ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ରାଜ୍ୟପାଳଙ୍କ ଅନୁମତି ଲୋଡ଼ିଲେ କୋର୍ଟ

୨୦୦୬ରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ଏକ ଛୋଟ ସହର ପ୍ରତିଷ୍ଠା ପାଇଁ ୮ ହଜାର ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ବେଦାନ୍ତ ଫାଉଣ୍ଡେସନ୍ ସହ ଚୁକ୍ତି କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Wednesday, 01 May 2024
  • , Updated: 01 May 2024, 01:49 PM IST

News highlights

  • ବେଦାନ୍ତ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ମାମଲା
  • ପ୍ରଥମେ ରାଜ୍ୟପାଳଙ୍କଠାରୁ ଅନୁମତି ଲୋଡ଼ିଲେ ଏସଡିଜେଏମ୍ କୋର୍ଟ
  • ଏଫଆଇଆର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ ଲୋଡ଼ିଲେ ରାଜ୍ୟପାଳଙ୍କ ଅନୁମତି
  • ମୁଖ୍ୟମନ୍ତ୍ରୀ ଓ ବେଦାନ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଥିଲା ଆବେଦନ
  • ପୂର୍ବରୁ ରାଜ୍ୟ ସରକାରଙ୍କ `ବିଚାରଶୂନ୍ୟ ନିଷ୍ପତ୍ତି’କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ

ବେଦାନ୍ତ ଫାଉଣ୍ଡେସନ୍ ପକ୍ଷରୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ଥିଲା ଦର୍ଶାଇ ଗତ ବର୍ଷ ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ରାୟ ଦେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବେଦାନ୍ତ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ବିରୋଧରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲା ‘ନବ ନିର୍ମାଣ କୃଷକ ସଂଗଠନ’। ଥାନାରେ ୨୦୨୩ ଅକ୍ଟୋବର ୧୭ ତାରିଖରେ ଅଭିଯୋଗ ଦାଖଲ ହୋଇଥିଲେ ବି ଥାନା ଅଧିକାରୀ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିନଥିବାରୁ ଏ ନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ରୁଜୁ କରିଥିଲେ ନବ ନିର୍ମାଣ କୃଷକ ସଂଗଠନ’ର ଜାତୀୟ ଆବାହକ ଅକ୍ଷୟ କୁମାର। ଇତିମଧ୍ୟରେ ମାନ୍ୟବର ଜଜ୍ ଏସ୍ କେ ସାହୁ ଏପ୍ରିଲ ୨୫ ତାରିଖର ତାଙ୍କ ରାୟରେ ସୁପ୍ରିମ କୋର୍ଟଙ୍କ ବିଭିନ୍ନ ରାୟକୁ ଉଦ୍ଧୃତ କରି ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ପଦବୀରେ ଅଛନ୍ତି। ତେଣୁ ସିଆରପିସି ଧାରା-197 ଅନୁଯାୟୀ, ତାଙ୍କ ଉପରିସ୍ଥ କର୍ତୃପକ୍ଷଙ୍କଠାରୁ ଅନୁମତି ନ ଆଣି ପୁଲିସକୁ ସିଆରପିସି ଧାରା-156(3)ରେ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇହେବ ନାହିଁ। ଅଭିଯୋଗକାରୀଙ୍କୁ କମ୍ପିଟେଣ୍ଟ ଅଥରିଟି (ରାଜ୍ୟପାଳ)ଙ୍କଠାରୁ ଅନୁମତି ଆଣି ଦାଖଲ କଲାପରେ ଯାଇ ପୁଲିସ୍ ମାମଲା ରୁଜୁ ଓ ତଦନ୍ତ ପାଇଁ ବିଚାର କରାଯାଇପାରିବ। ମେ’ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

ଏ ନେଇ ଆମେ ଆବେଦକାରୀଙ୍କ ଓକିଲ ଶିବାନନ୍ଦ ରାୟଙ୍କ ପ୍ରତିକ୍ରିୟା ଲୋଡ଼ିଥିଲୁ। ସେ କହିଲେ, ଆମେ ପୂର୍ବରୁ ଏ ନେଇ ରାଜ୍ୟପାଳଙ୍କଠାରୁ ଅନୁମତି ମାଗିସାରିଛୁ। ଏପର୍ଯ୍ୟନ୍ତ ତାହା ମିଳିନାହିଁ। ଆମକୁ ନ୍ୟାୟ ନମିଳିଲେ ଆମେ ବାଧ୍ୟ ହୋଇ ଉପର କୋର୍ଟ ଯିବୁ।

୨୦୦୬ରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ଏକ ଛୋଟ ସହର ପ୍ରତିଷ୍ଠା ପାଇଁ ୮ ହଜାର ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ବେଦାନ୍ତ ଫାଉଣ୍ଡେସନ୍ ସହ ଚୁକ୍ତି କରିଥିଲେ। ବେଦାନ୍ତ ପ୍ରଥମେ ୧୫ ହଜାର ଏକର ଜମି ଚାହୁଁଥିଲା। ରାଜ୍ୟ ସରକାର ପ୍ରାୟ ୪୯୫ ଏକର ଗୋଚର ଜମି, ଜଗନ୍ନାଥଙ୍କ ୧୩୦୦ ଏକର ଜମି ସହ ବିଭିନ୍ନ ଚାଷୀଙ୍କଠାରୁ ପ୍ରାୟ ୬ ହଜାର ଏକର ଜମି ଅଧିଗ୍ରହଣ କରିଥିଲେ। ଏକ ଘରୋଇ କମ୍ପାନୀ ପାଇଁ ଏଭଳି ଅହେତକୁ ଆଗ୍ରହ, ଜମି ଅଧିଗ୍ରହଣ ଆଇନର ଉଲ୍ଲଂଘନ, ବାଲୁଖଣ୍ଡ ଅଭୟାରଣ୍ୟ ପ୍ରତି ପରିବେଶ ବିପଦକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ଚୁକ୍ତିକୁ ୨୦୧୦ରେ ବାତିଲ କରିବା ସହ ସମସ୍ତ ଜମି ଚାଷୀଙ୍କୁ ଫେରାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ `ବିଚାରଶୂନ୍ୟ ନିଷ୍ପତ୍ତି’କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଥିଲେ। ଗୋଟିଏ କମ୍ପାନୀ ପାଇଁ ଏତେ ପ୍ରୀତି କାହିଁକି କହିବା ସହ `୬ ହଜାର ପରିବାରଙ୍କ ୬ ହଜାର ଏକର ଚାଷ ଜମିକୁ ଏମିତି ଟେକି ଦିଆଯାଇପାରିବ ନାହିଁ’ ବୋଲି କହିଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

Related story