Advertisment

ସରିଲା ଟଙ୍କା ଗଣତି, ମିଳିଲା ୩୦୫ କୋଟି

ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବା ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି କରିଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Balangir

Balangir

ମଦ ଟଙ୍କାର ପାହାଡ଼। ଯିଏ ଦେଖିଲା, ସିଏ ଆଖି ତରାଟିଲା। ଯିଏ ଗଣିଲା, ସିଏ ବି ନାକଦମ୍। ୫ ଦିନ ହେଲା ମଣିଷଠୁ ମେସିନ୍ ଯାଏ ମଦ ବ୍ୟବସାୟୀଙ୍କଠୁ ଜବତ ଟଙ୍କା ଗଣାରେ ଲାଗିଥିଲେ। ଆଜି ଗଣତି ଶେଷ ହୋଇଛି। ଗଣତି ଶେଷରେ ମଦ ବ୍ୟବସାୟୀଙ୍କ ଠିକଣାରୁ ମୋଟ ୩୦୫ କୋଟି ଟଙ୍କା ମିଳିଥିବା ବଲାଙ୍ଗୀର ଏସ୍‌ବିଆଇ ଆରଏମ ଭଗତ ବେହେରା ସୂଚନା ଦେଇଛନ୍ତି। 

Advertisment

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠିକଣାରେ ଆୟକର ବିଭାଗର ରେଡ ବେଳେ ବସ୍ତାବସ୍ତା ଟଙ୍କା ମିଳିଥିଲା। ଏହାପରେ ଜବତ ଟଙ୍କାକୁ ବଲାଙ୍ଗିର SBI ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା। ପ୍ରାୟ ୨୫ଟି ମେସିନ ଓ ୫୦ କର୍ମଚାରୀ ନିରବଚ୍ଛିନ୍ନ ଭାବେ ଗଣତି କରିଥିଲେ। ଆଉ ୫ ଦିନର ଲଗାତାର ଗଣତି ପରେ ଆଜି ସନ୍ଧ୍ୟାରେ ଗଣତି ଶେଷ ହୋଇଛି।

ଏଥିସହ ମଦ ବ୍ୟବସାୟୀଙ୍କ ଠିକଣାରୁ ମୋଟ ୩୦୫ କୋଟି ଟଙ୍କା ମିଳିଛି। ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବା ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି କରିଥିଲେ।

Advertisment

ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍। ପୂର୍ବରୁ ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟିରେ ପହଞ୍ଚିଥିବାବେଳେ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ ଟଙ୍କା ଥିଲା।

ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି। ତେବେ ଏହି ଟଙ୍କାର ଉତ୍ସ କ’ଣ ? ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି। ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଧରି ଲଗାତର ତଥ୍ୟ ଆଦାୟ କରୁଛି IT ଟିମ୍।

ଆଜି ଟଙ୍କାଗଣତି ସରିଛି। ହେଲେ କାଲି ଠାରୁ ଏଟଙ୍କାର ଉତ୍ସ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଆରମ୍ଭ ହେବ। ୩୦୫ କୋଟି କେଉଁଠୁ ଆସିଛି ଓ ଏସବୁ ଟଙ୍କା କେଉଁଆଡ଼େ ଯିବାର ଥିଲା କି ନାହିଁ, ତା’ର ଯାଞ୍ଚ IT ଟିମ୍ କାଲିଠାରୁ ଆରମ୍ଭ କରିବ। 

ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡିଶାରେ ବିଜେଡି ସରକାରର ପ୍ରୋତ୍ସାହନରେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଚାଲିଥିବା ମଦ ବେପାର ଉପରେ ଆୟକର ବିଭାଗ ଚଢଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଏହା ସାରା ଓଡ଼ିଶାକୁ ବିଚଳିତ କରିଛି। ଓଡ଼ିଶାରେ ମଦ ମାଫିଆଙ୍କ ଯେଉଁ ଭଳି ଭାବରେ କଳାଟଙ୍କାର ବେପାର ବଢିଛି ତାହା ପଛରେ ରାଜ୍ୟ ସରକାରଙ୍କ ଅବକାରୀ ନୀତି ଦାୟୀ।

ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି। କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥରେ ଓଡ଼ିଶାରେ ମଦର ବନ୍ୟା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲି ରାଜ୍ୟର ସମସ୍ତ ସବଡିଭିଜନ ଆଗରେ ବିଜେପି ପକ୍ଷରୁ ବିଜେଡି ସରକାରର ଏହି ମଦ ଦୁର୍ନୀତି ଓ କଳାଟଙ୍କା କାରବାର ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

Odisha Balangir