Advertisment

ବନ୍ଧୁଙ୍କ ସହ ମିଶି ଦୁଇ ଶିକ୍ଷକଙ୍କ ଜଘନ୍ୟକାଣ୍ଡ: ଛାତ୍ରୀଙ୍କୁ ଡାକି ବାରମ୍ବାର କରୁଥିଲେ ଦୁଷ୍କର୍ମ

ଗୋଟିଏ ମାସରୁ ଅଧିକ ସମୟ ଧରି ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହେବା ପରେ ନିଜ ଯନ୍ତ୍ରଣା ବିରୋଧରେ ମୁହଁ ଖୋଲିଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ୨ ଶିକ୍ଷକ ଓ ସେମାନଙ୍କ ବନ୍ଧୁଙ୍କୁ ଗିରଫ କରିଛି।

author-image
Hemant Lenka
Teacher

Teacher

ଜଣେ ହେଲେ ଫିଜିକ୍ସ ଓ ଆଉ ଜଣେ ହେଲେ ବାୟୋଲୋଜି ଶିକ୍ଷକ। ଉଭୟ ବେଙ୍ଗାଲୁରୁରେ ଥିବା ଗୋଟିଏ ଘରୋଇ କଲେଜରେ ପିଲାଙ୍କୁ ପାଠ ପଢ଼ାନ୍ତି। ହେଲେ ଦୁଇ ଶିକ୍ଷକ ସେମାନଙ୍କର ଜଣେ ଛାତ୍ରୀଙ୍କୁ ସହରକୁ ଅଧିକ ପାଠ ପଢ଼ାଇବା ନାଁରେ ଡାକିବା ସହ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। ଖାଲି ସେତିକି ନୁହେଁ, ଦୁଇ ଶିକ୍ଷକଙ୍କ ଜଣେ ବନ୍ଧୁ ମଧ୍ୟ ଛାତ୍ରୀଙ୍କ ଅସହାୟତାର ଫାଇଦା ଉଠାଇ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି।

Advertisment

ଗୋଟିଏ ମାସରୁ ଅଧିକ ସମୟ ଧରି ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହେବା ପରେ ନିଜ ଯନ୍ତ୍ରଣା ବିରୋଧରେ ମୁହଁ ଖୋଲିଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ୨ ଶିକ୍ଷକ ଓ ସେମାନଙ୍କ ବନ୍ଧୁଙ୍କୁ ଗିରଫ କରିଛି।

ଗିରଫ ୩ ଅଭିଯୁକ୍ତ ହେଲେ ଫିଜିକ୍ସ ଶିକ୍ଷକ ନରେନ୍ଦ୍ର, ବାୟୋଲୋଜି ଶିକ୍ଷକ ସନ୍ଦୀପ ଓ ସେମାନଙ୍କ ସାଙ୍ଗ ଅନୂପ। ପ୍ରାୟ ମାସକ ତଳେ ନରେନ୍ଦ୍ର ପ୍ରଥମେ ଛାତ୍ରୀଙ୍କୁ କିଛି ନୋଟ୍ସ ଦେବା ନାଁରେ ବେଙ୍ଗାଲୁରୁକୁ ଡାକିଥିଲେ। ସାରଙ୍କ ଠାରୁ ଡାକରା ପାଇବା ପରେ ଛାତ୍ରୀ ଜଣଙ୍କ ବେଙ୍ଗାଲୁରୁରେ ପହଞ୍ଚି ଯାଇଥିଲେ। କିନ୍ତୁ ନରେନ୍ଦ୍ର ତାଙ୍କୁ ନିଜର ଜଣେ ବନ୍ଧୁଙ୍କ ଘରକୁ ନେଇ ଦୁଷ୍କର୍ମ କରିଥିଲେ।

Advertisment

ତେବେ ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ହେଁ କାହିଁକି ମୁହଁ ଖୋଲି ନଥିଲେ, ତା’ର ଉତ୍ତର ଏଯାଏ ଆସିନି। ଘଟଣାର କିଛି ଦିନ ପରେ ସନ୍ଦୀପଙ୍କ ଲୋଲୁପ ଦୃଷ୍ଟି ଛାତ୍ରୀଙ୍କ ଉପରେ ପଡ଼ିଥିଲା। ଛାତ୍ରୀ ଜଣଙ୍କୁ ସେ ନରେନ୍ଦ୍ରଙ୍କ ସହ ଥିବା ଭିଡିଓ ଦେଖାଇ ବ୍ଲାକମେଲ କରିଥିଲେ। ଗୋଟିଏ ଦିନ ସନ୍ଦୀପ ମଧ୍ୟ ଛାତ୍ରୀଙ୍କୁ ବେଙ୍ଗାଲୁରୁ ଡାକି ଦୁଷ୍କର୍ମ କରିଥିଲେ। ତୃତୀୟ ଅଭିଯୁକ୍ତ ଅନୂପର ରୁମରେ ଏସବୁ ହୋଇଥିଲା।

ସେ ମଧ୍ୟ ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଚାହିଁଥିଲେ। ତେଣୁ ସେ ଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କ ରୁମକୁ ଆସିଥିବାର ସିସିଟିଭି ଫୁଟେଜ ରହିଥିବା କହି ଭୟଭୀତ କରିଥିଲେ। ଏହାକୁ ଭାଇରାଲ କରିବାର ଧମକ ଦେଇ ଅନୂପ ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

୩ ଜଣ ଯାକ ମାସାଧିକ କାଳ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଚାଲିଥିଲେ ହେଁ ଏକଥା କେହି ଜାଣି ନଥିଲେ। କିନ୍ତୁ ନିକଟରେ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣଙ୍କ ସବୁ କଥା ତାଙ୍କ ବାପା ମା’ଙ୍କୁ ଜଣାଇଥିଲେ। ସେମାନେ କର୍ଣ୍ଣାଟକା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

କମିଶନଙ୍କ ନିର୍ଦ୍ଦେଶ କ୍ରମେ ମାରାଥାହାଲ୍ଲି ପୁଲିସ୍‌ ଏଫଆଇଆର ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯୁଗ୍ମ କମିଶନର ରମେଶ ବାନୋଥ କହିଛନ୍ତି, “ମାମଲା ଜୁଲାଇ ୫ରେ ରୁଜୁ କରାଯାଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଆମେ ୩ ଜଣଙ୍କୁ ଗିରଫ କରିଛୁ। ଆମେ ମହିଳା କମିଶନଙ୍କ ଠାରୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲୁ। ଆମେ ବିଧିବଦ୍ଧ ଭାବେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ଗିରଫଦାରୀ କରିଛୁ। ଏବେ ଘଟଣାର ବିସ୍ତୃତ ତଦନ୍ତ ଚାଲିଛି।”

ଗିରଫ ପରେ ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ରିମାଣ୍ଡରେ ମଧ୍ୟ ଆଣିବାକୁ ପୁଲିସ୍‌ ଯୋଜନା କରିଛି।

Crime Stop Rape