Advertisment

ଆମ୍ବୁଲାନ୍ସ ଚୋରକୁ ସାଉଥ୍ ଫିଲ୍ମ ଷ୍ଟାଇଲରେ ଧରିଲା ପୁଲିସ, ଦେଖନ୍ତୁ ଭିଡିଓ

ପ୍ରଥମେ ଆମ୍ବୁଲାନ୍ସ ଚୋରି କଲା, ପରେ ସାଇରନ ବଜାଇ ଜାତୀୟ ରାଜପଥରେ ଖେଳାଇଲା ଆତଙ୍କ। ଫିଲ୍ମ ଷ୍ଟାଇଲରେ ଧରିଲା ପୁଲିସ।

author-image
Debadatta Aryashrestha
Ambulance theft

Ambulance theft

ଆପଣ ଗାଡ଼ି ଚୋରି ହେବାର ତ ଅନେକ ଘଟଣା ଜାଣିଥିବେ, ହେଲେ ଆଜି ସରକାରୀ ଆମ୍ବୁଲାନ୍ସ ଚୋରି ହୋଇଥିବା ଏକ ଖବର ଆସିଛି। ତେଲେଙ୍ଗାନାରେ ଏକ ସରକାରୀ ଆମ୍ବୁଲାନ୍ସ ଚୋରି କରିଥିବା ଚୋରକୁ ଧରିଛି ପୁଲିସ। ଅଭିଯୁକ୍ତ କେବଳ ସରକାରୀ ଆମ୍ବୁଲାନ୍ସ ଚୋରି କରିନଥିଲା, ପୁଲିସ ତାକୁ ଧରିବାକୁ ପିଛା କରୁଥିବାବେଳେ ସାଇରନ୍ ବଜାଇ ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ଆତଙ୍କ ସୃଷ୍ଟି କରିଥିଲା। ତେବେ ଦୀର୍ଘ ୧୦୦ କିଲୋମିଟର ପିଛା କରିବା ପରେ ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତକୁ ସୁର୍ଯ୍ୟପେଟରେ ଧରିଛି ପୁଲିସ।

Advertisment

ସୂଚନାନୁସାରେ, ହାଇଦ୍ରାବାଦର ହାୟତନଗର ଥାନା ଅଞ୍ଚଳରୁ ଏକ ସରକାରୀ ଆମ୍ବୁଲାନ୍ସ ଚୋରି ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଚୋରକୁ ଧରିବା ପାଇଁ ଆମ୍ବୁଲାନ୍ସର ପିଛା କରିଥିଲା। ଆଉ ଚୋର ଯେତେବେଳେ ପୁଲିସ ପିଛା କରୁଥିବା ଜାଣିପାରିଲା, ସେ ଆମ୍ବୁଲାନ୍ସର ସାଇରନ୍ ବଜାଇ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇଥିଲା। ଅଭିଯୁକ୍ତ ରାସ୍ତାରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ଚଳାଇ ବିଜୟୱାଡା ଆଡକୁ ଯାଇଥିଲା। ଶୀଘ୍ର ଖସିଯିବାକୁ ଚେଷ୍ଟା କରୁଥିବାବେଳେ ସେ ଚିତ୍ୟାଲା ନିକଟରେ ଜନ୍ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ସେ ଗୁରୁତର ହୋଇ ପଡ଼ିଥିବାବେଳେ ଚୋର ଏଠାରେ ମଧ୍ୟ ଅଟକି ନଥିଲା। ସେ କେଥେପଲ୍ଲୀ କୋରଲାପାହଡ ଟୋଲଗେଟ୍ ଆଡକୁ ଯାଇ ସେଠାରେ ଏକ ଫାଟକକୁ ଧକ୍କା ଦେଇଥିଲା। ଏହାପରେ ମଧ୍ୟ ଅଭିଯୁକ୍ତ ବିପଦପୂର୍ଣ୍ଣ ଗାଡ଼ିଚାଳନା ଜାରି ରଖିଥିଲା।

Advertisment

ଆଗରେ ଦ୍ରୁତଗତିରେ ଆମ୍ବୁଲାନ୍ସ ଚୋରି କରି ନେଇଯାଉଥିବା ଚୋର ଓ ପଛରେ ପୁଲିସ, ଏହି ଡ୍ରାମା ସେତେବେଳେ ଶେଷ ହୋଇଥିଲା ଯେତେବେଳେ ପୁଲିସ ଚୋରର ପରବର୍ତ୍ତୀ ପଦକ୍ଷେପକୁ ଆଗୁଆ ଅନୁମାନ କରିନେଲା। ଏକ ରଣନୀତିକ୍ରମେ ଟେକୁମତଲା ନିକଟରେ ରାସ୍ତାରେ ବଡ଼ ବଡ଼ ଟ୍ରକ ପାର୍କ୍ କରି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲା ପୁଲିସ। ଆଗକୁ ଆଉ ରାସ୍ତା ନଥିବାରୁ ପୁଲିସ ଶେଷରେ ଆମ୍ବୁଲାନ୍ସକୁ ଘେରି ଯାଇଥିଲା ଏବଂ ଚୋରକୁ ବାନ୍ଧିଥିଲା। ତେବେ ଏହି ଚୋର ପୂର୍ବରୁ ମଧ୍ୟ ଅନେକ ଚୋରିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଅନ୍ୟପଟେ ସେ ଧକ୍କା ଦେଇଥିବା ଜନ୍ ରେଡ୍ଡୀଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି।

Hyderabad Ambulance Theft Ambulance Thief Arrested