Advertisment

‘ମୋତେ ମୋ’ ପୁଅ ଜ୍ୟୋତି ଦରକାର, ଜୀବିତ ନ ହେଲେ ମୃତଦେହ ଫେରାଅ’

ହସ୍ପିଟାଲ ବେଡରେ ଥିବା ଯୁବକଜଣକ ନିଜ ପୁଅ ନୁହେଁ ବୋଲି ଜାଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବୃଦ୍ଧଜଣକ କହିଛନ୍ତି, ମେଡିକାଲର ଭୁଲ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନି । ଘଟଣା ଦିନ ପୁଅ ପୋଡି ଯାଇଥିବା ଖବର ପାଇ ମେଡିକାଲ ଆସିଥିଲି ।

author-image
Niharika Rout
ଅଦ୍ୟତନ ହୋଇଛି
Hi- tech Blast Case

Hi- tech Blast Case

ହାଇଟେକ୍‌ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିଚୟ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଏବେ ବିସ୍ଫୋରକ ରୂପ ନେବାରେ ଲାଗିଲାଣି। ମେଡିକାଲ ବେଡରେ ପଡ଼ିଥିବା ଯୁବକକୁ ନିଜ ପୁଅ ଜ୍ୟୋତି ଭାବିଥିବା ବୁଢ଼ା ବାପାକୁ ଲାଗିଛି ଶକ୍ତ ଝଟକା। ଶେଷ ଥର ପାଇଁ ବି ନିଜ ପୁଅକୁ ଦେଖି ପାରି ନ ଥିବାରୁ ଆଖିରୁ ଲୁହ ଗଡ଼ାଉଛି ହତଭାଗା ବାପା।

Advertisment

ହସ୍ପିଟାଲ ବେଡରେ ଥିବା ଯୁବକଜଣକ ନିଜ ପୁଅ ନୁହେଁ ବୋଲି ଜାଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବୃଦ୍ଧଜଣକ କହିଛନ୍ତି, ମେଡିକାଲର ଭୁଲ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନି । ଘଟଣା ଦିନ ପୁଅ ପୋଡି ଯାଇଥିବା ଖବର ପାଇ ମେଡିକାଲ ଆସିଥିଲି । ମୁହଁ ଜଳିଯାଇଥିଲା, ବ୍ୟାଣ୍ଡେଜ ବନ୍ଧା ହୋଇଥିବାରୁ ଜାଣିପାରିନଥିଲି । ତାକୁ ନାଁ ଧରି ଡାକିବାରୁ ସେ ବି ମୁଣ୍ଡ ହଲାଉଥିଲା।  ମାତ୍ର ଗତକାଲି ସେ ଭେଣ୍ଟିଲେଟରରୁ ବାହାରିଥିଲା। ଏହାପରେ ତାକୁ ଦେଖିବାକୁ ଯାଇ ନାଁ ଧରି ଡାକିବାରୁ ସେ ନିଜ ନାଁ ଦିଲୀପ ବୋଲି କହିଥିଲା।

ଏହାପରେ ସନ୍ଦେହ ହେବାରୁ ତାର ଦୁଇ ଗୋଡ ଭଲଭାବେ ଚେକ୍‌ କରିଥିଲି । ମୋ’ ପୁଅ ଜ୍ୟୋତି ଗୋଡରେ ଦାଗ ଅଛି, ହେଲେ ତା’ ଗୋଡ଼ରେ ଦାଗ ନାହିଁ। ତେଣୁ ସେ ମୋ’ ପୁଅ ଜ୍ୟୋତି ନୁହଁ । ସଂସାର ବୁଡ଼ିଗଲା, ମୋର ଆଉ କେହି ନାହାନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ବୃଦ୍ଧଜଣକ ।  

Advertisment

ଏପରି ସାଂଘାତିକ ତ୍ରୁଟିକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଜ୍ୟୋତି ମଲ୍ଲିକଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟ। ସେମାନେ କହିଛନ୍ତି, ‘ଯଦି ଦିଲ୍ଲୀପ ଜୀବିତ ତା’ହାଲେ ଜ୍ୟୋତି କୁଆଡେ ଗଲା ? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ । ଘଟଣା ଦିନଠୁ ଜ୍ୟୋତି ସୁରକ୍ଷିତ ଥିବା କହୁଥିଲେ, ଏବେ କେଉଁଠି ଅଛି । ଯଦି ଜ୍ୟୋତି ମୃତ, ତା’ହେଲେ ମୃତଦେହ ଫେରାଅ ବୋଲି ସେମାନେ ଦାବି କରିଛନ୍ତି।

ଜ୍ୟୋତିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ଓ ପରିବାରବର୍ଗ ମେଡିକାଲରେ ପହଞ୍ଚିଛନ୍ତି। ଏନେଇ ଜ୍ୟୋତିଙ୍କ ପତ୍ନୀ କହିଛନ୍ତି, ବିସ୍ଫୋରଣ ପରେ ସ୍ୱାମୀଙ୍କୁ ଦେଖିବାକୁ ହସ୍ପିଟାଲ ଭିତରକୁ ଯାଇଥିଲି। ସେଠାରେ ମୁହଁରେ ବ୍ୟାଣ୍ଡେଜ ଗୁଡ଼ା ହୋଇଥିବାରୁ ସ୍ୱାମୀଙ୍କୁ ଚିହ୍ନି ପାରି ନ ଥିଲି। ଜଣେ ରୋଗୀଙ୍କୁ ଦେଖାଯାଇ ସେ ହିଁ ଜ୍ୟୋତି ବୋଲି ମୋତେ କୁହାଯାଇଥିଲ। ସେ ଭେଣ୍ଟିଲିଟରରେ ଥିବା ଆମକୁ କୁହାଯାଉଥିବା ବେଳେ ଏବେ ଉକ୍ତ ବ୍ୟକ୍ତିଜଣକ ଆଉ କିଏ ବୋଲି କୁହାଯାଉଛି। ତେଣୁ ମୋ’ ସ୍ୱାମୀ କୁଆଡ଼େ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। 

ଏହି ଘଟଣାକୁ ନେଇ ମେଡିକାଲ ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ନିଜ ରୋଗୀଙ୍କୁ ଚିହ୍ନିବା ପରିବାର ଲୋକଙ୍କ କାମ । ସେମାନେ ଯଦି ନିଜ ଲୋକଙ୍କୁ ଚିହ୍ନି ପାରିଲେ ନାହିଁ, ତା’ ହେଲେ ଆମେ କିପରି ଚିହ୍ନି ପାରିବୁ ବୋଲି କହିଛନ୍ତି। 

Bhubaneswar