/odisha-reporter/media/post_attachments/uploadimage/library/16_9/16_9_0/Stop_Rape_1751012167.jpg)
Stop Rape
ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରେ ଘଟିଛି ଭୟଙ୍କର ଓ ଲଜ୍ଜାଜନକ ଘଟଣା। ଦକ୍ଷିଣ କୋଲକାତାର କାସବା ଠାରେ ଥିବା ଗୋଟିଏ ଆଇନ ମହାବିଦ୍ୟାଳୟ ଭିତରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଦକ୍ଷିଣ କ୍ୟାଲକାଟା ଆଇନ କଲେଜର ଗଣଦୁଷ୍କର୍ମ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି। ଗିରଫ ୩ ଜଣଙ୍କ ମଧ୍ୟରେ ୨ ଜଣ କଲେଜର ଛାତ୍ର ହୋଇଥିବା ବେଳେ ଆଉ ଜଣେ ପୂର୍ବତନ ଛାତ୍ର। ଘଟଣାଟି ଜୁନ ୨୫ ତାରିଖ ସନ୍ଧ୍ୟା ୭.୩୦ରୁ ୧୦.୫୦ ମଧ୍ୟରେ କଲେଜ ପରିସରରେ ହିଁ ଘଟିଥିଲା।
ପୀଡ଼ିତାଙ୍କ ଅଭିଯୋଗ ଆଧାରରେ କାସବା ପୁଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ପୁଲିସ୍ ପ୍ରାଥମିକ ଭାବେ ୩୧ ବର୍ଷୀୟ ମନଜିତ ମିଶ୍ରା, ୧୯ ବର୍ଷୀୟ ଜୈବ ଅହମଦ ଓ ୨୦ ବର୍ଷୀୟ ପରମିତ ମୁଖାର୍ଜୀଙ୍କୁ ଗିରଫ କରିଛି। ମନଜିତ ମିଶ୍ର ହେଉଛନ୍ତି କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି।
ଘଟଣା ଜୁନ ୨୫ରେ ଘଟିଥିବା ବେଳେ ପୁଲିସ୍ ଜୁନ ୨୬ ତାରିଖ ସନ୍ଧ୍ୟାରେ ମନଜିତ ଓ ଅହମଦଙ୍କୁ ଗିରଫ କରିଥିଲା। ଏମାନଙ୍କୁ କୋଲକାତାର ତଲବାଗନ କ୍ରସିଂ ନିକଟ ସିଦ୍ଧାର୍ଥ ଶଙ୍କର ଶିଶୁ ରୟ ଉଦ୍ୟାନ ନିକଟରୁ ଗିରଫ କରାଯାଇଥିଲା। ଗିରଫ ବେଳେ ପୁଲିସ ଉଭୟଙ୍କ ମୋବାଇଲ ଫୋନ ଜବତ କରିଥିଲା। ଏହାପରେ ଜୁନ ୨୭ ତାରିଖ ମଧ୍ୟାହ୍ନ ୧୨.୩୦ରେ ତୃତୀୟ ଅଭିଯୁକ୍ତ ମୁଖାର୍ଜୀଙ୍କୁ ତାଙ୍କ ଘରକୁ ଗିରଫ କରିବା ସହ ପୁଲିସ୍ ତାଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି।
ପୁଲିସ ପକ୍ଷରୁ କୁହାଯାଇଛି ଯେ ପୂରା ଘଟଣା କଲେଜ ବିଲଡିଂରେ ହିଁ ଘଟିଛି। ପ୍ରାଥମିକ ଭାବେ ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି ଓ ଅନେକ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିଛି। ଘଟଣା ଘଟିଥିବା ସ୍ଥାନକୁ ପୁଲିସ୍ ସିଲ୍ କରିଛି ଓ ଫରେନ୍ସିକ ଯାଞ୍ଚର ରିପୋର୍ଟକୁ ଅପେକ୍ଷା କରିଛି। ଗିରଫ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ଅଲିପୋରା କୋର୍ଟରେ ହାଜର କରାଯାଇଥିଲା। ପୁଲିସ୍ ସେମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ହେଁ କୋର୍ଟ ୫ ଦିନର ଜେରା ପାଇଁ ଅନୁମତି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
