Advertisment

ଲାଞ୍ଚ ଟଙ୍କା ଫୋପାଡ଼ି ଖସି ପଳାଉଥିଲେ ତହସିଲଦାର, ଭିଜିଲାନ୍ସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ କରିଥିଲେ ଉଦ୍ୟମ

ପ୍ରାୟ ୪ ଦିନ ତଳେ ତହସିଲଦାର ବିଚିତ୍ରାନନ୍ଦ ନାୟକ ଜଣେ ହିତାଧିକାରୀଙ୍କୁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

author-image
Jitendra Garnayak
Tahasildar

Tahasildar

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଖସି ପଳାଉଥିବା ବେଳେ ତାଙ୍କୁ ଗିରଫ କରିଛି ରାୟଗଡ଼ା ଭିଜିଲାନ୍ସ ଟିମ୍। ତାଙ୍କୁ ଗିରଫ କରିବା ପୂର୍ବରୁ ସେ ଭିଜିଲାନ୍ସ କର୍ମଚାରୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଉଦ୍ୟମ କରିଥିଲେ ଓ ୩ ଜଣ ଭିଜିଲାନ୍ସ କର୍ମଚାରୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ପ୍ରାୟ ୪ ଦିନ ତଳେ ତହସିଲଦାର ବିଚିତ୍ରାନନ୍ଦ ନାୟକ ଜଣେ ହିତାଧିକାରୀଙ୍କୁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏକ ଜମିର ପଟ୍ଟା କରି ଦେବା ପାଇଁ ସେ ଏହି ଲାଞ୍ଚ ମାଗିଥିଲେ। ଏହି ଖବର ଭିଜିଲାନ୍ସ ପାଖରେ ପହଞ୍ଚିଥିଲା। ଏହା ପରେ ଭିଜିଲାନ୍ସ ଜାଲ ବିଛାଇ ଥିଲା।

ଆଜି ତହସିଲଦାର ବିଚିତ୍ରାନନ୍ଦ ନାୟକ ଲାଞ୍ଚ ଅର୍ଥ ନେଇଥିଲେ। ଏହା ପରେ ରାୟଗଡ଼ାରେ ଜିଲ୍ଲାପାଳଙ୍କ ଅଫିସରେ ଏକ ବୈଠକରେ ଯୋଗ ଦେଇଥିଲେ। ତେବେ ଭିଜିଲାନ୍ସ ତାଙ୍କ ପଛରେ ପଡ଼ିଥିବା କୌଣସି ସୂତ୍ରରୁ ଜାଣି ସେ ଶୀଘ୍ର ଶୀଘ୍ର ବୈଠକରୁ ବାହାରି ଆସିଥିଲେ ଓ ଗାଡ଼ି ନେଇ ପଳାଉଥିଲେ। ଭିଜିଲାନ୍ସ ଟିମ୍ ତାଙ୍କୁ ଗୋଡ଼ାଇ ଥିଲା। ଭିଜିଲାନ୍ସ ଟିମ୍‌କୁ ଦେଖି ସେ ବାଟରେ ଲାଞ୍ଚ ଟଙ୍କା ଫୋପାଡ଼ି ଦେଇଥିଲେ। ସେହି ଟଙ୍କାକୁ ଭିଜିଲାନ୍ସ ଟିମ୍ ସଂଗ୍ରହ କରିଥିଲା। ଏହା ପରେ ଭିଜିଲାନ୍ସ ଟିମ୍ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଓଭରଟେକ୍ କରି ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। ସେତେବେଳେ ଭିଜିଲାନ୍ସ ଟିମ୍‌ର ଗାଡ଼ିରୁ ଓହ୍ଲାଇ ସାରିଥିବା ୩ କର୍ମଚାରୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ତହସିଲଦାର ଉଦ୍ୟମ କରିଥିବା ଜଣାପଡ଼ିଛି।

Advertisment

ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ପଚରାଉଚରା କରାଯାଉଥିବା ବେଳେ ତାଙ୍କଠାରୁ ମିଳିଥିବା ଟଙ୍କା ଗଣତି କରାଯାଉଛି। ମିଳିଥିବା ଖବର ଅନୁଯାୟୀ, ତାଙ୍କଠାରୁ ଲକ୍ଷେ ୧୫ ହଜାର ଟଙ୍କା ମିଳିଛି। ଅନ୍ୟପକ୍ଷରେ ଏ ଘଟଣା ନେଇ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ।

ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ

Bribe Vigilance Net Vigilance