Advertisment

ବରକୁ ବାଟରୁ ଉଠାଇ ନେଲା ପୁଲିସ୍

ତାଙ୍କ ନାଁରେ ଦୁଇଟି ଥାନାରେ ହୋଇଥିଲା ଅଭିଯୋଗ।

author-image
Jitendra Garnayak
Bishnu Pinga

Bishnu Pinga

ବାହା ହେବାକୁ ଯାଉଥିବା ବେଳେ ବାଟରୁ ବରକୁ ଉଠାଇ ନେଲା ପୁଲିସ୍। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ। ଅଭିଯୁକ୍ତଙ୍କ ନାଁ ବିଷ୍ଣୁ ପିଙ୍ଗ। 

Advertisment

ଅଭିଯୋଗ ଅନୁସାରେ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୋକୋପଡ଼ାର ବିଷ୍ଣୁ ପିଙ୍ଗ ୭ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ସଂପର୍କ ନିବିଡ଼ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ସେ ଉକ୍ତ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରଖିଥିଲେ। ସେହି ସମୟରେ ସେ ପ୍ରାୟ ୫ ମାସ ଧରି ପ୍ରେମିକାଙ୍କ ଘରେ ମଧ୍ୟ ରହିଥିଲେ। ବିଷ୍ଣୁଙ୍କ ଉପରେ ବିଶ୍ୱାସ ଥିବାରୁ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରି ନଥିଲେ।

୨ ବର୍ଷ ଧରି ଉକ୍ତ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ ବିଷ୍ଣୁ। କିନ୍ତୁ ଯୁବତୀ ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ବିଷ୍ଣୁ ଫେରାର ହୋଇଯାଇଥିଲେ। ସେ କାହାକୁ କିଛି ନଜଣାଇ ଚେନ୍ନାଇ ପଳାଇଥିଲେ। ଉକ୍ତ ଯୁବତୀଙ୍କ ସହ କୌଣସି ଯୋଗାଯୋଗ ରଖି ନଥିଲେ ବିଷ୍ଣୁ। ପରେ ଯୁବତୀ ଜଣଙ୍କ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ସେହି ପୁଅକୁ ଏବେ ୫ ବର୍ଷ ହେଲାଣି।

Advertisment

ବିଷ୍ଣୁ ପିଙ୍ଗ ୫ ବର୍ଷ ଚେନ୍ନାଇରେ ରହିବା ପରେ ସପ୍ତାହେ ତଳେ ଗାଁକୁ ଫେରିଥିଲେ ଏବଂ ଧରୁଆଡ଼ିହି ବସ୍ତିରେ ରହୁଥିବା ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇଥିଲେ। ଏ ନେଇ ସେ ପ୍ରଥମେ ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଓ ପରେ ସୁନ୍ଦରଗଡ଼ ଜିଲ୍ଲାର ଧରୁଆଡ଼ିହି ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ସକାଳ ପ୍ରାୟ ୯ଟା ବେଳେ ବିଷ୍ଣୁ ବରବେଶରେ କନିଆ ଘର ଅଭିମୁଖେ ବରଯାତ୍ରୀ ସହ ଯାଉଥିବା ବେଳେ ବାଟରୁ ତାଙ୍କୁ ଉଠାଇ ନେଇଥିଲା ଧରୁଆଡ଼ିହି ଥାନା ପୁଲିସ୍‌। ତେବେ ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପକ୍ଷରେ ବିଷ୍ଣୁ ପିଙ୍ଗ କହିଥିଲେ, ସେ (ତାଙ୍କ ପ୍ରେମିକା) ଆଗରୁ ଆସିଥିଲେ ମୁଁ ବାହାଘର ଭାଙ୍ଗି ଦେଇଥାଆନ୍ତି। ତାଙ୍କ ସହିତ ମୋର ସଂପର୍କ ଥିଲା। କିନ୍ତୁ ସେ ଗର୍ଭବତୀ ଥିଲେ କି ନାହିଁ ମୁଁ ଜାଣି ନଥିଲି। ମୁଁ ଚେନ୍ନାଇ ପଳାଇଥିଲି। ୫ ବର୍ଷ ହେଲାଣି ମୁଁ ତାଙ୍କ ସହିତ କଥାବାର୍ତ୍ତା ହୋଇନାହିଁ।  

Love Betrayal