Advertisment

ଚିକିତ୍ସା ଅବହେଳାରୁ ଗଲା ମା'-ଛୁଆଙ୍କ ଜୀବନ, ହସ୍ପିଟାଲରେ ଉତ୍ତେଜନା

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

author-image
Madhupriya Mistry
Tension In Bhadrak Hospital

Tension In Bhadrak Hospital

ପ୍ରସ୍ତୁତିଙ୍କୁ ମାରିଦେଲେ ଡାକ୍ତର ଓ ନର୍ସ। ଚିକିତ୍ସା ଅବହେଳାରୁ ଗଲା ମା'-ଛୁଆଙ୍କ ଜୀବନ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କ ମୃତ୍ୟ ପରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହାକୁ ନେଇ ହସ୍ପିଟାଲ ପରିସରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ କରାଯାଇଛି।

Advertisment

ବିରିଡ଼ି ଅଞ୍ଚଳର ୨୮ ବର୍ଷୀୟା ମଞ୍ଜୁଲତା ଘଡ଼େଇ। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗତକାଲି ସେ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଏମ୍‌ସିଏଚ୍‌ )କୁ ରେଫର କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କୁ ଓଟିକୁ ନେଇଥିଲେ। ପରେ ତାଙ୍କୁ ବାହାରକୁ ଆଣି ଇଞ୍ଜେକସନ ଦିଆଯାଇଥିଲା। ଏପରି ଅଵସ୍ଥାରେ କୌଣସି ଚିକିତ୍ସା ନକରି ରାତି ଦୁଇଟା ପର୍ଯ୍ୟନ୍ତ ପକାଇ ରଖିଥିଲେ। ମଞ୍ଜୁଲତାଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିବା ନେଇ ସ୍ଵାମୀ ଅଭିମନ୍ୟୁ ଘଡେଇ ବାରମ୍ବାର ଡାକ୍ତରଙ୍କୁ ଗୁହାରି କରିଥିଲେ। ହେଲେ ଡାକ୍ତର କିମ୍ବା ନର୍ସ କେହି କିଛି ଶୁଣି ନଥିଲେ। ପରେ ମଞ୍ଜୁଲତାଙ୍କୁ କଟକ ନେଵାକୁ କହିଥିଲେ ଡାକ୍ତର। ଏହାପରେ ରାତି ୨ଟା ୩୦ରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା।  ତାଙ୍କ ପେଟରେ ଥିବା ଛୁଆଟି ମଧ୍ୟ ଆଖିବୁଜି ଥିଲା। 

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କୌଣସି ଚିକିତ୍ସା ନକରି ତାଙ୍କୁ ଘଣ୍ଟା ଘଣ୍ଟା ଧରି ପକାଇ ରଖିବା ସହ ତାଙ୍କ ଗାଲକୁ ଚାପୁଡା ମାରିଥିଲେ ଡାକ୍ତର ଓ ନର୍ସ। କେବଳ ସେତିକି ନୁହେଁ ତାଙ୍କ ପେଟକୁ ବିଧା ମାରିଥିବା ମଞ୍ଜୁଲାତାଙ୍କ ପିଉସୀ ଶୁଶୁ ପଦ୍ମାବତୀ ଦାସ କହିଛନ୍ତି। ମଞ୍ଜୁଲତାଙ୍କୁ ପାଣି ଟିକେ ପିଇବାକୁ ମଧ୍ୟ ଦିଆଯାଇନଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଡାକ୍ତର ଓ ନର୍ସଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି।

Advertisment

ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ କରୁଛି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ପୁଲିସ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ସେପଟେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପାତ୍ର କହିଛନ୍ତି ଯେ, ଘଟଣାରେ ତଦନ୍ତ ଚାଲିଛି। ତଦନ୍ତ ପରେ ଯାହା ଜଣାପଡ଼ିବ, ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Odisha Tension In Hospital Bhadrak MCH Hospital Pregnant Woman Death