Advertisment

ପାରାଦୀପରୁ ଅପହୃତ ଛାତ୍ର କେନ୍ଦ୍ରାପଡ଼ାରୁ ଉଦ୍ଧାର, ବଖାଣିଲେ ଛାତିଥରା କାହାଣୀ

ସ୍କୁଲ ଯିବା ରାସ୍ତାରେ ଅପହରଣ ହେଲେ ଦଶମ ଶ୍ରେଣୀ ଛାତ୍ର। ଦୁର୍ବୃତ୍ତ ହାତ ବାନ୍ଧି ନିସ୍ତୁକ ପିଟିଥିବା ବେଳେ ସେମାନଙ୍କ କବଳରୁ ଖସି ଆସିବାକୁ ସଫଳ ହେଲେ ଛାତ୍ର।

ଅଦ୍ୟତନ ହୋଇଛି
Kidnap

Kidnap

Advertisment

ସ୍କୁଲ ଯିବା ରାସ୍ତାରେ ଅପହୃତ ହେଲେ ଦଶମ ଶ୍ରେଣୀ ଛାତ୍ର। ଦୁର୍ବୃତ୍ତ ହାତ ବାନ୍ଧି ନିସ୍ତୁକ ପିଟିଥିବା ବେଳେ ସେମାନଙ୍କ କବଳରୁ ଖସି ଆସିବାକୁ ସଫଳ ହେଲେ ଛାତ୍ର। ଏହାପରେ ପୁଲିସ୍‌ ଓ ପରିବାର ଆଗରେ ସେ ବଖାଣିଛନ୍ତି ଛାତିଥରା ଘଟଣା। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳେ ଜଗତସିଂହପୁର ଜିଲ୍ଲା ପାରାଦୀପରେ ଘଟିଛି। ଅପହୃତ ଛାତ୍ରଜଣକ ମାର୍ଶାଘାଇ ଥାନା ହଳଦିଆଗଡ଼ାରୁ ଉଦ୍ଧାର ହୋଇଛନ୍ତି।

Advertisment

କୁଜଙ୍ଗ ଥାନା ଉଛବାନନ୍ଦପୁରଡିଆ ଗାଁର ଆଦିତ୍ୟ ନାଥ ପାରାଦୀପର ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ପ୍ରତିଦିନ ସକାଳେ ତାଙ୍କ ବାପା ତାଙ୍କୁ ବାଇକ୍‌ ଯୋଗେ ପନ୍ଦର ନମ୍ବର ଛକରେ ଛାଡ଼ିଥାନ୍ତି। ସେଠାରେ ସେ ସ୍କୁଲ ବସ୍‌ ଯୋଗେ ଯାଇଥାନ୍ତି। ମାତ୍ର ଆଜି ସକାଳେ ସେ ସାଇକେଲ ଯୋଗେ ବସ୍ ନିକଟକୁ ଯାଉଥିଲେ।

ଛକରେ ପହଞ୍ଚିବା ପୂର୍ବରୁ ଏକ ଧଳା ସ୍କର୍ପିଓ ତାଙ୍କ ନିକଟରେ ପହଞ୍ଚିଥିଲା। ସେଥିରୁ ଜଣେ ମହିଳା ବାହାରି ତାଙ୍କୁ ପିଇବାକୁ ପାଣି ମାଗିଥିଲେ। ଇତି ମଧ୍ୟରେ କାର୍‌ରୁ ଆଉ ଦୁଇ ଜଣ ଆସି ତାଙ୍କୁ ଧକ୍କା ମାରି କାର୍‌ ଭିତରକୁ ଟେକି ନେଇଥିଲେ। ଏଥିସହ ସେମାନେ ତାଙ୍କ ସାଇକେଲଟିକୁ ବି ଗାଡ଼ି ଭିତରେ ପଶାଇ ଦେଇଥିବା ଆଦିତ୍ୟ ପୁଲିସ୍‌ ନିକଟରେ କହିଛନ୍ତି।

Advertisment

ଘଟଣାସ୍ଥଳରୁ ଦ୍ରୁତ ଗତିରେ ଗାଡ଼ିଟି ପଳାଇଥିବା ବେଳେ କାର୍‌ ଭିତରେ ଥିବା ଦୁର୍ବୃତ୍ତ ହାତ ବାନ୍ଧି ଆଦିତ୍ୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସେମାନେ ମୁଖା ଦେଇଥିଲେ, କଳା ଚଷମା ପିନ୍ଧିଥିଲେ ଓ ହିନ୍ଦୀରେ କଥା ହେଉଥିଲେ ।

ଗାଡ଼ିଟି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହଳଦିଆଗଡ଼ାରେ ଯାଉଥିବା ବେଳେ ଫାଙ୍କା ଜାଗା ଦେଖି ଦୁର୍ବୃତ୍ତମାନେ ଗାଡ଼ି ଅଟକାଇଥିଲେ। ସେଠାରେ ସେମାନେ ସାଇକେଲଟିକୁ ବାହାର କରି ଫୋପାଡ଼ୁଥିବା ବେଳେ କାର୍‌ ଭିତରେ ଥିବା ମହିଳାଙ୍କୁ ଧକ୍କା ମାରି ଆଦିତ୍ୟ ବାହାରି ଯାଇଥିଲେ

ସେଠାରୁ ସେ ଖୁବ୍‌ ଜୋରରେ ଦୌଡ଼ି ପଳାଇଥିବା ବେଳେ ପାରାଦୀପ ଚଣ୍ଡିଖୋଲ ଏନଏଚରେ ପହଞ୍ଚିଥିଲେ। ଏହାପରେ  ଏକ ଟାଟା ମ୍ୟାଜିକରେ କିଛି ବାଟ ଯିବା ପରେ ରାସ୍ତାରେ ଜଣେ ବାଇକ୍‌ ଚାଳକଙ୍କୁ ଅଟକାଇ ତାଙ୍କ ଫୋନ୍‌ରୁ ନିଜ ଘରକୁ ଫୋନ କରି ସବୁ କଥା କହିଥିଲେ। କିଛି ସମୟ ପରେ ବାଇକ୍‌ ଚାଳକଜଣକ ଘଟଣାସ୍ଥଳରୁ ପଳାଇଥିବାରୁ ଆଦିତ୍ୟ ଦୌଡ଼ି ଏକ ପୋଲ ତଳେ ଲୁଚିଥିଲେ।

ପରିବାର ଲୋକେ ତୁରନ୍ତ ଏନେଇ ପାଟକୁରା ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରି ପାରାଦୀପ ଲକ୍‌ ଥାନାକୁ ନେଇଥିଲେ। ସେଠାରେ ପୁଲିସ୍‌ ଆଦିତ୍ୟଙ୍କ ନିକଟରୁ ଘଟଣା ସମ୍ପର୍କରେ ବୁଝିବା ପରେ ତାଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରୁ ଏପରି ଅପହରଣ କରିଥିଲା ତାହା ସ୍ପଷ୍ଟ ହୋଇ ପାରୁ ନ ଥିବା ଜଣାଯାଇଛି।

ଏନେଇ ଆଦିତ୍ୟଙ୍କ ମା’ କହିଛନ୍ତି, ଆମେ ପତିପତ୍ନୀ ଉଭୟ ଚାକିରି କରୁଥିବା ବେଳେ ଏବେ ଏକ ଜମି ବି ବିକ୍ରି ହୋଇଛି। ତେଣୁ କିଏ ଟଙ୍କା ପାଇଁ ଆମ ଛୁଆର ଅପହରଣ କରିଥାଇପାରେ ବୋଲି ସନ୍ଦେହ କରୁଛୁ। ତୁରନ୍ତ ଅପରାଧୀଙ୍କୁ ଧରିବାକୁ ଅପିଲ୍‌ କରୁଛୁ ।

Jagatsinghpur Kendrapada Kidnapping Cases Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe