/odisha-reporter/media/post_attachments/uploadimage/library/16_9/16_9_0/IMAGE_1730701580.jpg)
Chilli Smoke
ତାଲିବାନୀ ସଜା। ଚୋରି କରିବା ଅଭିଯୋଗରେ ୧୪ ବର୍ଷର ଦୁଇ ନାବାଳକକୁ ଦିଆଗଲା ଅମାନବୀୟ ଦଣ୍ଡ। ଓଲଟା ଝୁଲାଇ ନିରୀହ ପିଲାଙ୍କୁ ଲଙ୍କା ଧୂଆଁ ଦିଆଯାଇଛି। ଏଭଳି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶର ପାଣ୍ଡୁରନା ଜିଲ୍ଲାରେ। ଏହି ପୂରା ଘଟଣାର ଭିଡିଓ ଭାଇରାଲ ହୋଇଛି। ଏହା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ଏହି ମାମଲା ହେଉଛି ୩୧ ଅକ୍ଟୋବରର। ମୋହଗାଁ ଥାନା ଅଧିକାରୀଙ୍କ କହିବା ମୁତାବକ, ଦୁଇ ୧୪ ବର୍ଷର ପିଲାମାନେ ଦହି ପାଇଁ ଟଙ୍କା ଦେବା ଲାଗି ଗାଁର ଜଣଙ୍କ ଘରକୁ ଯାଇଥିଲେ। ତେବେ ସେ ସେଠାରୁ ଘଣ୍ଟା ଚୋରି କରି ଘରକୁ ଆଣିଥିଲେ। ଯେତେବେଳେ ଉଭୟ ପିଲା ଜାଣିବାକୁ ପାଇଲେ ଯେ ଘଣ୍ଟା ମାଲିକ ସେମାନଙ୍କୁ ଖୋଜୁଛି, ସେତେବେଳେ ସେମାନେ ଘଣ୍ଟାକୁ ନେଇ ସେଠାରେ ରଖି ଦେଇଥିଲେ। ସେଠାରୁ ଫେରିବା ସମୟରେ, ଘଣ୍ଟାର ମାଲିକ ସେମାନଙ୍କୁ ଧରି ବୁଝାଇ ସୁଝାଇ ଛାଡ଼ି ଦେଇଥିଲେ।
କିନ୍ତୁ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ଯୁବକ ଉଭୟ ପିଲାଙ୍କୁ ସେଠାରୁ ଉଠାଇ ଟ୍ରାକ୍ଟର ଗ୍ୟାରେଜକୁ ନେଇ ଚୋରି ବିଷୟରେ ପଚରାଉଚରା ଆରମ୍ଭ କରିଥିଲେ। ପରେ ସେମାନଙ୍କୁ ଓଲଟ ଝୁଲାଇ ମାଡ଼ ମାରିବା ସହ ଲଙ୍କା ଧୂଆଁ ଦେଇଥିଲେ। ପରେ ଦୁଇ ପିଲା ସେଠାରୁ ଆସି ନିଜ ପରିବାର ସଦସ୍ୟଙ୍କୁ ପୂରା ଘଟଣା ବିଷୟରେ କିଛି କହି ନଥିଲେ।
ତେବେ ଅଭିଯୁକ୍ତ ସୁରେନ୍ଦ୍ର ବାବନକର ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ତା’ପରେ କେହି ଜଣେ ଏହାକୁ ଭାଇରାଲ କରିଥିଲେ। ପରେ ଏହି ଭାଇରାଲ ଭିଡିଓ ପୀଡିତ ପିଲାଙ୍କ ବାପାଙ୍କ ନିକଟରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା। ବାପା ଓ ଦୁଇ ପୀଡିତ ପିଲା ପୁଲିସ ଷ୍ଟେସନରେ ପହଞ୍ଚି ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ଦୁଇ ଅଭିଯୁକ୍ତ ନିଖିଲ କଲମ୍ବେ ଏବଂ ସୁରେନ୍ଦ୍ର ବାବନକରଙ୍କୁ ପୁଲିସ ଗିରଫ କରିଛି। ପୂରା ମାମଲା ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
