ଲୋହିତାଶ ଓ ରେଖା (ଫାଇଲ ଫଟୋ)
ପତ୍ନୀଙ୍କ ଚରିତ୍ରଙ୍କୁ ସନ୍ଦେହ କରି ଭୟଙ୍କର କାଣ୍ଡ ଘଟାଇଛନ୍ତି ସ୍ୱାମୀ। ପତ୍ନୀ ପରକୀୟା ପ୍ରୀତିରେ ମାତିଥିବା ଆଶଙ୍କା କରି ଝିଅ ସାମ୍ନାରେ ତାଙ୍କ ଜୀବନ ନେଇ ଯାଇଛି ସ୍ୱାମୀ। ୩୨ ବର୍ଷୀୟ ପତ୍ନୀ ରେଖାଙ୍କୁ ୧୧ଥର ଛୁରୀ ଭୁଷି ହତ୍ୟା କରିଛନ୍ତି ସ୍ୱାମୀ ଲୋହିତାଶ। ବେଙ୍ଗାଲୁରୁର ସୁନକାଡାକାଟ୍ଟେ ବସ୍ ଷ୍ଟାଣ୍ଡରେ ସର୍ବସମ୍ମୁଖରେ ଏପରି ଘଟଣା ଘଟିଛି। ରେଖାଙ୍କ ୧୩ ବର୍ଷୀୟ ଝିଅ ପୂରା ଘଟଣା ବେଳେ ବସଷ୍ଟାଣ୍ଡରେ ଉପସ୍ଥିତ ରହିଥିଲେ।
ସିରାର ମୂଳବାସିନ୍ଦା ରେଖା ୪ ମାସ ହେଲା ବେଙ୍ଗାଲୁରୁରେ ରହୁଥିଲେ। ପୂର୍ବରୁ ସେ ବିବାହ କରିବା ସହ ତାଙ୍କର ୧୩ ବର୍ଷର ଝିଅଟି ରହିଥିଲା। ତେବେ ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ସେ ଗୁପ୍ତ ଭାବେ ଲୋହିତାଶଙ୍କୁ ବିବାହ କରିଥିଲେ। ଲୋହିତାଶ ମଧ୍ୟ ପୂର୍ବରୁ ବିବାହ କରିଥିଲେ ହେଁ ତାଙ୍କର ଛାଡ଼ପତ୍ର ହୋଇ ସାରିଥିଲା। ବେଙ୍ଗାଲୁରୁର ଯେଉଁ କମ୍ପାନୀରେ ରେଖା କାମ କରୁଥିଲେ ସେଠାରେ କଥା ହୋଇ ଲୋହିତାଶଙ୍କ ପାଇଁ ଡ୍ରାଇଭର ଚାକିରି ବୁଝି ଦେଇଥିଲେ।
ପୁଲିସ୍ର କହିବା କଥା ଯେ ରେଖା ଓ ଲୋହିତାଶଙ୍କ ବିବାହ ମାତ୍ର ୩ ମାସ ତଳେ ହୋଇଥିଲା। ବାହାଘରର କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ନିୟମିତ ଝଗଡ଼ା। ଘଟଣା ଦିନ ବସ୍ ଷ୍ଟାଣ୍ଡରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ରେଖାଙ୍କ ୧୩ ବର୍ଷର ଝିଅ ମଧ୍ୟ ଉପସ୍ଥିତ ରହିଥିଲେ।
ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଲୋହିତାଶ ପାଖରେ ରଖିଥିବା ଛୁରୀ ଦ୍ୱାରା ପ୍ରଥମେ ଦୁଇ ଥର ରେଖାଙ୍କୁ ଆକ୍ରମଣ କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ରେଖା କିଛି ବାଟ ଦୌଡ଼ି ପଳାଇଥିଲେ। ହେଲେ ଲୋହିତାଶ ତାଙ୍କୁ ପୁଣି କାବୁ କରି ଆଉ ୯ଥର ଛୁରୀ ଭୁଷି ଥିଲେ। ବସ୍ଷ୍ଟାଣ୍ଡରେ ଉପସ୍ଥିତ ଲୋକମାନେ ଏଥିରେ ହସ୍ତକ୍ଷେପ କରି ଲୋହିତାଶଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୋକଙ୍କୁ ଛୁରୀ ଦେଖାଇ ସେଠାରୁ ସେ ଫେରାର ହୋଇଯାଇଥିଲେ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରେଖାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଚାଲିଥିବା ବେଳେ ୪୩ ବର୍ଷୀୟ ଲୋହିତାଶ ନିଜ ଆଡ଼ୁ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ପୁଲିସ୍ କହିଛି। ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/23/lohitash-2025-09-23-14-03-18.jpg)