Advertisment

ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୪ ନାବାଳକଙ୍କ ସମେତ ୧୦ ଗିରଫ

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

author-image
Jitendra Garnayak
ଅଦ୍ୟତନ ହୋଇଛି
Berhampur SP

Berhampur SP

ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ଗିରଫ ୧୦ ଜଣଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଏହି ନାବାଳକମାନଙ୍କୁ ୧୭ ବର୍ଷ ହୋଇଥିବା ଜଣାପଡ଼ିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ପୁରୁଷୋତ୍ତମପୁରର ପ୍ରମୋଦ ନାୟକ, ବୁରୁପଡ଼ାର ବାବୁରାମ ଦଳେଇ, ବେଲଗାଁର କୁନାଲ ପ୍ରଧାନ, ଶିକିରିର ଓମ୍ ପ୍ରଧାନ, ବୁରୁପଡ଼ାର ଲକ୍ଷ୍ମଣ ପ୍ରଧାନ ଓ ଶିକିରି ଗାଁର ଦୀପକ କରାଇ। ପ୍ରମୋଦ, ବାବୁରାମ ଓ କୁନାଲ ଏହି ଘଟଣାର ମାଷ୍ଟରମାଇଣ୍ଡ। ଏହି ୧୦ ଜଣଙ୍କ ମଧ୍ୟରୁ ୩ ଜଣ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ଏହି ଅପରାଧରେ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି।

ଗତ ରବିବାର ଘଟିଥିଲା ଏହି ଘଟଣା। ରାତି ପ୍ରାୟ ସାଢ଼େ ୮ଟା ବେଳେ ବ୍ରହ୍ମପୁରର ଏକ କଲେଜର ଜଣେ ଛାତ୍ରୀ ଓ ଜଣେ ଛାତ୍ର ଗୋପାଳପୁର ବେଳାଭୂମିର ଏକ ନିର୍ଜନ ଅଞ୍ଚଳରେ ବସିଥିଲେ। ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତକୁ ଦେଖି ନେଇଥିଲେ ଅଭିଯୁକ୍ତମାନେ ଓ ଫଟୋ ମଧ୍ୟ ଉଠାଇଥିଲେ।ସେମାନେ ସେହି ଦୁଇ ଜଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରି ଦେବାର ଭୟ ଦେଖାଇ ପ୍ରଥମେ ୧୩ଶହ ଟଙ୍କା ନେଇଥିଲେ। ତେବେ ତା’ପରେ ସେମାନେ ଛାତ୍ର ଜଣଙ୍କୁ କାବୁ କରି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ୩ ଜଣ ଉକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।

Advertisment

ଉଭୟ ଛାତ୍ର,ଛାତ୍ରୀ ଥାନାକୁ ଯାଇ ପୁଲିସକୁ ଘଟଣା ସଂପର୍କରେ କହିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ଛାନଭିନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗତକାଲି ୭ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା ଓ ପଚରାଉଚରା କରିଥିଲା। ଆଜି ଆଉ ୩ ଅଭିଯୁକ୍ତଙ୍କୁ ଧରିବା ପରେ ସମସ୍ତଙ୍କୁ ଗିରଫ କରିଥିଲା ପୁଲିସ।

ଏହି ଘଟଣା ପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଗୋପାଳପୁର ବେଳାଭୂମିରେ ନିଜକୁ ଟିକେ ସୁରକ୍ଷିତ ମଣୁ ନାହାନ୍ତି। ବହୁ ବଙ୍ଗୀୟ ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ସେମାନେ ଅସୁରକ୍ଷିତ ମନେ କରୁଛନ୍ତି। ସେମାନଙ୍କ କହିବା କଥା ପୁଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେଳାଭୂମିରେ ପାଟ୍ରୋଲିଂ ବ୍ୟବସ୍ଥା କରୁ। ସେହିଭଳି ପ୍ରଶାସନ ପକ୍ଷରୁ ବେଳାଭୂମିର ସମସ୍ତ ଅନ୍ଧାରିଆ ସ୍ଥାନରେ ଲାଇଟ୍ ବ୍ୟବସ୍ଥା କରାଯାଉ। 

ସେହିଭଳି ସ୍ଥାନୀୟ ଲୋକେ କହିଛନ୍ତି ଯେ ବିଶେଷ କରି ରବିବାର ଦିନଗୁଡ଼ିକରେ ଗୋପାଳପୁର ବେଳାଭୂମିକୁ ଅଧିକ ଲୋକ ବୁଲିବାକୁ ଆସନ୍ତି। ତେଣୁ ଏହି ଦିନଗୁଡ଼ିକରେ ପାଟ୍ରୋଲିଂକୁ ବଢ଼ାଇବା ଦରକାର। ତା’ ସହିତ ଅଧିକ ସଂଖ୍ୟାରେ ପୁଲିସ କର୍ମଚାରୀଙ୍କୁ ବେଳାଭୂମିରେ ନିୟୋଜିତ କରାଗଲେ, ଏଭଳି ତଥା ଅନ୍ୟ କୌଣସି ଅପରାଧିକ କାର୍ଯ୍ୟ ଘଟନ୍ତା ନାହିଁ। ଆଗାମୀ ଦିନରେ ପ୍ରଶାସନକୁ ଅନୁରୋଧ କରି ବେଳାଭୂମିରେ ଅଧିକ ବିଦ୍ୟୁତ୍ ଓ ସୋଲାର ଲାଇଟ ବ୍ୟବସ୍ଥା କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ବିବେକ ଶ୍ରବଣ କହିଛନ୍ତି।

ହସ୍ତକ୍ଷେପ କଲେ ଏନ୍‌ସିଡବ୍ଲ୍ୟୁ

ଅନ୍ୟପକ୍ଷରେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ। କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି କମିଶନ। ଏହା ସହିତ ଛାତ୍ରୀ ଜଣଙ୍କୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ ଏହି ଘଟଣାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। 

Gang Rape