Advertisment

ଭୁବନେଶ୍ୱରରେ ଘରୋଇ ହସ୍‌ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ନାଇଟ୍ ଡ୍ୟୁଟି ସାରି ଆଜି ଗାଁକୁ ଯାଇଥା’ନ୍ତେ ଭାଇକୁ ରାକ୍ଷୀ ପିନ୍ଧାଇବାକୁ।

Dead Nurse

Dead Nurse

Advertisment

ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲ୍‌ରେ ଜଣେ ନର୍ସଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।

Advertisment

୨୨ ବର୍ଷୀୟା ଏହି ନର୍ସଙ୍କ ଘର ଗଞ୍ଜାମ ଜିଲ୍ଲାର ପାଟପୁର ଅଞ୍ଚଳରେ। ଗତକାଲି ତାଙ୍କର ନାଇଟ୍‌ ଡ୍ୟୁଟି ଥିଲା। ଡ୍ୟୁଟି ସାରି ଆଜି ସକାଳେ ସେ ତାଙ୍କ ଗାଁକୁ ଯାଇଥା’ନ୍ତେ ଭାଇକୁ ରାକ୍ଷୀ ବାନ୍ଧିବାକୁ। କିନ୍ତୁ ରାତି ପ୍ରାୟ ସାଢ଼େ ୩ଟାରୁ ୪ଟା ଭିତରେ ପରିବାର ଲୋକେ ଖବର ପାଇଲେ ଯେ ହସ୍‌ପିଟାଲର ୱାଶ୍‌ ରୁମ୍‌ରେ ପଡ଼ି ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ତେବେ ଘର ଲୋକେ ପହଞ୍ଚିଲା ବେଳକୁ ଡାକ୍ତରଖାନାରେ ରଖାଯାଇଥିଲା ତାଙ୍କ ମୃତଦେହ।

ମୃତ ନର୍ସଙ୍କ ଭାଇ କହିଛନ୍ତି, ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି। କିନ୍ତୁ ଘଟଣା ଘଟିବାର ପ୍ରାୟ ୨ ଘଣ୍ଟା ପରେ ଆମକୁ ସୂଚନା ଦିଆଯାଇଥିଲା। ୱାଶ୍‌ରୁମ୍‌ରେ ପଡ଼ି ସେ ଚେତା ହରାଇଥିବା ଆମକୁ କୁହାଯାଇଥିଲା। କିନ୍ତୁ ଆମେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନା ପକ୍ଷରୁ ଆମକୁ କୁହାଯାଇଥିଲା ଯେ ୱାଶ୍‌ରୁମ୍‌ରେ ସେ ପଡ଼ିଯିବାରୁ ମାଡ଼ ହୋଇ ଏମିତି ଏକ ଘଟଣା ଘଟିଯାଇଛି। ପୁଲିସ୍ ଆସି ଘଟଣାସ୍ଥଳରେ ଯାଞ୍ଚ କରିଥିଲା। ପୁଲିସ୍‌କୁ ଗୋଟିଏ କାଗଜ ଓ ଗୋଟିଏ ସିରିଞ୍ଜ ମିଳିଥିଲା। ସେହି କାଗଜରେ ସେ (ମୃତ ନର୍ସ) ଆତ୍ମହତ୍ୟା କଥା ଲେଖିଥିବା ପୁଲିସ୍ କହୁଛି। ତେବେ ପୁଲିସ୍ ଆମକୁ ସେହି ପେପର ଦେଇନି। ଉପର ଅଧିକାରୀଙ୍କୁ ପଚାରିବା ପରେ ତା’ର ଫଟୋ ଉଠାଇ ଆମକୁ ପଢ଼ିବାକୁ ଦିଆଯିବ ବୋଲି କୁହାଯାଇଥିଲା। ତେବେ ପୁଲିସ୍‌ ସେହି ପେପରର ଯେଉଁ ଫଟୋ ଉଠାଇଥିଲା, ତାହାକୁ ଆମକୁ ଦେଖାଇଥିଲା ହସ୍ତାକ୍ଷର ଚିହ୍ନିବାକୁ।ସେହି ହସ୍ତାକ୍ଷର ମୋ ଭଉଣୀର ହସ୍ତାକ୍ଷର ସହିତ ପ୍ରାୟ ମିଶିଯାଉଛି। ପୁଲିସ୍ ଆମକୁ ଜବତ କରିଥିବା ସିରିଞ୍ଜ ଦେଖାଇଥିଲା। ସେହି ସିରିଞ୍ଜରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆମେ ମୃତଦେହ ଦେଖିଛୁ। ତା’ ହାତରେ ସିରିଞ୍ଜ ଫୋଡ଼ାଯିବାର ଦାଗ ରହିଛି।

Advertisment

ସେ ଆହୁରି କହିଛନ୍ତି, ମୋ ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ କାହିଁକି ଆତ୍ମହତ୍ୟା କଲା ଆମେ ଜାଣିନୁ। ସୁଇସାଇଡ୍‌ ନୋଟ୍ ପଢ଼ିଲେ ଯାହା କିଛି ଜଣାପଡ଼ିବ। ସେ ହଷ୍ଟେଲରେ ବି ଆତ୍ମହତ୍ୟା କରିପାରିଥା’ନ୍ତା। ଡାକ୍ତରଖାନାରେ କାହିଁକି କଲା?

ମୃତ ନର୍ସଙ୍କ ଜଣେ ସଂପର୍କୀୟ କହିଛନ୍ତି ଯେ ତାଙ୍କର ଲଗାତାର ୫ ଦିନ ହେଲା ନାଇଟ୍ ଡ୍ୟୁଟି ପଡ଼ୁଥିଲା। ଛୁଟି ମିଳି ନଥିଲା। ଆଜି ସକାଳେ ସେ ଡ୍ୟୁଟି ସାରି ଗାଁକୁ ଯାଇଥା’ନ୍ତେ ଭାଇକୁ ରାକ୍ଷୀ ପିନ୍ଧାଇବାକୁ।

ଘଟଣାର ନିରପେକ୍ଷ ତଦନ୍ତ କରି ମୃତ ନର୍ସଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତାଙ୍କ ପରିବାର ଲୋକେ ପୁଲିସ୍‌କୁ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe