Manoj Kumar Singh
ୟୁ ଟ୍ୟୁବରେ ‘Change Your Life’ ନାଁରେ ଏକ ଚ୍ୟାନେଲ ଖୋଲି ପ୍ରବଚନ ଦେଉଥିଲା। ଖରାପ କାମ ନ କରିବାକୁ ଲୋକଙ୍କୁ କହୁଥିଲା। କିନ୍ତୁ ନିଜେ ଲୋଭ ସମ୍ବରଣ କରିପାରୁ ନଥିଲା। ଆଉ ସୁଯୋଗ ଦେଖି ଘରେ ପଶି ଚୋରି କରୁଥିଲେ। ଏମିତି ଜଣେ ଚୋରକୁ ଧରିଛି କମିଶନରେଟ୍ ପୁଲିସ୍।
ଗିରଫ ଚୋରର ନାଁ ମନୋଜ କୁମାର ସିଂ। ତା’ ଘର କଟକ ଜିଲ୍ଲା ବୈଦେଶ୍ୱର ଥାନା ଖଜୁରୀପଦା ଗାଁରେ। ସେ ଜଣେ ପେଶାଦାର ଚୋର। ତା’ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ୨୦୧୧ରୁ ସେ ଚୋରି କରିଆସୁଛି। ସେ ଦିନ ବେଳେ ହିଁ ଚୋରି କରେ। ଯେଉଁ ଘରଗୁଡ଼ିକରେ ତାଲା ପଡ଼ିଥାଏ, ସେ ସେଗୁଡ଼ିକୁ ଟାର୍ଗେଟ କରେ।
ମନୋଜ କୁମାର ସିଂ ୟୁଟ୍ୟୁବ ଚ୍ୟାନେଲ ଖୋଲି ସେ କେମିତି ଚୋର ହେଲା, କେମିତି ତା’ ମନ ବଦଳିଲା, କାହିଁକି ଜଣେ ଚୋର ହୁଏ, ଜଣେ ଜନ୍ମରୁ ଅପରାଧୀ ହୋଇ ନଥାଏ, କିଭଳି ଭାବେ ଜଣେ ନିଜକୁ ଅପରାଧ ଦୁନିଆଁରୁ ଦୂରେଇ ରଖିପାରିବ ଆଦି ବିଷୟରେ କହୁଥିଲା। ଏହା ଦେଖି ପୁଲିସ୍ ଭାବିଥିଲା ଯେ ଲୋକଟି ବୋଧହୁଏ ତା’ ଅତୀତକୁ ଭୁଲି ଭଲ ଲୋକ ହୋଇଯାଇଛି। କିନ୍ତୁ ଗତ ଅଗଷ୍ଟ ୧୪ ତାରିଖରେ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଚୋରି ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜରେ ମନୋଜ କୁମାର ସିଂକୁ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ଗତ ଅଗଷ୍ଟ ୧୪ ତାରିଖରେ ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରୀରୁ ଗୋଟିଏ ଘରୁ ଚୋରି ହୋଇଥିଲା। ଘରେ ସ୍ୱାମୀ-ସ୍ତ୍ରୀ ନଥିବା ବେଳେ ୨୦୦ ଗ୍ରାମ ସୁନା ଗହଣା ଓ ୧ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିଲା। ଏନେଇ ଭରତପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ପୁଲିସ୍ ଏହି ଘଟଣାର ତଦନ୍ତ କରି ସିସିଟିଭି ଫୁଟେଜ ଆଧାରରେ ମନୋଜ କୁମାର ସିଂକୁ ଗିରଫ କରିଛି। ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମନୋଜ କୁମାର ସିଂ ତା’ ଦୋଷ ସ୍ୱୀକାର କରିଛି। ସେ ପୁଲିସ ଆଗରେ କହିଛି ଯେ ଯେତେ ପ୍ରବଚନ ଦେଲେ ବି ଯେତେବେଳେ ସେ କିଛି ଭଲ ଜିନିଷ ଦେଖେ, ତା’ର ଚୋରି କରିବାକୁ ଇଚ୍ଛା ହୁଏ। ସେ ଲୋଭ ସମ୍ବରଣ କରିପାରେନାହିଁ। ଗତ ଅଗଷ୍ଟ ୧୪ ତାରିଖରେ ଖଣ୍ଡଗିରି ବାରୀର ସେହି ଘରଟିରେ ତାଲା ପଡ଼ିଥିବା ସେ ଦେଖିଥିଲା। ତାଲା ଭାଙ୍ଗି ସେ ଭିତରକୁ ଯାଇଥିଲା। ଆଲମାରୀରେ ଥିବା ଟଙ୍କା ଓ ସୁନା ଗହଣା ଦେଖି ତା’ର ଲୋଭ ହୋଇଥିଲା ଏବଂ ସେ ଚୋରି କରିଥିଲା ବୋଲି ପୁଲିସକୁ କହିଛି।
ସେହି ଘରୁ ସେ ୧୦ ମିନିଟ୍ ଭିତରେ ଚୋରି କରି ଫେରାର ହୋଇଯାଇଥିଲା। ସେ ୮୨ ଗ୍ରାମ ସୁନାଗହଣା ନୟାଗଡ଼ର ଏକ ଗୋଲ୍ଡ ଲୋନ୍ ସଂସ୍ଥାରେ ବନ୍ଧା ପକାଇ ୪ ଲକ୍ଷ ୫୩ ହଜାର ଟଙ୍କା ଆଣିଥିଲା। ବାକି ସୁନାଗହଣା ଓ ଟଙ୍କା ସେ ନିଜ ପାଖରେ ରଖିଥିଲା। ସେସବୁକୁ ପୁଲିସ ଜବତ କରିଛି। ଏହା ସହିତ ଏକ ବାଇକ ଓ ଏକ ଲୁହା ରଡ୍ ଜବତ କରିଛି ପୁଲିସ।
ଜବତ ସୁନା ଗହଣା ଓ ଟଙ୍କା ଭାରତପୁର ଥାନା ଅଞ୍ଚଳର ସେହି ଦମ୍ପତିଙ୍କୁ ହସ୍ତାନ୍ତର କରିଛି କମିଶନରେଟ୍ ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1756375881.jpg)