଥିରେ ଏହି ‘ଫେବର’ ଅଭିଯୋଗ ନେଇ କୌଣସି ପ୍ରମାଣ ମିଳି ନଥିଲା ବୋଲି ଉଲ୍ଲେଖ କରାଯାଇଛି।
ମାନବିକତା ଦେଖାଇଲେନି ଅଫିସ କର୍ମଚାରୀ
ଜୀବନ ହାରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କ ସହପାଠୀମାନେ କହିଛନ୍ତି, ସେ ଅଧ୍ୟକ୍ଷଙ୍କ ରୁମ୍ରୁ ବାହାରିବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଆମେ ତାଙ୍କୁ ପ୍ରିନ୍ସପାଲଙ୍କ ଚାମ୍ବର ସମ୍ମୁଖରେ ଜଳୁଥିବା ଦେଖିଥିଲୁ। କଲେଜ ସମସ୍ତ ଅଫିସ କର୍ମଚାରୀ ସେଠାରେ ଥିଲେ ବି କେହି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ନଥିଲେ। ସେମାନେ ସାମାନ୍ୟତମ ମାନବିକତା ଦେଖାଇ ନଥିଲେ। ଆମେ କିଛି ଜଣ ଦୌଡ଼ି ଯାଇ ସାର୍ଟ ଖୋଲି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲୁ। ମାତ୍ର ସେତେବେଳକୁ ତାଙ୍କର ପୂରା ଶରୀରରେ ନିଆଁ ଲାଗିସାରିଥିଲା।
ଛାତ୍ର ଜଣଙ୍କ ନିଜେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଡାକ୍ତରଙ୍କୁ କହିଥିଲେ। ଡାକ୍ତର କହିଛନ୍ତି ଯେ ତାଙ୍କ ଶରୀରର ୯୦% ପୋଡ଼ିଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
