କଳିଙ୍ଗ ନଗର ଆଦିବାସୀ ଗଣହତ୍ୟାର ୧୮ବର୍ଷ ପରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ବହୁଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ୧୮ତମ ବାର୍ଷିକୀକୁ ରାଜ୍ୟବ୍ୟାପୀ ପ୍ରତିବାଦ ଆକାରରେ ପାଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

Representational Image

  • Published: Tuesday, 26 December 2023
  • , Updated: 26 December 2023, 10:21 PM IST

ବହୁଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ୧୮ତମ ବାର୍ଷିକୀକୁ ରାଜ୍ୟବ୍ୟାପୀ ପ୍ରତିବାଦ ଆକାରରେ ପାଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏବେବି ଉକ୍ତ ନରସଂହାରରେ ମୃତାହତ ନିରୀହ ଆଦିବାସୀଙ୍କ ପରିବାରକୁ ଉପଯୁକ୍ତ ସହାୟତା ମିଳିନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଆସନ୍ତା ଜାନୁୟାରୀ ୨ତାରିଖରେ ଏହି ଗୁଳିକାଣ୍ଡ ଘଟଣାର ୧୮ତମ ବାର୍ଷିକୀକୁ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଓ ପୌରାଂଚଳରେ ମହମବତୀ ଜାଳି ନିରବ ପ୍ରାର୍ଥନା କରି ନିରୀହ ଆଦିବାସୀଙ୍କ ଆତ୍ମାର ସଦଗତି କାମନା କରିବ ବୋଲି କଂଗ୍ରେସ କହିଛି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ନବୀନ ସରକାର ଏକ ଆଦିବାସୀ ବିରୋଧି ସରକାର । ଦୀର୍ଘ ୨୪ବର୍ଷର ଶାସନରେ ଆଦିବାସୀଙ୍କ ଉନ୍ନତି ପାଇଁ ଏ ସରକାର କେବେ କାର୍ଯ୍ୟ କରିନାହିଁ । ଓଲଟା ଟାଟା କମ୍ପାନୀକୁ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ ତତକାଳୀନ ବିଜେଡ଼ି-ବିଜେପି ମେଂଟ ସରକାର ୨୦୦୬ ମସିହା ଜାନୁୟାରୀ ୨ ତାରିଖରେ କଳିଙ୍ଗ ନଗରଠାରେ ୧୩ ଜଣ ନିରୀହ ଆଦିବାସୀଙ୍କୁ ଗୁଳି କରି ହତ୍ୟା କଲେ । ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ନିରୀହ ଆଦିବାସୀଙ୍କ ରକ୍ତରେ ବିଜେଡ଼ି-ବିଜେପି ମେଂଟ ସରକାର ହୋଲି ଖେଳିଲା । ଅର୍ଦ୍ଧଶତାବ୍ଦୀର ଏହି ଜଘନ୍ୟ ହତ୍ୟାକାଣ୍ଡ ବିରୁଦ୍ଧରେ ବିଜେପି ବି ମୁହଁ ଖୋଲିନଥିଲା । କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ପରିବାରକୁ ୧ ଲକ୍ଷ ଟଙ୍କା ଏବଂ ତତକାଳୀନ ୟୁପିଏ ସରକାର ପକ୍ଷରୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା ।

ଦୀର୍ଘ ୨୫ ବର୍ଷର ନିରବିଚ୍ଛିନ୍ନ ନବୀନ ସରକାର ଆଦିବାସୀମାନଙ୍କର ବିକାଶ ପାଇଁ କିଛି କରିନାହାନ୍ତି । ବିଭିନ୍ନ ଜିଲ୍ଲାରେ ଆଦିବାସୀ ସଂପ୍ରଦାୟ ପ୍ରତି ନବୀନ ସରକାରଙ୍କ କ୍ରୁର ଆଚରଣ ଅତି ନିନ୍ଦନୀୟ । କଳିଙ୍ଗନଗର ପରି ରାୟଗଡ଼ା ଜିଲ୍ଲାର ମାଇକଂଚ, ନବରଙ୍ଗପୁର ଜିଲ୍ଲାର ରାଇଘର ଓ କନ୍ଧମାଳ ଜିଲ୍ଲାର ଗୁମୁଡୁମାହାଠାରେ ଏବଂ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ନବୀନ ସରକାର ଆଦିବାସୀମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛି ।

ତେଣୁ କଂଗ୍ରେସ ଦଳ ସବୁବେଳେ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଗ୍ରାମ କରୁଛି ଓ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଆସନ୍ତା ଜାନୟାରୀ ୨ ତାରିଖରେ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ବ୍ଲକ ଓ ସହରାଂଚଳରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ମିଳିତ ହୋଇ କଳିଙ୍ଗ ନଗର ଓ ରାଜ୍ୟର ଅନ୍ୟ ଜିଲ୍ଲାରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଆଦିବାସୀମାନଙ୍କ ପ୍ରତି ମହମବତୀ ଜାଳି ଏବଂ ନିରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିିଳନୀରେ ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

Related story