Advertisment

ବିରଜା ହାଟ ପୁରୁଣା ସ୍ଥାନକୁ ଫେରିବାରୁ ପ୍ରବଳ ଉତ୍ତେଜନା; ସାମୟିକ ଭାବେ ବନ୍ଦ ହେଲା

ହାଟ ଖୋଲିବାକୁ ବିରୋଧ କରି ଗୋଟିଏ ଗୋଷ୍ଠି ରାସ୍ତାରୋକ କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏପରି ସ୍ଥିତିରେ ବିରଜା ହାଟକୁ ସାମୟିକ ଭାବେ ଆଜି ବନ୍ଦ କରିଛି ପ୍ରଶାସନ ।

ଅଦ୍ୟତନ ହୋଇଛି
Tension

Tension

Advertisment

ଯାଜପୁର ଜିଲ୍ଲା ବିରଜା ହାଟ ପୁରୁଣା ଜାଗାରେ ପୁନଃ ଅବସ୍ଥାପିତ ହେବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିପକ୍ଷବାଦୀ ଓ ସପକ୍ଷବାଦୀ। ଏପରି ସ୍ଥିତିରେ  ଗୋଟିଏ ଗୋଷ୍ଠୀ ରାସ୍ତାରୋକ କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏପରି ସ୍ଥିତିରେ ବିରଜା ହାଟକୁ ସାମୟିକ ଭାବେ ଆଜି ବନ୍ଦ କରିଛି ପ୍ରଶାସନ ।

Advertisment

ବିରଜା ପ୍ରକଳ୍ପ ନିମନ୍ତେ ୨ଶହ ବର୍ଷର ବିରଜା ହାଟକୁ ଗତ ବର୍ଷ ଜାନୁୟାରୀରେ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ହାଟକୁ ପୂର୍ବ ସ୍ଥାନକୁ ଫେରାଇବାକୁ ଚାଷୀମାନେ ବହୁ ଥର ଦାବି କରିଥିଲେ। ଏନେଇ ସେମାନେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। ମାତ୍ର ବିଜେଡି ସରକାର କିଛି ଶୁଣି ନ ଥିଲା।

ଏବେ କିନ୍ତୁ ବିଜେପି ସରକାର ଆସିବା ପରେ ପୁଣି ଥରେ ଚାଷୀମାନେ ହାଟକୁ ପୁରୁଣା ଜାଗାକୁ ଫେରାଇବାକୁ ଦାବି ଜଣାଇଥିଲେ। ବିଜେପି ସରକାର ଏଥିନିମନ୍ତେ ସମ୍ମତି ଜଣାଇଥିବା ବେଳେ ଆଜି ହାଟ ବିରଜା ମନ୍ଦିର ନିକଟକୁ ଫେରିବ ବୋଲି ସ୍ଥିର ହୋଇଥିଲା।

Advertisment

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସକାଳେ କିଛି ବେପାରୀ ଆସି ପୁରୁଣା ସ୍ଥାନରେ ନିଜ ପସରା ମେଲାଇଥିଲେ। ମାତ୍ର ହାଟ ବିପକ୍ଷବାଦୀ ଲୋକ ଏହାକୁ ବିରୋଧ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନର ନିର୍ଦ୍ଦେଶାନାମା ସତ୍ତ୍ୱେ ଏପରି ପରିସ୍ଥିତି ଉପୁଜିବାରୁ ଉତ୍ତ୍ୟକ୍ତ ଚାଷୀମାନେ ସକାଳୁ ରାସ୍ତାରୋକ କରିଛନ୍ତି। ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ବୋଲି ଚାହୁଁଛନ୍ତି।

ଫଳରେ ଉକ୍ତ ସ୍ଥାନରେ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ବେଳେ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଉପଜିଲ୍ଲାପାଳ ପହଞ୍ଚି ହାଟକୁ ସାମୟିକ ଭାବେ ସ୍ଥଗିତ କରାଗଲା ବୋଲି କହିଛନ୍ତି। ତେବେ ହାଟ କେବେ ଓ କେଉଁଠି ଖୋଲିବ ସେନେଇ ଲିଖିତ ଭାବେ ଜଣାଇବାକୁ ଚାଷୀମାନେ ଦାବି କରିଛନ୍ତି। ଏବେ ପୁରୁଣା ହାଟ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି।

ବିରଜା ହାଟ ସପ୍ତାହରେ ଦୁଇ ଥର ଗୁରୁବାର ଓ ରବିବାର ବସିଥାଏ। ଏହି ହାଟ ଉପରେ ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ନିର୍ଭର କରୁଥିବା ବେଳେ ସେମାନଙ୍କ ଉତ୍ପାଦିତ ଫସଲ ବିକ୍ରି କରିଥାନ୍ତି। ମାତ୍ର ପୁରୁଣା ସ୍ଥାନରେ ଆଜି ହାଟକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବେ ବେଳେ ଆସନ୍ତା ରବିବାର କେଉଁଠି ହାଟ ବସିବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଉପଜିଲ୍ଲାପାଳ କହିଛନ୍ତି, ସମସ୍ତ ପକ୍ଷଙ୍କୁ ଡାକି ଆଲୋଚନା କରିବୁ । ସହମତିରେ ସମସ୍ୟାର ସମାଧାନ ପାଇଁ ଚେଷ୍ଠା କରିବୁ।

Jajpur Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe