ଦୁଇ ଦିନ ତଳେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଆଜି ଜଙ୍ଗଲ ଭିତରୁ ମିଳିଥିଲା ଝୁଲନ୍ତା ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ଘଟିଛି।
ଚକାପାଦ ଥାନା ଗୋଚ୍ଛାବାରୀ ଗାଁର ବିଶ୍ୱନାଥ ବେହେରା ରବିବାର ସକାଳେ ଟାଣଙ୍ଗାପାଦ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। କିନ୍ତୁ ସେହି ଦିନ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କ ଖୋଜ ଖବର ପାଇନଥିଲେ। ବିଶ୍ୱନାଥଙ୍କ ପତ୍ତା ନମିଳିବାରୁ ସୋମବାର ଦିନ ଗାଁର କିଛି ଲୋକଙ୍କୁ ଧରି ପରିବାର ଲୋକ ଉକ୍ତ ଜଙ୍ଗଲକୁ ଯାଇଥିଲେ। ବହୁ ଖୋଜାଖୋଜି ପରେ ଝିରିନାଳ ନିକଟରେ ଥିବା ଏକ ଗଛରେ ବିଶ୍ୱନାଥଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।
ଗାଁ ଲୋକେ ଏନେଇ ଚକାପାଦ ଥାନାକୁ ଖବର ଦେଇଥିଲେ। ଆଜି ସକାଳେ ପୁଲିସ୍ ଉକ୍ତ ଜଙ୍ଗଲକୁ ଯାଇଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି ପୁଲିସ୍। ଅନ୍ୟପଟେ ବିଶ୍ୱନାଥଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।