/odisha-reporter/media/post_attachments/uploadimage/library/16_9/16_9_0/IMAGE_1693917909.jpg)
Sarat Nayak
କଟକ ଜିଲ୍ଲା ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍। ଏହି ମାମଲାକୁ ରଫାଦଫା କରିବା ନେଇ ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।
ମୃତ ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ। ୩ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗତ ଅଗଷ୍ଟ ମାସରେ ଅର୍ଥାତ୍ ତାଙ୍କ ମୃତ୍ୟୁର ୨ ମାସ ପରେ ଏହି ଘଟଣାକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା।
ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ (ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା ବୋଲି କୁହାଯାଉଛି)ଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି ଶରତ କହିଥିଲେ।
ଶରତ ନାୟକଙ୍କ ସହିତ ଖେଳ ଶିକ୍ଷକ ଅନୁପମ ରାୟ ମଧ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଗିରଫ କରିବା ପରେ ଗତ ମାସରେ ପୁଲିସ୍ ପକ୍ଷରୁ କୁହାଯାଇଥିଲା ଯେ ନାବାଳିକା ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମ ରାୟଙ୍କୁ ଗିରଫ କରାଯାଇଛି। ସେହିପରି ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଶରତ ନାୟକଙ୍କୁ ଗିରଫ କରାଯାଇଛି। ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବା ପଛରେ ଅନୁପମ ରାୟଙ୍କ ହାତ ଥିବା କଥା ଶରତ ଜାଣିଥିଲେ।
ସୂଚନାଯୋଗ୍ୟ, ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
