Advertisment

ଭୀମଭୋଇ ମେଡିକାଲ କଲେଜରେ ଉତ୍ତେଜନା, ହାଉସ ସର୍ଜନଙ୍କୁ ଆକ୍ରମଣ

ଆକ୍ରମଣରେ ଗୁରୁତର ହାଉସ୍‌ ସର୍ଜନ ଛାତ୍ରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପି। ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Medical

Medical

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ହାଉସ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପ୍ରତିବାଦରେ ହସ୍ପିଟାଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ମେଡିକାଲ କଲେଜ ଛାତ୍ରଛାତ୍ରୀ। ମେଡ଼ିକାଲ୍‌ ଭିତରକୁ ଆମ୍ବୁଲାନ୍ସ ଛାଡୁନାହାନ୍ତି ଉତ୍ତ୍ୟକ୍ତ ଡାକ୍ତରୀ ଛାତ୍ରଛାତ୍ରୀ। ଆକ୍ରମଣରେ ଗୁରୁତର ହୋଇଥିବା ହାଉସ୍‌ ସର୍ଜନ ଛାତ୍ରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Advertisment

ଅଭିଯୋଗରୁ ପ୍ରକାଶ, ହାଉସ ସର୍ଜନ ଛାତ୍ର ଜଣକ ଆଜି ମେଡ଼ିକାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ଥିଲେ। ସେହି ସମୟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପରେ ବିବାଦ ସମାଧାନ ହୋଇଥିଲା। ସନ୍ଧ୍ୟା ବେଳେ ହାଉସ ସର୍ଜନ ଛାତ୍ର ଜଣକ ମେଡ଼ିକାଲ୍‌ରେ ଡ୍ୟୁଟି ସାରି କଲେଜକୁ ଫେରୁଥିଲେ। ଠିକ୍‌ ସେହି ସମୟରେ ମେଡ଼ିକାଲ ବାହାରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଛି। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଚିକିତ୍ସା ଚାଲିଛି। 

ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ ନେଇ ପ୍ରଚାରିତ ହେବା ପରେ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ରୋଗୀ ସେବା ବନ୍ଦ କରିଦେଇଛନ୍ତି। ଏଥିସହ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି। ଖବର ପାଇ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପି। ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି।

Advertisment

ଅନ୍ୟପକ୍ଷରେ ମେଡ଼ିକାଲ୍‌ ସୁପରିଟେଣ୍ଡେଣ୍ଟ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ମାତ୍ର ଛାତ୍ରଛାତ୍ରୀମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Balangir