Advertisment

କୋରାପୁଟ ପୁଲିସକୁ ସଫଳତା, ଅପରେସନ୍ ବେଳେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ନକ୍ସଲ

କୁଞ୍ଜମର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଜାନାଗୁଡ଼ାରେ। ୨୦୦୭ ମସିହାରେ ସେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ତାକୁ ସେତେବଳେ ୧୪ ବର୍ଷ ହୋଇଥିଲା।

Kunjam Hidma

Kunjam Hidma

Advertisment

କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଜଣେ ଏରିଆ କମିଟି ମେମ୍ବର (ACM) ସ୍ତରର କ୍ୟାଡର ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫ ନକ୍ସଲର ନାଁ କୁଞ୍ଜମ ହିଡ଼ମା। ତା’ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ୩୫ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୨୭ଟି ଇଲେଟ୍ରିକ୍‌ ଡେଟୋନେଟର, ୯୦ଟି ନନ୍‌-ଇଲେଟ୍ରିକ୍ ଡେଟୋନେଟର ଓ ପ୍ରାୟ ୨ କେଜି ଗନ୍ ପାଉଡର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Advertisment

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ପେଟାଗୁଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ କିଛି ସିପିଆଇ (ଏମ୍‌) କ୍ୟାଡର ନକ୍ସଲ ଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଜୟପୁର ଏସ୍‌ଡିପିଓ ଆଇପିଏସ୍‌ ପାର୍ଥ କଶ୍ୟପ ଓ ଡିଆଇଓସି ଏସି ଦିବ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସର ଡିଭିଏଫ ପକ୍ଷରୁ ଗତକାଲି ରାତିରୁ ଆରମ୍ଭ କରାଯାଇଥିଲା ସ୍ୱତନ୍ତ୍ର ଅପରେସନ।

ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳେ ନକ୍ସଲଙ୍କ ଶିବିର ଠାବ କରିଥିଲେ ଡିଭିଏଫ ଯବାନ। ସୁରକ୍ଷାକର୍ମୀମାନେ ଉକ୍ତ ସ୍ଥାନକୁ ଚାରିପଟୁ ଘେରିବାକୁ ଯାଉଥିବା ବେଳେ ନକ୍ସଲମାନେ ସତର୍କ ହୋଇଯାଇଥିଲେ ଗୁଳି ଚଳାଇଥିଲେ। ଜବାବରେ ଡିଭିଏଫର ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ଗୁଳି ବିନିମୟ ବେଳେ ନକ୍ସଲମାନେ ପଛଘୁଞ୍ଚା ଦେଇଥିଲେ ଓ ଫେରାର ହୋଇଯାଇଥିଲେ। ତେବେ କ୍ୟାଡର ନକ୍ସଲ କୁଞ୍ଜମ ହିଡମା ଏକ ବୁଦାରେ ଲୁଚି ଥିବା ବେଳେ ଯବାନଙ୍କ ହାତରେ ଧରାପଡ଼ିଥିଲେ।

Advertisment

କୁଞ୍ଜମର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଜାନାଗୁଡ଼ାରେ। ୨୦୦୭ ମସିହାରେ ସେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ତାକୁ ସେତେବଳେ ୧୪ ବର୍ଷ ହୋଇଥିଲା। ତାକୁ ସେତେବେଳେ ବାଲ ସଂଘମ ଓ ଜେଏନ୍‌ଏମ୍‌ ବା ଜନ ନାଟ୍ୟ ମଣ୍ଡଳୀ (ନକ୍ସଲଙ୍କ ସାଂସ୍କୃତିକ ଶାଖା)ରେ ସାମିଲ କରାଯାଇଥିଲା।

୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ କୁଞ୍ଜମ ହିଡମା ବାଲ ସଂଘମ ଓ ଜେଏନ୍‌ଏମ୍‌ ସହିତ ଜଡ଼ିତ ଥିଲା। ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ଜଣେ ପାର୍ଟି ମେମ୍ବର ଭାବେ ଉସୁର ସ୍ଥାନୀୟ ସଂଗଠନ ଦଳରେ କାମ କରିଥିଲା। ସେହି ସମୟରେ ସେ ବନ୍ଧୁକ ଚାଳନା ଶିଖିଥିଲା।

୨୦୧୬ରେ ସେ ଆନ୍ଧ୍ର-ଓଡ଼ିଶା ସୀମା ବା ଏଓବି ପ୍ଲାଟୁନରେ କାମ କରିବା ଆରମ୍ଭ କରିଥିଲା। ୨୦୧୯ ଶେଷ ଆଡ଼କୁ ତାକୁ ଏସିଏମ୍‌ ବା ଏରିଆ କମିଟି ମେମ୍ବର ଭାବେ ପଦୋନ୍ନତି ମିଳିଥିଲା। ଏହା ପରେ ତାକୁ ଏକ ଏସ୍‌ଏଲ୍‌ଆର ରାଇଫଲ ମିଳିଥିଲା। ସୁରେଶ ଅଧୀନରେ ଥିବା ଏକ ଟିମ୍‌ରେ ସେ କୋରାପୁଟର ବୈପାରୀଗୁଡ଼ା, ମାଲକାରନଗିରିର ବିଚ୍ଛିନ୍ନାଞ୍ଚଳ ଓ ଆନ୍ଧ୍ର ପ୍ରଦେଶର ପେଡାବାଇଲୁ ଅଞ୍ଚଳରେ କାର୍ଯ୍ୟ କରିଥିଲା। ୨୦୨୧-୨୨ରେ ସେ ଆନ୍ଧ୍ର ଓଡ଼ିଶା ସୀମର ପ୍ଲାଟୁନର ସେକ୍ସନ ୧ରେ ସାମିଲ ହୋଇ ଛତିଶଗଡ଼ର ବିଜେପୁରର ପାମେଡ ଅଞ୍ଚଳରେ ସକ୍ରିୟ ରହିଥିଲା। ୨୦୨୩ରେ ତାକୁ ସୁକମା ଜିଲ୍ଲାର କେର୍ଲାପାଲର ପ୍ଲାଟୁନ-୨୪କୁ ବଦଳି ହୋଇଥିଲା। ୨୦୨୪ରେ ତାକୁ ଅସ୍ଥାୟୀ ଭାବେ ପ୍ଲାଟୁନ-୨୬କୁ ବଦଳି କରାଯାଇଥିଲା, ଯାହା ସୁକମାର ମାଲେନଗିରି ଅଞ୍ଚଳରେ କାର୍ଯ୍ୟ କରୁଛି।

୨୦୨୫ ଏପ୍ରିଲରେ କୁଞ୍ଜମ ହିଡମା ଆନ୍ଧ୍ର ଓଡ଼ିଶା ବର୍ଡର ବା ଏଓବିକୁ ପୁଣି ଫେରିଥିଲା ଓ ସେହି ଦିନଠାରୁ ସକ୍ରିୟ ଥିଲା। ସୁରେଶ ଅଧୀନରେ ଥିବା ଏଓବି ଟିମ୍‌ରେ ସେ ଏସିଏମ୍‌ ଭାବେ ଦକ୍ଷିଣ ବସ୍ତର ଓ ଛତିଶଗଡ଼ର କେର୍ଲାପାଲ ଅଞ୍ଚଳରେ ସକ୍ରିୟ ରହିଥିଲା।

କୁଞ୍ଜମ ହିଡମା ନାଁରେ ଓଡ଼ିଶାରେ ମୋଟ ୭ଟି ହିଂସାକାଣ୍ଡ ମାମଲା ରହିଛି। ସେଥିରୁ ୪ଟି କୋରାପୂଟ ଜିଲ୍ଲା ବୈପାରୀଗୁଡ଼ା ଥାନାରେ ଥିବା ବେଳେ ମାଲକାନଗିରି ଜିଲ୍ଲା ମାଥିଲିରେ ୩ଟି ରହିଛି। ସେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରେ ଆହୁରି ଅନେକ ଗୁଳିବିନିମୟ ଘଟଣା ସହିତ ସରକାର ବିରୋଧୀ ତଥା ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲା ବୋଲି କୋରାପୁଟ ପୁଲିସ ପକ୍ଷରୁ କୁହାଯାଇଛି। ତଦନ୍ତ ପରେ ତା’ର ଅନ୍ୟାନ୍ୟ ସଂପୃକ୍ତି ବିଷୟରେ ଜଣାପଡ଼ିବ ବୋଲି ପୁଲିସ କହିଛି।

Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe